www.samajalive.in
Thursday, December 11, 2025
14.1 C
Bhubaneswar

ବ୍ୟାଙ୍କ ଧର୍ମଘଟ : ୨୦ ହଜାର କୋଟିର କାରବାର ପ୍ରଭାବିତ

ଭୁବନେଶ୍ୱର : ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି। ମଜୁରି ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ ବ୍ୟାଙ୍କ କାର୍ଯ୍ୟ, ମୂଳ ଦରମା ସହିତ ସ୍ୱତନ୍ତ୍ର ଭତ୍ତାର ମିଶ୍ରଣ, ସ୍ୱତନ୍ତ୍ର ପେନସନ୍‍ ସ୍କିମ୍‍, ପରିବାର ପେନ୍‍ସନ୍‌ରେ ବୃଦ୍ଧି ଆଦି ୧୨ ଦଫା ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟ କରିଛନ୍ତି।​ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ)ର ଡାକରାରେ ଦୁଇ ଦିନ ଧରି ଦେଶବ୍ୟାପୀ ଏହି ଧର୍ମଘଟ ହୋଇଛି। ୯ ବ୍ୟାଙ୍କ ସଂଘ ଏଆଇବିଇଏ, ଏଆଇବିଓସି, ଏନ୍‍ସିବିଇ, ଏଆଇବିଓଏ, ବିଇଏଫ୍‍ଆଇ, ଇଏନ୍‍ବିଇଏଫ୍‍, ଆଇଏନ୍‍ବିଓସି, ଏନ୍‍ଓବିଡବ୍ଲ୍ୟୁ ଏବଂ ଏନ୍‍ଓବିଓକୁ ନେଇ ଗଠିତ ୟୁଏଫ୍‌ବିୟୁ ଅଧୀନରେ ଧର୍ମଘଟ କରାଯାଇଛି। ଧର୍ମଘଟ ଯୋଗୁ ଆଜି ରାଜ୍ୟରେ ପାଖାପାଖି ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଥିବା ଜଣାଯାଇଛି। ତେବେ ବ୍ୟାଙ୍କ ଶାଖାଗୁଡିକ ବନ୍ଦ ରହିବା ଯୋଗୁ ଗ୍ରାହକମାନେ ବେଶ ହନ୍ତସନ୍ତ ହୋଇଛନ୍ତି। ଆସନ୍ତାକାଲି ମଧ୍ୟ ଏହି ଧର୍ମଘଟ ଜାରି ରହିବ।
ଶୁକ୍ରବାର ଧର୍ମଘଟ ପ୍ରଭାବରେ ଦେଶ ତଥା ରାଜ୍ୟରେ ବ୍ୟାଙ୍କ କାରବାର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଧର୍ମଘଟ ଯୋଗୁ ଦେଶର ସମସ୍ତ ଭାଗରେ ବ୍ୟାଙ୍କ ବନ୍ଦ ରହିଥିଲା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବା ଯୋଗୁ ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା। କେତେକ ବେସରକାରୀ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଦେଶରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି। ଏଥି​ଯୋଗୁ ଯଦିବା ବ୍ୟାଙ୍କ ଶାଖାଗୁଡିକ ବନ୍ଦ ରହିଥିଲା, ତେବେ ଏଟିଏମ୍‍ଗୁଡିକରେ କାର୍ଯ୍ୟ ସ୍ୱାଭାବିକ ରହିଥିଲା। କେତେକ ସ୍ଥାନରେ ଟଙ୍କା ଉଠାଣ ପାଇଁ ଏଟିଏମ୍‍ ସମ୍ମୁଖରେ ଲୋକଙ୍କ ଲାଇନ୍‍ ଲାଗିରହିଥିଲା। ଅଫ୍‌ ସାଇଟ୍‌ (ବ୍ୟାଙ୍କ ଶାଖା ବାହାରେ) ଏଟିଏମ୍‌ରେ କାରବାର ସ୍ବାଭାବିକ ରହିଥିବାବେଳେ ଅନ୍‌ସାଇଟ୍‌ (ଶାଖା ମଧ୍ୟରେ) ଏଟିଏମ୍‌ଗୁଡିକ ବନ୍ଦ ରହିଥିଲା। ଧର୍ମଘଟ ଯୋଗୁ ଆଜି ରାଜ୍ୟରେ ପାଖାପାଖି ୫୦୦୦ ବ୍ୟାଙ୍କ ଶାଖା ବନ୍ଦ ରହିଥିଲା। ରାଜ୍ୟର ୪୦,୦୦୦ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ। ସଚିବାଳୟମାର୍ଗସ୍ଥିତ ଏସ୍‌ବିଆଇ ପ୍ରଧାନ କାର୍ଯ୍ୟାଳୟଠାରେ ୟୁଏଫ୍‌ବିୟୁର ଆବାହକ (ଓଡ଼ିଶା) ସମ୍ବିତ୍‌ ମିଶ୍ର, ସୂର୍ଯ୍ୟନଗର ସେଣ୍ଟ୍ରାଲ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟଠାରେ ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓସି)ର ରାଜ୍ୟ ସଭାପତି ଦାମୋଦର ନନ୍ଦ ଏବଂ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ୟୁକୋ ବ୍ୟାଙ୍କ ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ବେଫିର ସାଧାରଣ ସମ୍ପାଦକ ପ୍ରକାଶ ରାୟ ପ୍ରମୁଖଙ୍କ ନେତୃତ୍ବରେ ବ୍ୟାଙ୍କ କର୍ମଚାରୀ ସରକାରୀ ଓ ମ୍ୟାନେଜମେଣ୍ଟ ବିରୋଧୀ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। ଧର୍ମଘଟ ଫଳରେ ରାଜ୍ୟରେ ପାଖାପାଖି ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି। ବ୍ୟାଙ୍କଗୁଡିକରେ ଚେକ୍‍ ନେଣଦେଣ, ନଗଦ କାରବାର, ବିଲ୍‍ସ ନେଗୋସିଏସନ୍‍, ନେଫ୍ଟ ଏବଂ ଆର୍‍ଟିଜିଏସ୍‍ ଆଦି କାର୍ଯ୍ୟ ବାଧାପାପ୍ତ ହୋଇଥିବା ଶ୍ରୀ ରାୟ କହିଛନ୍ତି। ଧର୍ମଘଟ ପ୍ରଭାବରେ କ୍ଲିଅରିଂ ହାଉସ୍‍ଗୁଡିକରେ ଶହ ଶହ ସଂଖ୍ୟାରେ ଚେକ୍‍ ପଡିରହିଥିଲା। ବ୍ୟାଙ୍କ ଶାଖାଗୁଡିକ ବନ୍ଦ ରହିଥିବା ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯଦି ସରକାର ଦାବି ପୂରଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ଏହି ଧର୍ମଘଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରଖାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories