www.samajalive.in
Thursday, December 11, 2025
16.1 C
Bhubaneswar

‘କୃଷି ଓଡ଼ିଶା’ରେ ମାଣ୍ଡିଆ କାହିଁକି ହେଲା ମାସ୍କଟ୍‍?

ଭୁବନେଶ୍ୱର : ଭୁବନେଶ୍ୱରର ଜନତା ମୈଦାନରେ  ଚାଲିଛି କୃଷି ଓଡ଼ିଶା ମେଗା ପ୍ରଦର୍ଶନୀ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଏଥର ମାଣ୍ଡିଆକୁ ମାସ୍କଟ୍‍ ଭାବରେ ନିଆଯାଇଛି। ମାଣ୍ଡିଆ ମିଶନ୍‍ ମାଧ୍ୟମରେ ଓଡ଼ିଶା ପାଇଥିବା ବିଶେଷ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭାଗ ଏହି ନିଷ୍ପତି ନେଇଛି। ଦିନେ ମାଣ୍ଡିଆ ଗରିବ ଲୋକଙ୍କ ଖାଦ୍ୟ ବୋଲି ଆମେ କହୁଥିଲୁ। କିନ୍ତୁ କୃଷି ଓଡ଼ିଶା ୨୦୨୦ ଲୋକଙ୍କର ସେହି ଧାରଣାକୁ ଭାଙ୍ଗି ଦେଇଛି। ଏହି ପ୍ରଦର୍ଶନୀର ଫୁଡ୍‍ ଜୋନ୍‍ରେ ମାଣ୍ଡିଆ ତିଆରି ବିଭିନ୍ନ ପାରମ୍ପରିକ ଏବଂ ଆଧୁନିକ ଖାଦ୍ୟ ପାଇଁ ଲୋକଙ୍କ ଆଗ୍ରହ ଦେଖିଲେ ଏ କଥା ସ୍ପଷ୍ଟ ହୋଇଯାଉଛି। ମାଣ୍ଡିଆର ଲଡ଼ୁ ଓ ମାଲ୍‍ପୁଆଠାରୁ କେକ୍‍, କୁକିଜ୍‍, ଏପରିକି ପିଜାର ମଜ୍ଜା ନେଉଛନ୍ତି ଲୋକେ। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଖିଦୃଶୃଆ ସଫଳତା ହାସଲ କରିଛି।

- Advertisement -

ବିଭାଗର ପ୍ରମୁଖର ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ଦେଇଥିବା ସୂଚନା ଅନୁଯାୟୀ, ୨୦୧୮-୧୯ ବର୍ଷରେ ଅଠର ହଜାର କ୍ୱିଂଟାଲ୍‍ ମାଣ୍ଡିଆ ସଂଗ୍ରହ ହୋଇଛି। ମାଣ୍ଡିଆ ଭଳି ଏକ ପୁଷ୍ଟିକର ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହାକୁ ସାଧାରଣ ବଂଟନ ବ୍ୟବସ୍ଥା ବା ପିଡିଏସ୍‍ରେ ସାମିଲ୍‍ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କୃଷି ଓଡ଼ିଶାର ଉଦ୍‍ଘାଟନୀ ଉତ୍ସବରେ କୃଷି କ୍ଷେତ୍ରରେ ରାଜ୍ୟର ସଫଳତାର ଚିତ୍ର ଉପସ୍ଥାପନ କରିଥିଲେ। ତା’ ଭିତରେ ରହିଥିଲା ମାଣ୍ଡିଆ। ରାଜ୍ୟର ୧୨ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକ୍‍ରେ ମାଣ୍ଡିଆ ଉତ୍ପାଦନ ଉପରେ ଫୋକସ୍‍ କରାଯାଉଛି। ଏଥିପାଇଁ ୬୫୦ଟି ଉତ୍ପାଦକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଆଗାମୀ ଦିନରେ ମାଣ୍ଡିଆ ଉତ୍ପାଦନର ବୃଦ୍ଧି ଏବଂ ଏହି ଖାଦ୍ୟକୁ ଲୋକପ୍ରିୟ କରାଇବା ପାଇଁ ୩୦ଟି ଉତ୍ପାଦନ କମ୍ପାନି ଗଠନ କରିବାକୁ ସରକାର ଯୋଜନା କରିଛନ୍ତି।

ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି। ଓଡ଼ିଶା ମିଲେଟ୍ସ ମିଶନ ଢାଞ୍ଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି। କୃଷି ଓଡ଼ିଶା ହେଉଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସବୁଠାରୁ ବଡ଼ ବାର୍ଷିକ କାର୍ଯ୍ୟକ୍ରମ। ଫିକି ସହଯୋଗିତାରେ ଚଳିତବର୍ଷ ଏହା ଜାନୁଆରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଠାରେ କୃଷି ଉତ୍ପାଦନର ସଫଳତା ଉପସ୍ଥାପନ କରିବା ସହ ବିଭିନ୍ନ ଅତ୍ୟାଧୁନିକ କୃଷି ସରଞ୍ଜାମର ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିପରି ପ୍ରତିଦିନ କୃଷି ଓ କୃଷକ ସମ୍ପର୍କିତ ବିଭିନ୍ନ ସେମିନାର ଏବଂ ପାଠଶାଳା ମାଧ୍ୟମରେ କୃଷକ, କୃଷି ବିଜ୍ଞାନୀ, କୃଷି ଉଦ୍ୟୋଗୀ, ସରକାରୀ ଅଧିକାରୀ ଏବଂ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ବିଭାଗ ସକ୍ଷମ ହୋଇପାରିଛି। କୃଷି ଓଡ଼ିଶାର ପ୍ରବେଶ ଦ୍ୱାର ନିକଟରେ ମାଣ୍ଡିଆକୁ ନେଇ ଯେଉଁ ମାସ୍କଟ୍‍ କରାଯାଇଛି ତାହା ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। ମାଣ୍ଡିଆ ଭଳି ଏକ ସାଧାରଣ ଖାଦ୍ୟ ଓଡ଼ିଶାର କୃଷି ଓ କୃଷକ ସଫଳତା ସହ କିଭଳି ଜଡ଼ିତ ଚଳିତ କୃଷି ଓଡ଼ିଶା ଦେଖିଲେ ତାହା ବୁଝିହେଉଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories