ଓଡ଼ିଶାରେ ହେବ ଦ୍ୱିତୀୟ ବିମାନବନ୍ଦର

0

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଟ୍ରାଫିକ ଭିଡ ହ୍ରାସ କରିବାକୁ ଏହି ବିମାନବନ୍ଦର ନିର୍ମାଣ କରାଯିବ। ବେସାମରିକ ବିମାନଚଳାଚଳ ନିର୍ଦେଶାଳୟର ନିଷ୍ପତ୍ତି ଅନୁଯାୟୀ ଫାଷ୍ଟଟ୍ରାକ୍‍ ଭିତ୍ତିରେ ଏହି ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ଭୁବନେଶ୍ୱର ନିକଟ ଖୋର୍ଦ୍ଧାରେ ଏହି ବିମାନବନ୍ଦର ହେବାର ଯୋଜନା ରହିଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ)ର ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ୩୯.୪% ବୃଦ୍ଧି ପାଇଛି। ୨୦୧୬-୧୭ରେ ଏହି ବିମାନବନ୍ଦରରେ ମୋଟ ୨୩,୩୨,୪୩୩ ଯାତ୍ରୀ ପରିବହନ ହୋଇଥିବାବେଳେ ୨୦୧୭-୧୮ରେ ଏହି ଯାତ୍ରୀ ସଂଖ୍ୟା ୩୨,୫୦,୬୩୫କୁ ବୃଦ୍ଧି ପାଇଥିଲା। ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସାଥୀ ବାଣିଜ୍ୟ, ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନିବେଦନ କରିଥିବା ଜଣାଯାଇଛି। ୧୯୬୨ରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏବେ ସ୍ଥାନର ଅଭାବ ଦେଖାଯାଇଛି। ବିଶେଷକରି ରନୱେ ପାଇଁ ସ୍ଥାନର ଅଭାବ ରହିଛି।

Leave A Reply