କଲକାତା : ଗୋଲାପି ବଲରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲ୍କାତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ଓ ଭାରତ ମଧ୍ୟରେ ଛାଲିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଛି । ଇଶାନ୍ତ ଶର୍ମା ଗୋଲାପି ବଲରେ ପ୍ରଥମ ୱିକେଟ୍ ନେଇଥିବା ବେଳେ ମୋଟ ୫ଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ବାଂଲାଦେଶର କୌଣସି ବ୍ୟାଟସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇ ନ ଥିଲେ। କେବଳ ସଦମାନ ଇସଲାମ ସର୍ବାଧିକ ୨୯ ରନ କରିଥିବା ବେଳେ ଲିଟନ ଦାସ ୨୪ ଓ ନୟିମ୍ ୧୯ ରନ କରିଥିଲେ।
ଉଭୟ ଦେଶ ମଧ୍ୟରେ ଚଳିତ ସିରିଜ୍ର ଏହି ଟେଷ୍ଟ ମ୍ୟାଚ୍ଟି ହେଉଛି ଏକ ଐତିହାସିକ ଦିବାରାତ୍ର ମ୍ୟାଚ୍। ଏଥିରେ ଲାଲ୍ ବଲ୍ ପରିବର୍ତ୍ତେ ଫ୍ଲଡ୍ ଲାଇଟରେ ସ୍ପଷ୍ଟଭାବେ ଦେଖା ଯାଉଥିବା ଗୋଲାପି ବଲ୍ର ବ୍ୟବହାର କରାଯାଉଛି। ଉଭୟ ଭାରତ ଓ ବାଂଲାଦେଶର ଖେଳାଳିମାନେ ଇଣ୍ଡୋର୍ ଷ୍ଟାଡିୟମରେ ରାତିରେ ଆଲୋକ ବ୍ୟବହାର କରି ଗୋଲାପି ବଲରେ ଖେଳିବା ଅଭ୍ୟାସ କରିଥିଲେ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଏବଂ ଭାରତୀୟ କ୍ରୀଡ଼ାଜଗତର ବିଶିଷ୍ଟ ବ୍ୟକ୍ତିମାନେ ଆଜି ଏହି ମ୍ୟାଚ୍ର ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ଥିଲେ। ଟେଷ୍ଟ ମ୍ୟାଚ୍ ଖେଳୁଥିବା ୧୨ଟି ରାଷ୍ଟ୍ର ମଧ୍ୟରୁ ୮ଟି ଦେଶ ପୂର୍ବରୁ ଗୋଲାପୀ ବଲରେ ଖେଳି ସାରିଛନ୍ତି। ଟେଷ୍ଟ ମ୍ୟାଚ୍ ଖେଳୁଥିବା ଏକ ପ୍ରମୁଖ ଦେଶ ଭାରତ ଏପର୍ଯ୍ୟନ୍ତ କୌଣସି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳି ନ ଥିଲା। ସେହିପରି ବାଂଲାଦେଶ ମଧ୍ୟ ଆଜି ଗୋଲାପି ବଲରେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳୁଛି।
ଚଳିତ ସିରିଜର ଏହା ୨ୟ ଟେଷ୍ଟ ମ୍ୟାଚ, ହୋଇଥିବା ବେଳେ ଭାରତ ପ୍ରଥମ ଟେଷ୍ଟ ଜିତି ୧-୦ରେ ଆଗୁଆ ରହିଛି।



