www.samajalive.in
Friday, December 12, 2025
17.1 C
Bhubaneswar

୧୦ଦଫା ଦାବି ପୂରଣ ନହେଲେ ସରକାରୀ ନିର୍ମାଣ କାର୍ଯ୍ୟ ବନ୍ଦ : ଠିକାଦାର ମହାସଂଘ

ପିପିଲି : ସରକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାରଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ କରାଯାଇଥିବା ୧୦ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲାରେ ସରକାରୀ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ପୁରୀ ଜିଲା ଠିକାଦାର ମହାସଂଘ ନିଷ୍ପତ୍ତି ନେଇଛି। ନିଖିଳ ଓଡିଶା ଠିକାଦାର ମହାସଂଘର ପୁରୀ ଜିଲା କମିଟି ପକ୍ଷରୁ ସ୍ଥାନୀୟ ବ୍ଲକଛକ ସ୍ଥିତ ଶ୍ରୀକ୍ରୀଷ୍ଣା ଗାର୍ଡେନ ଠାରେ ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲାର ଠିକାଦାରମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ପୁରୀ ଜିଲାର ବରିଷ୍ଠ ଠିକାଦାର ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନିଖିଳ ଓଡିଶା ଠିକାଦାର ମହାସଂଘର ରାଜ୍ୟ ସଭାପତି ପ୍ରଭାତ ଦାଶ, ଉପସଭାପତି ଅନୀଲ ମାହାଲି, ସାଧାରଣ ସଂପାଦକ ଭାଗ୍ୟଧର ଦାଶ, କୋଷାଧ୍ୟକ୍ଷ ନିଖିଳେଶ୍ୱର ସାହୁ, ଜିଲାର ବରିଷ୍ଠ ଠିକାଦାର ପ୍ରତାପ ଚନ୍ଦ୍ର ପରିଡା, ଅନିରୁଦ୍ଧ ବାରିକ, ସୁରେଶ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଠିକାଦାରଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟର ଠିକାଦାରମାନଙ୍କୁ ୨୦୧୪ର ସ୍ଥିରିକୃତ ସିଡୁଲ୍ଡ ରେଟ୍‍ ଠାରୁ ୧୪.୯୯ ପ୍ରତିଶତ କମ୍‍ରେ କାମ କରିବାକୁ ବାଧ୍ୟ କରାଯାଉଥିବା ବେଳେ ଓଡିଶା ବାହାର ଠିକାଦାରଙ୍କୁ ସେମାନଙ୍କ ସ୍ଥିରିକୃତ ରେଟ୍‍ ଅନୁଯାଇ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉଥିବା ନେଇ ସେମାନେ ଗୁରୁତର ଅଭିଯୋଗ କରିଥିଲେ। ରାଜ୍ୟରେ ୮୦ପ୍ରତିଶତ ସରକାରୀ ନିର୍ମାଣ କାର୍ଯ୍ୟ ବାହାର ରାଜ୍ୟର ଠିକାଦାରମାନେ କରୁଥିବା ବେଳେ ଓଡିଆ ଠିକାଦାରମାନେ ମାତ୍ର ୨୦ ପ୍ରତିଶତ କାମ ପାଉଛନ୍ତି। ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ମଜୁରୀ ବାବଦରେ ୨୮୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରକୃତରେ ଜଣେ ଶ୍ରମିକଙ୍କୁ ଠିକାଦାରଙ୍କ ପକ୍ଷରୁ ୩୮୦ରୁ ୪୫୦ଟଙ୍କା ମଜୁରୀ ପ୍ରଦାନ କରାଯାଉଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ଖଣି ଓ ବାଲିଘାଟକୁ ନିଲାମ କରାଯାଉନଥିବା ଯୋଗୁଁ ମୋରମ, ମେଣ୍ଟାଲ ଓ ଚିପ୍ସ ସମେତ ବାଲି ଆଣିବା ସମୟରେ ଠିକାଦାରଙ୍କୁ ଜିଏସ୍‍ଟି ବିଲ୍‍ ମିଳିବାରେ ସମସ୍ୟା ସୃଷ୍ଟି ହେଉଛି। ଫଳରେ ସେମାନେ ବିଲ୍‍ ପାଇବାରେ ଅସୁବିଧାର ସମ୍ମୁଖିନ ହେଉଥିବା ବୈଠକରେ ଗୁରୁତର ଅଭିଯୋଗ ହୋଇଥିଲା। ସୁତରାଂ ନିଖିଳ ଓଡିଶା ଠିକାଦାର ମହାସଂଘର ନିଷ୍ପତ୍ତି ଅନୁଯାଇ ଠିକାଦାରଙ୍କ ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୨୦୧୪ର ସ୍ଥିରିକୃତ ସିଡୁଲ୍ଡ ରେଟ୍‍କୁ ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ କରାଯିବା, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟାବୁକ୍‍ ଓ ଟେଣ୍ଡର ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା, ରାଜ୍ୟରେ ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟରେ ସ୍ଥିରିକୃତ ସିଡୁଲ୍ଡ ରେଟ୍‍ରୁ ୧୪.୯୯ ପ୍ରତିଶତ ଅର୍ଥ କଟାଯାଉଥିବା ନିୟମକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯିବା, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସଂପର୍କିତ ନିର୍ଦ୍ଦେଶ ଅନୁଯାଇ ଠିକାଦାରଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା, ଶ୍ରମିକ ମଜୁରୀର ଉଚିତ୍‍ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍‍ ସଂପର୍କିତ ପ୍ରାପ୍ୟ ପ୍ରଦାନ କରାଯିବା, ତେଲେଙ୍ଗନା ସରକାରଙ୍କ ନୀତି ଅନୁଯାଇ ଜିଏସ୍‍ଟି ପାଇଁ ୧୦ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ କରାଯିବା, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁଯାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା, ପୂର୍ବ ବ୍ୟବସ୍ଥା ଅନୁଯାଇ ବିଭିନ୍ନ ସଞ୍ଚୟପତ୍ର ମାଧ୍ୟମରେ ସିକ୍ୟୁରିଟି ବ୍ୟବସ୍ଥା କରାଯିବା ଓ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତିପତ୍ର ଏବଂ ରୟାଲିଟି ରସିଦ୍‍ ସଂପର୍କିତ ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆଦି ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପଠାଯାଇଥିଲା। ଏଥିରେ ଜିଲାର ୪୩୭ଜଣ ଠିକାଦାର ଯୋଗ ଦେଇ ସଂଘର ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲାରେ କୌଣସି ସରକାରୀ ନିର୍ମାଣ କାର୍ଯ୍ୟ ନକରିବାକୁ ସଂକଳ୍ପ ନେଇଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories