www.samajalive.in
Friday, December 12, 2025
23.1 C
Bhubaneswar

କୁଳଭୂଷଣ ଯାଦବ ମାମଲାରେ ଜାତିସଂଘକୁ ଆଇସିଜେର ରିପୋର୍ଟ ; ଭିଏନା ସନ୍ଧି ଉଲ୍ଲଙ୍ଘନ କରିଛି ପାକିସ୍ତାନ

ଜାତିସଙ୍ଘ :  କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନକୁ ପୁଣି ବଡ଼ ଧକ୍କା ଲାଗିଛି। ଏହା ଭିଏନା ସନ୍ଧିର ଉଲ୍ଲଙ୍ଘନ କରିଥିବା ନେଇ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ) ଜାତିସଙ୍ଘ ସାଧାରଣ ପରିଷଦକୁ ବିଧିବଦ୍ଧ ଭାବେ ଅବଗତ କରିଛି। ଆଇସିଜେ ଅଧ୍ୟକ୍ଷ ଅବଦୁଲକାୱି ୟୁସୁଫ ବୁଧବାର ଜାତିସଙ୍ଘକୁ ପ୍ରଦାନ କରିଥିବା ରିପୋର୍ଟରେ ଜଣାଇଛନ୍ତି ଯେ ଭିଏନା ସନ୍ଧି ପାଳନ କ୍ଷେତ୍ରରେ ପାକିସ୍ତାନ ନିଜର ଦାୟିତ୍ବ ଉଲ୍ଲଙ୍ଘନ କରିଛି। ଜୁଲାଇ ୧୭ରେ ଆଇସିଜେ ପକ୍ଷରୁ ଉକ୍ତ ମାମଲାରେ ଯେଉଁ ରାୟ ପ୍ରଦାନ କରାଯାଇଥିଲା ତାହାକୁ ପାକିସ୍ତାନ ପାଳନ କରି ନାହିଁ। କୁଳଭୂଷଣଙ୍କୁ ପାକିସ୍ତାନୀ ସେନା ଅଦାଲତ ଦେଇଥିବା ଫାଶୀଦଣ୍ଡାଦେଶର ସମୀକ୍ଷା ତଥା ପୁନର୍ବିଚାର କରିବାକୁ ଚଳିତ ବର୍ଷ ଜୁଲାଇ ୧୭ରେ ଆଇସିଜେ ରାୟ ଦେଇଥିଲେ। ପାକିସ୍ତାନ ସରକାର ଏହି ରାୟକୁ ପାଳନ କରି ନ ଥିବାବେଳେ କୁଳଭୂଷଣଙ୍କୁ କୂଟନୈତିକ ସାନ୍ନିଧ୍ୟ ବା ଦୂତାବାସ ସହାୟତା ଯୋଗାଇ ଦେବା ପାଇଁ ଆଇସିଜେ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ମଧ୍ୟ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଛି। ଭିଏନା ସନ୍ଧିର ଅନୁଚ୍ଛେଦ ୩୬ ଅନୁସାରେ ପାକିସ୍ତାନ ଏ କ୍ଷେତ୍ରରେ ନିଜର ଦାୟିତ୍ବ ନିର୍ବାହ କରି ନ ଥିବାରୁ ଏହାକୁ ସ୍ପଷ୍ଟ ଉଲ୍ଲଙ୍ଘନ ଭାବେ ଧରାଯିବ। ଏହାର ଉପଯୁକ୍ତ ପ୍ରତିବିଧାନ କରାଯିବା ଆବଶ୍ୟକ ବୋଲି ଆଇସିଜେ ଅଧ୍ୟକ୍ଷ ୟୁସୁଫ ଉଲ୍ଲେଖ କରିଛନ୍ତି। ଭାରତ ପାଇଁ ଆଇସିଜେର ଏହି ରିପୋର୍ଟ ଅତ୍ୟନ୍ତ ମୂଲ୍ୟବାନ ଓ ବିଜୟ ସଦୃଶ।
ଭାରତୀୟ ନୌବାହିନୀର ଅବସରପ୍ରାପ୍ତ ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ଇରାନରୁ ଅପହରଣ କରିନେଇଥିଲେ ଓ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରି ଅତି ତରବରିଆ ଭାବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପାକିସ୍ତାନର
ସେନା ଅଦାଲତ ଏକପାଖିଆ ଭାବେ କୁଳଭୂଷଣଙ୍କ ବିଚାର କରି ୨୦୧୭ ଏପ୍ରିଲରେ ତାଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିଲା। ଭାରତ ଏହା ବିରୋଧରେ ଆଇସିଜେର ଦ୍ବାରସ୍ଥ ହୋଇଥିଲା। ପାକିସ୍ତାନ ଏହି ମାମଲାରେ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇ ଦିଆଯାଇ ନ ଥିବାରୁ ଏହା ୧୯୬୩ର ଭିଏନା ସନ୍ଧିର ଉଲ୍ଲଙ୍ଘନ କରିଥିବା ଦର୍ଶାଇ କୁଳଭୂଷଣଙ୍କ ଫାଶୀଦଣ୍ଡାଦେଶ ଉପରେ ରହିତାଦେଶ ଦାବି କରିଥିଲା। ଜଷ୍ଟିସ ୟୁସୁଫଙ୍କ ଅଧ୍ୟକ୍ଷତାରେ ଆଇସିଜେର ପୂର୍ଣ୍ଣ ଅଦାଲତ ମାମଲାର ଶୁଣାଣି ପୂର୍ବକ ପାକିସ୍ତାନକୁ ଫାଶୀଦଣ୍ଡାଦେଶର ସମୀକ୍ଷା ତଥା ପୁନର୍ବିଚାର କରିବାକୁ ନିର୍ଦେଶ ଦେଇଥିଲେ। ଏଥିସହିତ ତାଙ୍କୁ ଦୂତାବାସ ଯୋଗାଯୋଗ ସୁବିଧା ଯୋଗାଇବାକୁ ମଧ୍ୟ ନିର୍ଦେଶ ଦେଇଥିଲେ। ଆଇସିଜେରେ ୧୫ଜଣ ବିଚାରପତି ଏହି ରାୟକୁ ସମର୍ଥନ କରିଥିଲାବେଳେ ଜଣେ ବିରୋଧ କରିଥିଲେ। ଭାରତ ଏହି ରାୟକୁ ସ୍ବାଗତ କରିଥିଲା।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଜୁଲାଇ ୧୭ ରାୟକୁ ପୂର୍ଣ୍ଣାଙ୍ଗ ଭାବେ ପାଳନ କରିବା ପାଇଁ ପାକିସ୍ତାନ ସରକାର ଆଇସିଜେକୁ ଏକ ପତ୍ର ଲେଖିଥିଲେ; ଯାହା ଅଗଷ୍ଟ ୧ରେ ଆଇସିଜେର ହସ୍ତଗତ ହୋଇଥିଲା; କିନ୍ତୁ ବାସ୍ତବରେ ଏହାର ପରିପନ୍ଥୀ କାର୍ଯ୍ୟ କରିଆସିଛି। ପାକିସ୍ତାନ ଅଦ୍ୟାବଧି ଦଣ୍ଡାଦେଶର ସମୀକ୍ଷା କରି ନ ଥିବାବେଳେ ଧର୍ମକୁ ଅଖିଠାର ଭଳି ଥରେ ମାତ୍ର ଦୂତାବାସ ଯୋଗାଯୋଗ କରାଇଛି। ଜଷ୍ଟିସ ୟୁସୁଫ ଏହି ମାମଲା ସମ୍ପର୍କରେ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଙ୍ଘ ସାଧାରଣ ପରିଷଦକୁ ନିଜର ରିପୋର୍ଟ ପ୍ରଦାନବେଳେ ରାୟର ବିସ୍ତୃତ ବ୍ୟାଖ୍ୟା ସହ ପାକିସ୍ତାନ କିଭଳି ଏହାର ଅବମାନନା କରିଛି ତାହା ଉଲ୍ଲେଖ କରିଛନ୍ତି। କୁଳଭୂଷଣଙ୍କୁ ପାକିସ୍ତାନ ‘ଗୁପ୍ତଚର’ ବୋଲି ଦର୍ଶାଇଛି; କିନ୍ତୁ ଭିଏନା ସନ୍ଧିରେ ଏଭଳି କିଛି ଶବ୍ଦ ନାହିଁ; ଯାହା ଦ୍ବାରା ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିବା ସହ ତାଙ୍କୁ କୂଟନୈତିକ ସାନ୍ନିଧ୍ୟରୁ ବଞ୍ଚିତ କରାଯିବ। ଏହି ପରିପ୍ରେକ୍ଷୀରେ କୁଳଭୂଷଣଙ୍କୁ କୂଟନୈତିକ ସାନ୍ନିଧ୍ୟ ପ୍ରଦାନ ନ କରି ପାକିସ୍ତାନ ଭିଏନା ସନ୍ଧିର ଅନୁଚ୍ଛେଦ ୩୬କୁ ଉଲ୍ଲଙ୍ଘନ କରିଛି। ତା’ଛଡ଼ା ଯାବଦଙ୍କୁ ଗିରଫ କରିବାର ତିନି ସପ୍ତାହ ବିଳମ୍ବରେ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବା ଓ ଭାରତକୁ ଅବଗତ ନ କରିବା ମଧ୍ୟ ଏକ ଭୁଲ୍‌। ଏହା ମଧ୍ୟ ଭିଏନା ସନ୍ଧିର ଉଲ୍ଲଙ୍ଘନ କରୁଛି। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ୟୁସୁଫ ୨୦୦୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ପାକିସ୍ତାନ ଏହି ଚୁକ୍ତିର ଭୁଲ୍‌ ତର୍ଜମା କରୁଥବା ସେ ଦର୍ଶାଇଛନ୍ତି।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories