ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମତ ଦେବାପାଇଁ ଦିଲ୍ଲୀ ହାଇକୋର୍ଟ ଏମ୍ସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ୍ ବୋର୍ଡ଼ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୋର୍ଡ଼ରେ ହାଇଦ୍ରାବାଦ ସ୍ଥିତ ପେଟରୋଗ ବିଶେଷଜ୍ଞ ଡାକ୍ତର ନାଗେଶ୍ୱର ରେଡ୍ଡୀଙ୍କୁ ସାମିଲ୍ କରିବାପାଇଁ କହିଛନ୍ତି । ବର୍ତ୍ତମାନ ତିହାର ଜେଲରେ ଥିବା ଚିଦମ୍ବରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମତ ଦେବାପାଇଁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲରେ ଥିବା ଶ୍ରୀ ଚିଦମ୍ବରମ୍ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପାଇଁ ଆବେଦନ କରିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟରେ ଦିନକୁ ଦିନ ଅବନତି ଘଟୁଛି ଏବଂ ତାଙ୍କପାଇଁ ଏକ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି। ବିଚାରପତି ସୁରେଶ କେଟ୍ କହିଛନ୍ତି, ଏହି ବୋର୍ଡ଼ ଗୁରୁବାର ଚିଦାମ୍ବରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଛି ଏବଂ ଶୁକ୍ରବାର କୋର୍ଟ ସମ୍ମୁଖରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବ।



