www.samajalive.in
Saturday, December 13, 2025
17.1 C
Bhubaneswar

ବିସିସିଆଇ କର୍ମକର୍ତ୍ତା ଦୌଡ଼ରେ ଗାଙ୍ଗୁଲି, ବ୍ରିଜେଶ, ଆଝାର

ନୂଆଦିଲ୍ଲୀ : ଚଳିତମାସ ୨୩ରେ ଭାରତୀୟ କ୍ରିକେଟ  କଣ୍ଟ୍ରୋଲ‌ ବୋର୍ଡ (ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। କ୍ରିକେଟ୍‌ରେ ସଂସ୍କାର ପାଇଁ ଲୋଧା କମିଟି ସୁପାରିସ ଲାଗୁ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ବିସିସିଆଇର ଏହା ପ୍ରଥମ ନିର୍ବାଚନ ହେବ। ଏଥିପାଇଁ ଏବେଠାରୁ ସଜବାଜ ଆରମ୍ଭ ହୋଇଗଲାଣି। ଏଯାବତ୍ ଯାହା ପୂର୍ବ ସୂଚନା ମିଳିଛି; ରାଜନେତା ଓ ଶିଳ୍ପପତିଙ୍କ ଅପେକ୍ଷା ଏଥର କିଛି ପୂର୍ବତନ କ୍ରିକେଟର ବିସିସିଆଇ ପରିଚାଳନାରେ ସାମିଲ ହୋଇପାରନ୍ତି। ଜାଣିବାକୁ ମିଳିଛି ଯେ ବିସିସିଆଇ କର୍ମକର୍ତ୍ତା ହେବା ପାଇଁ ସମ୍ଭାବ୍ୟ ତାଲିକାରେ ଅଛନ୍ତି ଦୁଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ମହମ୍ମଦ ଆଝାରୁଦ୍ଦିନ ଏବଂ ପୂର୍ବତନ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ବ୍ରିଜେଶ ପଟେଲ।

ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷିତ ହୋଇଥିବା ନିର୍ବାଚନ ପାଇଁ ଭୋଟର ତାଲିକାରେ ଯେଉଁ ପ୍ରମୁଖ ବ୍ୟକ୍ତିତ୍ବମାନେ ରହିଛନ୍ତି; ସେମାନେ ହେଲେ ଗାଙ୍ଗୁଲି, ଆଝାରୁଦ୍ଦିନ୍, ବ୍ରିଜେଶ ପଟେଲ, ଜୟ ଶାହା (ଗୁଜରାଟ କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ତଥା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ), ଅରୁଣ ଧୁମଲ (ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ), ରାଜୀବ ଶୁକ୍ଳା (ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ), ରଜତ ଶର୍ମା (ନାମୀ ସାମ୍ବାଦିକ ତଥା ଦିଲ୍ଲୀ ଏଣ୍ଡ୍‌ ଡିଷ୍ଟ୍ରିକ୍‌ଟସ କ୍ରିକେଟ ଆସୋସିଏସନ୍‌ ସଭାପତି), ଜୟଦେବ ଶାହା (ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ସଭାପତି ତଥା ପୂର୍ବତନ ବିସିସିଆଇ ସମ୍ପାଦକ ନିରଞ୍ଜନ ଶାହାଙ୍କ ପୁଅ) ପ୍ରଭୃତି। ସୂଚନାଯୋଗ୍ୟ; ସେମାନଙ୍କ ନିର୍ବାଚନ ସମ୍ପନ୍ନକରି ବିସିସିଆଇ ଏଜିଏମ୍‌ ପାଇଁ ନାମ ପଠାଇବା ଲାଗି ଶୁକ୍ରବାର ଅନ୍ତିମ ଦିନ ଥିଲା। ଅଦ୍ୟାବଧି ୩୮ଟି ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିଙ୍କ ନାମ ବିସିସିଆଇର ନିର୍ବାଚନ ଅଧିକାରୀ ଏନ୍‌. ଗୋପାଳସ୍ବାମୀଙ୍କ ପାଖରେ ରହିଛି। ଅକ୍ଟୋବର ୧୦ରେ ଗୋପାଳସ୍ବାମୀ ବିସିସିଆଇର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ। ଏହାପରେ ବିଭିନ୍ନ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଲାଗି ସେମାନଙ୍କ ପ୍ରାର୍ଥିତ୍ବ ଦାଖଲ କରିବେ। ନିର୍ବାଚନର ଠିକ୍ ସପ୍ତାହେ ପୂର୍ବରୁ; ଅର୍ଥାତ୍ ଅକ୍ଟୋବର ୧୬ରେ କେଉଁ ପଦ ପାଇଁ କିଏ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି; ବିସିସିଆଇ ତା’ର ତାଲିକା ପ୍ରକାଶ କରିବ।
ଅକ୍ଟୋବର ୨୩ରେ ବିସିସିଆଇର ୫ଟି କର୍ମକର୍ତ୍ତା- ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ସହ ଆପେକ୍ସ କାଉନ୍‌ସିଲର ଜଣେ ସଦସ୍ୟ ଏବଂ ଆଇପିଏଲ୍‌ ପରିଚାଳନା ପରିଷଦର ୨ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ। କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି)ର ସଭାପତି ନିର୍ବାଚିତ ହୋଇଥିବା ସୌରଭ ଗାଙ୍ଗୁଲି ପୂର୍ବରୁ ବିସିସିଆଇର ଏଜିଏମ୍ ନିର୍ବାଚିତ ହୋଇଥିବା ବେଳେ କେବେ କର୍ମକର୍ତ୍ତା ହେବା ପାଇଁ ଲଢ଼ିନାହାନ୍ତି। ତେବେ ଏଥର ଦେଖିବାର କଥା ଯେ ଗାଙ୍ଗୁଲି କର୍ମକର୍ତ୍ତା ନିର୍ବାଚନ ଲଢ଼ୁଛନ୍ତି କି ନାହିଁ। କାରଣ ଯଦି ବା ଗାଙ୍ଗୁଲି ନିର୍ବାଚିତ ହୁଅନ୍ତି; ତେବେ ଲୋଧା କମିଟି ସୁପାରିସ ଅନୁସାରେ ସେ ମାତ୍ର ୧୦ ମାସ କର୍ମକର୍ତ୍ତା ରହିପାରିବେ। ଆଝାରୁଦ୍ଦିନ୍ ପୂର୍ବରୁ କଦାପି ବିସିସିଆଇ ଏଜିଏମ୍‌କୁ ଯାଉନାହାନ୍ତି। ପୂର୍ବରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଆଝାରୁଦ୍ଦିନ ବିସିସିଆଇ ନିର୍ବାଚନ ଲଢ଼ିପାରନ୍ତି। ପ୍ରାକ୍ତନ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ବ୍ରିଜେଶ ପଟେଲ କର୍ଣ୍ଣାଟକ ଓ ରାଜୀବ ଶୁକ୍ଳା ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ୍ ପ୍ରତିନିଧି ଭାବେ ବିସିସିଆଇ ଏଜିଏମ୍‌କୁ ମନୋନୀତ ହୋଇଛନ୍ତି। ତେବେ ବ୍ରିଜେଶ ପଟେଲ ଓ ଶୁକ୍ଳା ସେମାନଙ୍କ ରାଜ୍ୟ କ୍ରିକେଟ ଆସୋସିଏସନ୍ ନିର୍ବାଚନ ଲଢ଼ି ନଥିଲେ ମଧ୍ୟ ସେମାନଙ୍କ ପ୍ରଭାବ ବଳରେ ବିସିସିଆଇକୁ ଆସିଛନ୍ତି। ତେବେ ଦୁହେଁ ବିସିସିଆଇର କର୍ମକର୍ତ୍ତା ହୋଇପାରିବେ କି ନାହିଁ; ତାହାର ନିଷ୍ପତ୍ତି ଗୋପାଳସ୍ବାମୀ ନେବେ। କାରଣ ପଟେଲ ଓ ଶୁକ୍ଳା ଦୀର୍ଘ ବର୍ଷ ସେମାନଙ୍କ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର କର୍ମକର୍ତ୍ତା ରହିଛନ୍ତି। ତେବେ ବିସିସିଆଇ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଶାସକ କମିଟି (ସିଓଏ) ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁ ରାଜ୍ୟର ନୂତନ ସମ୍ବିଧାନ ଲୋଧା କମିଟି ସୁପାରିସ ଅନୁସାରେ ବୈଧ ଘୋଷିତ ହୋଇନଥିବ; ସେହି ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧି ଭୋଟ ଦେଇପାରିବେ ନାହିଁ କିମ୍ବା କର୍ମକର୍ତ୍ତା ଭାବେ ଲଢ଼ିପାରିବେ ନାହିଁ। ଏଣେ ବିସିସିଆଇର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନ୍ ସିଓଏର ନିର୍ଦେଶକୁ ଚ୍ୟାଲେଞ୍ଜ୍ କରିଛନ୍ତି ଏବଂ ନିର୍ବାଚନ ଅଧିକାରୀ ଗୋପାଳସ୍ବାମୀଙ୍କୁ ଜଣାଇ ଦେଇଛନ୍ତି ଯେ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍‌ର ସମ୍ବିଧାନ ବୈଧ ଅଛି ଏବଂ ସେ ବିସିସିଆଇର ଏଜିଏମ୍‌ରେ ଯୋଗଦେବେ ଏବଂ ନିର୍ବାଚନ ମଧ୍ୟ ଲଢ଼ିପାରନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories