www.samajalive.in
Monday, December 8, 2025
14.1 C
Bhubaneswar

ମନ୍‍ କି ବାତରେ ଲତାଙ୍କୁ ମନେ ପକାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରସାରିତ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକରଙ୍କୁ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ,’ଆଜି ମନ କି ବାତରେ ସାମିଲ ହୋଇଛନ୍ତି ଦେଶର ଜଣେ ମହାନ ବ୍ୟକ୍ତିତ୍ୱ, ମୁଁ ତାଙ୍କ କଥା ବି କହିବି। ଆମ ସମସ୍ତ ଭାରତବାସୀଙ୍କ ହୃଦୟରେ ତାଙ୍କ ପ୍ରତି ଖୁବ୍‍ ସମ୍ମାନ ରହିଛି, ବହୁତ ଆନ୍ତରିକତା ରହିଛି। ଭାରତର ଏମିତି କୌଣସି ନାଗରିକ ନ ଥିବେ, ଯାହାଙ୍କ ମନରେ ତାଙ୍କ ପାଇଁ ଆଦର ବା ସମ୍ମାନ ଭାବ ନ ଥିବ। ସେ ବୟସରେ ଆମ ସମସ୍ତଙ୍କଠାରୁ ବେଶ୍‍ ବଡ଼ ଏବଂ ଦେଶର ଭିନ୍ନ ଭିନ୍ନ ପରିସ୍ଥିତି, ଭିନ୍ନ ଭିନ୍ନ ସମୟର ସେ ସାକ୍ଷୀ ରହିଛନ୍ତି। ଆମେ ତାଙ୍କୁ ଦିଦି ଡାକୁ,  ଲତା ଦିଦି। ଏଇ ସେପ୍ଟେମ୍ବର ୨୮ ତାରିଖ ଦିନ ସେ ୯୦ ବର୍ଷରେ ପଦାର୍ପଣ କରିଛନ୍ତି।’

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ,’ବିଦେଶ ଯାତ୍ରାରେ ବାହାରିବା ପୂର୍ବରୁ ମୋତେ ଦିଦିଙ୍କ ସହ ଫୋନରେ କଥା ହେବାର ସୌଭାଗ୍ୟ ମିଳିଥିଲା। ସେହି ବାର୍ତାଳାପ ଜଣେ ସାନ ଭାଇ ସ୍ନେହରେ ନିଜ ବଡ଼ ଭଉଣୀ ସହ କଥା ହେବ ଭଳି ଥିଲା। ମୁଁ ଏଭଳି ବ୍ୟକ୍ତିଗତ ବାର୍ତାଳାପ ସମ୍ପର୍କରେ କେବେ ହେଲେ ଚର୍ଚ୍ଚା କରେନି, କିନ୍ତୁ ଆଜି ଚାହୁଁଛି ଯେ, ଆପଣ ମଧ୍ୟ ଲତା ଦିଦିଙ୍କ କଥା ଶୁଣନ୍ତୁ, ଆଉ ସେହି ବାର୍ତାଳାପଟିକୁ ଶୁଣନ୍ତୁ। ଶୁଣନ୍ତୁ, କେମିତି ବୟସର ଏ ସୋପାନରେ ବି ଲତା ଦିଦି, ଦେଶ ସହ ଜଡ଼ିତ ସବୁ କଥା ପାଇଁ ଉତ୍ସୁକ, ତତ୍ପର ଏବଂ ଭାରତର ପ୍ରଗତିରେ, ବଦଳୁଥିବା ଭାରତରେ, ନୂତନ ଶିଖରକୁ ସ୍ପର୍ଶ କରୁଥିବା ଭାରତରେ ହିଁ ତାଙ୍କ ଜୀବନର ସନ୍ତୁଷ୍ଟି।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ଓ ଲତା ମଙ୍ଗେଶକରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଏମିତି କିଛି ଥିଲା…
ମୋଦୀ ଜୀ : ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦୀ କହୁଛି
ଲତା ଜୀ : ପ୍ରଣାମ
ମୋଦୀ ଜୀ : ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଆଗୁଆ ଅଭିନନ୍ଦନ ଜଣାଉଛି। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ, ଆପଣଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଥାଉ, କେବଳ ଏତିକି ପ୍ରାର୍ଥନା। ଆପଣଙ୍କୁ ପ୍ରଣାମ କରିବା ପାଇଁ ମୁଁ ଆମେରିକା ଯିବା ଆଗରୁ ହିଁ ଆପଣଙ୍କୁ ଫୋନ କରିଦେଲି।
ଲତା ଜୀ : ଆପଣଙ୍କ ଫୋନ ଆସିବ “ଏ କଥା ଶୁଣି ମୁଁ ଖୁବ ଆତୁର ଥିଲି। ଆପଣ, କେବେ ଫେରିବେ?
ମୋଦୀ ଜୀ : ମୁଁ ୨୮ ତାରିଖ ବିଳମ୍ବିତ ରାତିରେ, ୨୯ ତାରିଖ ସକାଳୁ ପହଂଚିବି, ଆଉ ସେତେବେଳକୁ ଆପଣଙ୍କ ଜନ୍ମଦିନ ଚାଲିଯାଇଥିବ।
ଲତା ଜୀ : ଆଚ୍ଛା ଆଚ୍ଛା। ଜନ୍ମଦିନ କ’ଣ ପାଳନ କରିବି, କେବଳ ଘରେ ହିଁ ସମସ୍ତଙ୍କ ସହ
ମୋଦୀ ଜୀ : ଦିଦି, ଦେଖନ୍ତୁ, ମୋତେ ତ …
ଲତା ଜୀ : ଆପଣଙ୍କ ଆଶୀର୍ବାଦ ମିଳନ୍ତା . . .
ମୋଦୀ ଜୀ : ଆପଣ ତ ଆମଠାରୁ ବଡ଼। ଆମେ ଆପଣଙ୍କ ଆଶୀର୍ବାଦ ଭିକ୍ଷା କରୁଛୁ।
ଲତା ଜୀ : ବୟସରେ ତ ବହୁତ ଲୋକ ବଡ଼ ହୋଇଥାନ୍ତି, କିନ୍ତୁ ନିଜ କାମକୁ ନେଇ ଯିଏ ବଡ଼ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ଖୁବ ବଡ଼ କଥା।
ମୋଦୀ ଜୀ : ଦିଦି, ଆପଣ ବୟସରେ ବି ବଡ଼, ଆଉ କାମରେ ବି ବଡ଼। ଆଉ, ଆପଣ ଯେଉଁ ସଫଳତା ହାସଲ କରିଛନ୍ତି, ତା’ ନିଜ ସାଧନା ଆଉ ତପସ୍ୟା ବଳରେ ପାଇଛନ୍ତି।
ଲତା ଜୀ : ଆଜ୍ଞା, ମୁଁ ତ ଭାବୁଛି, ଇଏ ମୋ ପିତା-ମାତାଙ୍କ ଆଶୀର୍ବାଦ ଆଉ ମୋ ଶ୍ରୋତାମାନଙ୍କ ଆଶୀର୍ବାଦ। ମୁଁ କିଛି ନୁହଁ।
ମୋଦୀ ଜୀ : ଆଜ୍ଞା, ଆପଣଙ୍କର ଏଇ ନମ୍ରତା ହିଁ, ଆମ ନୂଆ ପିଢ଼ିର ସମସ୍ତଙ୍କ ପାଇଁ ବହୁତ ବଡ଼ ଶିକ୍ଷା, ଆମ ପାଇଁ ବହୁତ ବଡ଼ ପ୍ରେରଣା। ଜୀବନରେ ଆପଣ ଏତେ ସବୁ ହାସଲ କରିବା ପରେ ମଧ୍ୟ ପିତା-ମାତାଙ୍କ ସଂସ୍କାର ଆଉ ନମ୍ରତାକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି।
ଲତା ଜୀ : ଆଜ୍ଞା।
ମୋଦୀ ଜୀ : ଆଉ ମୋତେ ଖୁସି ଲାଗେ, ଯେତେବେଳେ ଗର୍ବର ସହ ଆପଣ କହନ୍ତି ଯେ, ମା’ ଗୁଜରାଟୀ ଥିଲେ . . .
ଲତା ଜୀ : ଆଜ୍ଞା।
ମୋଦୀ ଜୀ : ଆଉ, ମୁଁ ଯେବେ ବି ଆପଣଙ୍କ ପାଖକୁ ଯାଇଛି
ଲତା ଜୀ : ଆଜ୍ଞା,
ମୋଦୀ ଜୀ : ଆପଣ ମୋତେ କିଛି ନା କିଛି ଗୁଜରାଟୀ ଖାଦ୍ୟ ଖୁଆଇଛନ୍ତି।
ଲତା ଜୀ : ଆଜ୍ଞା। ଆପଣ କ’ଣ, ତାହା ଆପଣ ନିଜେ ଜାଣିନାହାନ୍ତି। ମୁଁ ଜାଣିଛି ଯେ, ଆପଣଙ୍କ ଆସିବାରୁ ଭାରତର ଚିତ୍ର ବଦଳୁଛି। ଆଉ, ସେଥିରେ ମୋତେ ବହୁତ ଖୁସି ଲାଗୁଛି। ବହୁତ ଭଲ ଲାଗୁଛି।
ମୋଦୀ ଜୀ : ହଉ ଦିଦି, ଆପଣଙ୍କ ଆଶୀର୍ବାଦ ରହିଥାଉ, ସମଗ୍ର ଦେଶ ଉପରେ ଆପଣଙ୍କ ଆଶୀର୍ବାଦ ରହିଥାଉ। ଆମଭଳି ଲୋକ କିଛି ନା କିଛି ଭଲ କାମ କରୁଥାନ୍ତୁ। ମୋତେ ଆପଣ ସବୁବେଳେ ପ୍ରେରଣା ଦେଇଛନ୍ତି। ଆପଣଙ୍କ ଚିଠିଗୁଡ଼ିକ ବି ମୋତେ ମିଳୁଛି। ଆପଣଙ୍କର କିଛି ନା କିଛି ଉପହାର ମଧ୍ୟ ମୋତେ ମିଳୁଛି। ଏ ଯେଉଁ ଆନ୍ତରିକତା, ଯେମିତି ଗୋଟିଏ ପାରିବାରିକ ସମ୍ପର୍କ ରହିଛି ତାହା ମୋତେ ବିଶେଷ ଆନନ୍ଦ ଦେଉଛି।
ଲତା ଜୀ : ଆଜ୍ଞା ଆଜ୍ଞା। ନା! ମୁଁ ଆପଣଙ୍କୁ ଅଧିକ କଷ୍ଟ ଦେବାକୁ ଚାହୁଁନି। କାରଣ, ମୁଁ ଦେଖୁଛି, ଜାଣୁଛି, ଆପଣଙ୍କର କେତେ କାମ ରହୁଛି, ଆପଣ କେତେ ବ୍ୟସ୍ତ ରହୁଛନ୍ତି। କେତେ କ’ଣ ଭାବିବାକୁ ପଡ଼ୁଛି। ଆପଣ ଯେତେବେଳେ ଯାଇ ନିଜ ମା’ଙ୍କ ପାଦ ଛୁଇଁ ଆସିଲେ, ଏହାଦେଖି ମୁଁ ମଧ୍ୟ ଜଣଙ୍କୁ ତାଙ୍କ ପାଖକୁ ପଠାଇ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲି।
ମୋଦୀ ଜୀ : ହଁ, ମୋ ମା’ଙ୍କର ସେ କଥା ମନେଥିଲା। ସେ ମୋତେ କହୁଥିଲେ।
ଲତା ଜୀ : ଆଜ୍ଞା।
ମୋଦୀ ଜୀ : ହଁ।
ଲତା ଜୀ : ସେ ଫୋନରେ ଯେତେବେଳେ ମୋତେ ଆଶୀର୍ବାଦ କଲେ, ମୋତେ ଖୁବ୍‍ ଭଲ ଲାଗିଲା।
ମୋଦୀ ଜୀ : ଆପଣଙ୍କ ସ୍ନେହ ପାଇ ମୋ ମା’ ବି ଖୁବ ଖୁସି ଥିଲେ।
ଲତା ଜୀ : ଆଜ୍ଞା।
ମୋଦୀ ଜୀ : ଆପଣ ସବୁବେଳେ ମୋ କଥା ଚିନ୍ତା କରୁଛନ୍ତି ସେଥିପାଇଁ ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ। ମୁଁ ପୁଣିଥରେ ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା ଦେଉଛି।
ଲତା ଜୀ : ଆଜ୍ଞା।
ମୋଦୀ ଜୀ : ଏଥର ମୁମ୍ବାଇ ଯାଇଥିଲି, ଇଚ୍ଛା ହେଉଥିଲା, ନିଜେ ଯାଇ ଆପଣଙ୍କୁ ଦେଖାକରିବି
ଲତା ଜୀ : ଆଜ୍ଞା, ନିଶ୍ଚୟ।
ମୋଦୀ ଜୀ : କିନ୍ତୁ ସମୟ ଏତେ କମ୍‍ ଥିଲା ଯେ, ମୁଁ ଆସିପାରିଲିନି।
ଲତା ଜୀ : ଆଜ୍ଞା।
ମୋଦୀ ଜୀ : କିନ୍ତୁ ମୁଁ ଖୁବ କମ୍‍ ଦିନରେ ଯିବି।
ଲତା ଜୀ : ଆଜ୍ଞା।
ମୋଦୀ ଜୀ : ଆଉ, ଘରେ ପହଁଚି ଆପଣଙ୍କ ହାତ ରନ୍ଧା କିଛି ଗୁଜରାଟୀ ଖାଦ୍ୟ ଖାଇବି।
ଲତା ଜୀ : ଆଜ୍ଞା, ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ। ଇଏ ତ ମୋର ସୌଭାଗ୍ୟ ହେବ।
ମୋଦୀ ଜୀ : ପ୍ରଣାମ ଦିଦି।
ଲତା ଜୀ : ପ୍ରଣାମ।
ମୋଦୀ ଜୀ : ଆପଣଙ୍କୁ ଅନେକ ଶୁଭକାମନା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories