ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

0

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ଘଟିଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ବୁଧବାର ରାତି ୮ଟା ସମୟରେ ଭୁବନେଶ୍ୱରସ୍ଥ ବାପୁଜୀ ନଗରସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ସେ କିଛିଦିନ ଧରି କର୍କଟ ରୋଗରେ ଅସୁସ୍ଥ ଥିଲେ। ‘ସମ୍ବାଦ’ରୁ ନିଜର କ୍ୟାରିୟର ଆରମ୍ଭକରି ପରବର୍ତ୍ତୀ ସମୟରେ ସେ ‘ସମୟ’ ଓ ‘ସମାଜ’ର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ଏପରିକି ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶତାବ୍ଦୀ’ର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ। ତାଙ୍କ ପରଲୋକରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ତାଙ୍କ ବିୟୋଗ ଖବର ପାଇ ଲୋକସେବକ ମଣ୍ଡଳର ସଭାପତି ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ, କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରକର ନିରଞ୍ଜନ ରଥ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୦ ମାର୍ଚ୍ଚ ୧୦ ତାରିଖରେ କାର୍ଯ୍ୟନିର୍ବାହୀ ସମ୍ପାଦକ ଭାବେ ‘ସମାଜ’ରେ ଯୋଗଦେଇଥିଲେ। ମେ ୨ ତାରିଖରେ ସେ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୀର୍ଘ ୩୫ ବର୍ଷ ଧରି ସେ ସାମ୍ବାଦିକତା କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ଥିଲେ। ସାମ୍ବାଦିକତା କ୍ଷେତ୍ରକୁ ଆସିବା ପୂର୍ବରୁ ସେ ରାଜଧାନୀର ଏକ ଡିଗ୍ରୀ ମହାବିଦ୍ୟାଳୟରେ ୭ ବଷଧରି ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଶ୍ରୀ ପଟ୍ଟନାୟକ ସାମ୍ବାଦିକତା ଜୀବନରେ ଜଣେ ଉଚ୍ଚକୋଟୀର ରାଜନୈତିକ ସମୀକ୍ଷକ ଓ ସ୍ତମ୍ଭକାର ଭାବେ ପରିଚିତ ଥିଲେ। ସେ ଜଣେ ଅତ୍ୟନ୍ତ ଜଗନ୍ନାଥପ୍ରେମୀ ଥିଲେ। ଓଡ଼ିଶାର କଳାସଂସ୍କୃତି ଓ ଭାଷା ସାହିତ୍ୟ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଥିଲା।

Leave A Reply