ଭ୍ରାମ୍ୟମାଣ ଶିବିରରେ ଆଇଏସ୍ଆଇର ପ୍ରସ୍ତୁତି ; ଭାରତକୁ ପଠାଇବ ୧୦ହଜାର ଆତଙ୍କବାଦୀ
ନୂଆଦିଲ୍ଲୀ : ଭାରତରେ ସଂହାରଲୀଳା ରଚନା କରିବାକୁ ଯୋଜନା କରିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ। ଏବେ ଏହା ପୁରୁଣା ଶୈଳୀରେ ଭାରତରେ ହିଂସାକାଣ୍ଡ ଘଟାଇବା ଯୋଜନା କରିଛି। ଏହି ଉଦ୍ଦେଶ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଭ୍ରାମ୍ୟମାଣ ଆତଙ୍କବାଦୀ ଶିବିର ସ୍ଥାପନ ପୂର୍ବକ ଏଠାରେ ଅନ୍ୟୂନ ୧୦ହଜାର ଆତଙ୍କବାଦୀଙ୍କୁ ତାଲିମ ଦେବା ଆରମ୍ଭ କରିଛି। ହିଜ୍ବୁଲ ମୁଜାହିଦ୍ଦିନ, ଜୈସ୍-ଇ-ମହମ୍ମଦ ଓ ଲସ୍କର-ଇ-ତଏବା ଭଳି ସଂଗଠନର ସଦସ୍ୟମାନଙ୍କୁ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ କରି ପାକିସ୍ତାନୀ ସେନା ମାଧ୍ୟମରେ ତାଲିମ ଦେଉଛି। ପୂର୍ବ ପରି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଶିବିର ସ୍ଥାପନ କରା ନ ଯାଇ ଏମିତି ବୁଲି ବୁଲି ତାଲିମ କାର୍ଯ୍ୟକ୍ରମ ଅଗଷ୍ଟ ମାସରୁ ବ୍ୟାପକ ଭାବେ ଆରମ୍ଭ ହୋଇଛି। ରାୱଲକୋଟ ଅନ୍ତର୍ଗତ ଟାମୁଟି ଓ ପୋଥି ବାଲାଠାରେ ଜମାତ୍-ଇ-ଇସଲାମୀ ନେତୃତ୍ବରେ ତାଲିମ ପାଇଁ ସଦସ୍ୟ ମନୋନୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ଜମାତ୍ ନେତା ଇଜାଜ ଅଫଜଲ ଓ ଅଦନାନ ରଜାକ ଜୈସ୍ ତଥା ହିଜ୍ବୁଲ ସଦସ୍ୟଙ୍କୁ ତିଲିମ ପ୍ରଦାନ କରିଛନ୍ତି। ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଯେମିତି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜାମ୍ମୁ-କାଶ୍ମୀର ବାଟେ ଭାରତ ଭିତରକୁ ପ୍ରବେଶ କରିବେ ସେ ସଂକ୍ରାନ୍ତ ତାଲିମ ପ୍ରଦାନ କରାଯାଇଛି। ଏଥିସହିତ ସେମାନଙ୍କୁ ଜାମ୍ମ-କାଶ୍ମୀରର ପ୍ରସିଦ୍ଧ ଧର୍ମାନୁଷ୍ଠାନ ଓ ସୁରକ୍ଷାକର୍ମୀଙ୍କୁ ନିଶାଣ କରିବାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ହିଜ୍ବୁଲ କମାଣ୍ଡର ସମସେର ଖାଁ ନିଜ ଦଳବଳ ସହିତ ଅନୁପ୍ରବେଶ ପାଇଁ ଅପେକ୍ଷା କରିଛି। ତାର କିଛି ସହଯୋଗୀ ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତରେ ଅନୁପ୍ରବେଶ କରିବେ।
ସୂଚନାନୁଯାୟୀ, ଆଇଏସ୍ଆଇ ୱାଜିରସ୍ତାନ ଓ ଖାଇବର ପାଖତୁନ୍ଖୱା ପ୍ରଦେଶର ବିଭିନ୍ନ ଲୁକ୍କାୟିତ ସ୍ଥାନରେ ଅସ୍ଥାୟୀ ଶିବିର ସ୍ଥାପନ କରି ଆତଙ୍କବାଦୀ ମନୋନୟନ ଓ ତାଲିମ କାର୍ଯ୍ୟ ଚଳାଇଛି। ନିକଟରେ ମାନ୍ସେରା, କୋଟଲି ଓ ଏ-୩ଠାରେ ଏଭଳି ତିନିଟି ନୂଆ ଶିବିର ସ୍ଥାପନ ହୋଇଛି। ମୋଟ ଉପରେ ଏଭଳି ୧୮ଟି ଶିବିର ଓ ଲଞ୍ଚପ୍ୟାଡ୍ ସ୍ଥାପନ କରାଯାଇଛି। ଏତଦ୍ବ୍ୟତୀତ ମାନସେରା ଅଧୀନସ୍ଥ ବାଲାକୋଟ, ଗଢ଼ି, ହବିବୁଲ୍ଲା, ବତ୍ରାସି, ଚେରୋ ମଣ୍ଡି, ସିୱାଇ ନାଲା, ମୁସ୍କାରା, ଅବଦୁଲ୍ଲା ବିନ୍ ମାସୁଦ ଅଞ୍ଚଳରେ ଲଞ୍ଚପ୍ୟାଡ ରହିଛି; ଯେଉଁ ବାଟେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଯିବ। ସେହିଭଳି କୋଟଲି ଅନ୍ତର୍ଗତ କୁଲପୁର, ସେସା, ବରାଲି, ଡୁଙ୍ଗି ଏବଂ ଏ-୩ ସେକ୍ଟର ଅନ୍ତର୍ଗତ କାଳୀ ଘାଟି ଓ ହାଜିରେ ସହିତ ବାହାବଳପୁର, ବୁମ୍ବା ଓ ବର୍ଣ୍ଣାଲାଠାରେ ମଧ୍ୟ ଲଞ୍ଚପ୍ୟାଡ ପ୍ରସ୍ତୁତ ହୋଇ ରହିଛି। ଆଇଏସ୍ଆଇ ଓ ସେନାର ମିଳିତ ଯୋଜନାନୁଯାୟୀ, ପାକିସ୍ତାନୀ ସେନାକୁ ନିୟନ୍ତ୍ରଣ ରେଖାରେ ସବୁବେଳେ ଉତ୍ତେଜନା ଲଗାଇ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସୀମାକୁ ୨୦୦୦ ଅଧିକ ସେନା ପଠାଯାଇଛି। ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରର ବାଗ୍ ଓ କୋଟଲିଠାରେ ମୁତୟନ ପାକ୍ ସେନା ଉପରେ ନଜର ରଖିଥିବାବେଳେ ଏହାକୁ କିପରି ପ୍ରତିହତ କରିହେବ ତା’ର ଯୋଜନା ହୋଇଛି। ଆଇଏସ୍ଆଇ ଓ ପାକ୍ ସେନାର ଏହି ଯୋଜନାକୁ ସ୍ବୀକାର କରିଛି ଭାରତୀୟ ପ୍ରତିରକ୍ଷା ବିଭାଗ। ତିନି ସେନା ମୁଖ୍ୟ ଏହି ପରିପ୍ରେକ୍ଷୀରେ ବିସ୍ତୃତ ଆଲୋଚନା କରିବା ସହ କଡ଼ା ସତର୍କତା ଜାରି କରିଛନ୍ତି।