କେନ୍ଦୁଝରଗଡ଼ : ସାମାନ୍ୟ କଥାକୁ କେନ୍ଦ୍ର କରି ମା’କୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଅକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପାଟଣା ଥାନା ଶଙ୍ଖାସୁର ଗ୍ରାମର ପୁରନ୍ଦର ତନ୍ତୀ (୩୮) ୨୨ ଅଗଷ୍ଟ ୨୦୨୨ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସାମାନ୍ୟ କଥାକୁ କେନ୍ଦ୍ର କରି ମା’ କନକଲତାଙ୍କୁ ଏକ ଲୁହା ପାଇପ ସାହାଯ୍ୟାର ପିଟି ଗୋଡ ହାତ ଭାଙ୍କିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ନେଇ କନକଲତାଙ୍କ ଭାଇ ଭାଲିଆଡିହି ଗ୍ରାମର ବୁଧୁରାମ ବେହେରା ଖବର ପାଇଥିଲେ। ଖବର ପାଇ ବୁଧୁରାମ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଭଉଣୀ କନକଲତାଙ୍କୁ ଚିକିତ୍ସାଳୟକୁ ଆଣିବା ସହ ଏ ସମ୍ପର୍କରେ ସ୍ଥାନୀୟ ସାହାରପଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପାଟଣା ପୁଲିସ ତଦନ୍ତ କରି ଅଭିଯୁକ୍ତ ପୁରନ୍ଦରକୁ ତହିଁ ପରଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ମୋଟ ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ପୁରନ୍ଦରକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ ଜେଲ ଦଣ୍ଡ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ପୀଡିତାଙ୍କ ପକ୍ଷରୁ ଅତିରିକ୍ତ ପି.ପି. ଅଶୋକ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।
Popular Categories



