ସମାଜ ପୋର୍ଟାଲ ଡେସ୍କ: କୋଭିଡ୍-୧୯ର ମୁକାବିଲା ପାଇଁ ଅଭିଯାନରେ ବୈଷୟିକ ଜ୍ଞାନ ଯଥେଷ୍ଟ ସହାୟତା କରିଛି। ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରଣାଳୟ ଦେଶର ଆଇ.ଟି. ବିଶେଷଜ୍ଞମାନଙ୍କ ସହ ମିଶି ଆରୋଗ୍ୟ ସେତୁ ଆପ୍ର ବିକାଶ କରିଛି। ଏହି ଆପ୍ ଆରମ୍ଭ ହେବାର ୧୮ ଦିନ ମଧ୍ୟରେ ୭କୋଟିରୁ ଊର୍ଦ୍ଧ୍ବ ଲୋକ ଏହି ଆପ୍ ଡାଉନଲୋଡ୍ କରିଛନ୍ତି। ଜଣେ ବ୍ୟକ୍ତି ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କର ସଂସ୍ପର୍ଶ ଆସିବେ ଏହି ଆପ୍ ସେହି ବ୍ୟକ୍ତିଙ୍କୁ ଏ ବିଷୟରେ ଜଣାଇବ। ଏଥିପାଇଁ ଏହି ଆପ୍ ରେଡିଓ ସିଗ୍ନାଲ୍ ଟେକ୍ନିକର ବ୍ୟବହାର କରୁଛି।
ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଆପଣ ନିଜର ଓ ନିଜ ପରିବାରର ସୁରକ୍ଷାକୁ ନିଶ୍ଚିତ କରିପାରିବେ। ଆପଣ ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ଏହି ଆପ୍ ଆପଣଙ୍କ ପାଖକୁ ସଂକେତ ପଠାଇବ। ଆପଣ ୧୪ ଦିନ ତଳେ ଭେଟିଥିବା ଜଣେ ବ୍ୟକ୍ତିଙ୍କଠାରେ ଯଦି ସଂକ୍ରମଣ ଦେଖାଦିଏ ତାହେଲେ ଆପଣ ମଧ୍ୟ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେଇପାରିବେ। ଏହାଦ୍ୱାରା ଆପଣ ନିଜର ଓ ନିଜ ପରିବାରର ସୁରକ୍ଷାକୁ ନିଶ୍ଚିତ କରିପାରିବେ। ଏହାଛଡ଼ା ଏହି ଆପରେ ଦିଆଯାଇଥିବା କିଛି ପ୍ରଶ୍ନାବଳୀର ବ୍ୟବହାର କରି ଆପଣ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାର ନିଜେ ଯାଞ୍ଚ କରିପାରିବେ। ଏହି ଆପ୍କୁ ନିଜର ମୋବାଇଲରେ ଡାଉନଲୋଡ଼ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଲୋକମାନଙ୍କୁ ଅନୁରୋଧ କରିଆସୁଛନ୍ତି



