www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରାବଣୀଙ୍କୁ ସ୍ବର୍ଣ୍ଣ, କିଶୋରଙ୍କୁ ରୌପ୍ୟପଦକ

କଟକ : ଚଳିତବର୍ଷର ଗ୍ବାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ଭାଗନେବା ପାଇଁ ଟିକଟ ହାସଲ କରିବା ଲକ୍ଷ୍ୟରେ ଦେଶର ୬୦୦ରୁ ଅଧିକ ଆଥ୍‌ଲେଟ୍‌ ସମବେତ ହୋଇଥିଲେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ। ଏଠାରେ ୫ ଦିନ ଧରି ଚାଲିଥିବା ୬୨ତମ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ ସୋମବାର ଉଦ୍‌ଯାପିତ ହୋଇଛି। ପୂରା ଚମ୍ପିଆନ୍‌ସିପ୍‌ ପରି ସୋମବାର ୫ମ ଦିନରେ ମଧ୍ୟ ଏକାଧିକ ଆଥ୍‌ଲେଟ୍‌ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଆଙ୍କ ମଧ୍ୟରେ ମହିଳା ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ ଓ ପୁରୁଷ ଜାଭେଲିନ୍ ଥ୍ରୋ’ରେ କିଶୋର ଜେନା ରୌପ୍ୟ ପଦକ ଜିତିଛନ୍ତି।
ଏହି ଚମ୍ପିଆନ୍‌ସିପ୍‌ରେ ଓଡ଼ିଆ ଆଥ୍‌ଲେଟ୍‌ଙ୍କ ଚମକ ମଧ୍ୟ ଦେଖିବାକୁ ମିଳିଛି। ମହିଳା ୨୦୦ ମିଟର ଦୌଡ଼ରେ ଓଡ଼ିଶା ଦୌଡ଼ରାଣୀ ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣପଦକ ଜିତିଛନ୍ତି। ୧୦୦ ମିଟର ଦୌଡ଼ରେ ଅଳ୍ପରେ ସ୍ବର୍ଣ୍ଣରୁ ବଞ୍ଚିତ ହୋଇ ଶ୍ରାବଣୀ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ହେଲେ ସୋମବାର ଅନ୍ତିମ ଦିନରେ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ୨୩.୭୭ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଛନ୍ତି। ୨୪.୧୨ ସେକେଣ୍ଡ ସମୟ ନେଇ ଉତ୍ତର ପ୍ରଦେଶର ପ୍ରାଚୀ ରୌପ୍ୟ ଏବଂ ୨୪.୨୫ ସେକେଣ୍ଡ ସମୟ ନେଇ କେରଳର ଅଞ୍ଜଳି ପି.ଡି କାଂସ୍ୟପଦକ ଜିତିଛନ୍ତି। ମହିଳା ହାମ୍ମର ଥ୍ରୋ’ରେ ଉତ୍ତର ପ୍ରଦେଶର କେ.ଏମ୍. ରଚନା (୬୫.୦୩ ମିଟର) ସ୍ବର୍ଣ୍ଣ, ଉତ୍ତର ପ୍ରଦେଶର ତାନ୍ୟା ଚୌଧୁରୀ (୬୩.୧୬ ମିଟର) ରୌପ୍ୟ ଓ ହରିୟାଣାର ରେଣୁ (୬୦.୯୧ ମିଟର) କାଂସ୍ୟପଦକ ଜିତିଛନ୍ତି। ଓଡ଼ିଶାର ଦିବ୍ୟା ସାଣ୍ଡିଲ୍ୟ ୧୦ମ ସ୍ଥାନରେ ରହିଛନ୍ତି। ମହିଳା ଲଙ୍ଗ୍‌ଜମ୍ପ୍‌ରେ କେରଳର ଆନ୍‌ସି ସୋଜାନ୍ (୬.୫୧ ମିଟର) ସ୍ବର୍ଣ୍ଣ, ଉତ୍ତର ପ୍ରଦେଶର ସାଇଲି ସିଂହ (୬.୪୯ ମିଟର) ରୌପ୍ୟ ଏବଂ ଆନ୍ଧ୍ର ପ୍ରଦେଶର ଭବାନୀ ଯାଦବ (୬.୪୪ ମିଟର) କାଂସ୍ୟ ପଦକ ଜିତିଛନ୍ତି। ଏଥିରେ ଓଡ଼ିଶାର ମନୀଷା ମେରେଲ ୧୦ମ ସ୍ଥାନରେ ରହିଥିଲେ। ପୁରୁଷ ପୋଲ୍‌ ଭଲ୍‌ଟରେ ତାମିଲନାଡ଼ୁର ଏସ୍. ଶିବା (୫.୧୧ ମିଟର) ସ୍ବର୍ଣ୍ଣ, ମଧ୍ୟପ୍ରଦେଶର ଦେବ ମୀନା (୪.୯୦ ମିଟର) ରୌପ୍ୟ ଓ କେରଳର ସିଦ୍ଧାର୍ଥ (୪.୮୦ ମିଟର) କାଂସ୍ୟ ପଦକ ଜିତିଛନ୍ତି। ମହିଳା ସଟ୍‌ପୁଟ୍‌ରେ ୟୁପିର କିରଣ ବଲିୟାଁ ସ୍ବର୍ଣ୍ଣ, ହରିୟାଣାର ମନପ୍ରୀତ କୌର ରୌପ୍ୟ ଓ ମହାରାଷ୍ଟ୍ରର ଆଭା ଖଟୁଆ କାଂସ୍ୟପଦକ ଜିତିଛନ୍ତି।
ମହିଳା ହାଇଜମ୍ପ୍‌ରେ ହରିୟାଣାର ପୂଜା ଓ ରୁବିନା ଯାଦବ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ୪୦୦ମି. ହର୍ଡଲ୍‌ସରେ କର୍ଣ୍ଣାଟକର ପି. ଯଶସ୍‌ ସ୍ବର୍ଣ୍ଣପଦକ ଜିତିଛନ୍ତି। ମହିଳା ୪୦୦ମି. ହର୍ଡଲ୍‌ସରେ ତାମିଲନାଡ଼ୁର ବିତ୍ୟା ରାମରାଜ ସ୍ବର୍ଣ୍ଣପଦକ ଜିତିଛନ୍ତି। ମହିଳା ୮୦୦ ମିଟର ଦୌଡ଼ରେ ଦିଲ୍ଲୀର ଚନ୍ଦା ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ’ରେ ଉତ୍ତର ପ୍ରଦେଶର ରୋହିତ ଯାଦବ ୮୩.୮୮ ମିଟର ଦୂରତା ସହ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଥିବା ଓଡ଼ିଆ ଆଥ୍‌ଲେଟ୍‌ କିଶୋର କୁମାର ଜେନା ୮୨.୮୭ ମିଟର ଦୂରତା ସହ ରୌପ୍ୟପଦକ ଜିତିଛନ୍ତି। ଉତ୍ତର ପ୍ରଦେଶର ଶିବପାଲ ସିଂହଙ୍କୁ କାଂସ୍ୟପଦକ ମିଳିଛି। ଓଡ଼ିଶାର ଅନ୍ୟ ପ୍ରତିଯୋଗୀ ବିକ୍ରାନ୍ତ ମଲ୍ଲିକ୍ ୧୧ଶ ସ୍ଥାନରେ ରହିଥିଲେ। ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ କେରଳର ଏମ୍. ଶ୍ରୀଶଙ୍କର ୮.୨୯ ମିଟର ଦୂରକୁ ଲମ୍ଫ ପ୍ରଦାନକରି ସ୍ବର୍ଣ୍ଣ ଜିତିଛନ୍ତି। ଏହାସହ ଶ୍ରୀଶଙ୍କର ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ତାମିଲନାଡ଼ୁର ଜେସୱିନ ଆଲ୍‌ଡ୍ରିନ୍‌ ୭.୯୮ ମିଟର ଦୂରତା ସହ ରୌପ୍ୟ ଜିତି ଏସୀୟ କ୍ରୀଡ଼ା ଟିକଟ ପାଇଛନ୍ତି। ପୁରୁଷ ୨୦୦ ମିଟର ଦୌଡ଼ରେ ଆସାମର ଅମ୍ଳାନ ବର୍ଗୋହାଇଁ ସ୍ବର୍ଣ୍ଣ ଜିତିଛନ୍ତି। ପୁରୁଷ ସଟ୍‌ପୁଟ୍‌ରେ ପଞ୍ଜାବର ଦୁଇ ଆଥ୍‌ଲେଟ୍‌ ତେଜିନ୍ଦର ପାଲ ସିଂହ ତୁର୍ (୨୧.୭୭ ମିଟର) ସ୍ବର୍ଣ୍ଣ ଓ କରଣବୀର ସିଂହ ୯୧୯.୭୮ ମିଟର) ରୌପ୍ୟପଦକ ଜିତିବା ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ୧୫୦୦ ମିଟର ଦୌଡ଼ରେ କେରଳର ଜିନ୍‌ସନ ଜନ୍‌ସନ ସ୍ବର୍ଣ୍ଣ, ଉତ୍ତର ପ୍ରଦେଶର ଅଜୟ କୁମାର ସରୋଜ ରୌପ୍ୟ ଓ ବିହାରର ଶଶିଭୂଷଣ ସିଂହ କାଂସ୍ୟ ପଦକ ଜିତିଛନ୍ତି। ତିନିହେଁ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୫୦୦୦ ମି. ଦୌଡ଼ରେ ମହାରାଷ୍ଟ୍ରର ସଞ୍ଜିବନୀ ଯାଧା, ପୁରୁଷ ୫୦୦୦ ମି. ଦୌଡ଼ରେ ୟୁପିର ଗୁଲ୍‌ବୀର ସିଂହ ସ୍ବର୍ଣ୍ଣ ଜିତିଛନ୍ତି। ତାମିଲନାଡ଼ୁ ଉଭୟ ମହିଳା ୪ ଗୁଣା ୪୦୦ ମିଟର ଓ ପୁରୁଷ ୪ ଗୁଣା ୪୦୦ ମିଟର ରିଲେରେ ସ୍ବର୍ଣ୍ଣପଦକ ଜିତିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories