ଭୁବନେଶ୍ବର : ଆମ୍ବୁଲାନ୍ସର ବାଟ ଓଗାଳିଲା ରାଜଧାନୀର ଟ୍ରାଫିକ। ରାସ୍ତା ଉପରେ ଚାଲିଗଲା ୫ ବର୍ଷ ଶିଶୁର ଜୀବନ। ମଙ୍ଗଳବାର ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଆମ୍ବୁଲାନ୍ସକୁ ବାଟ ଛାଡି ଦେବାକୁ ତଳକୁ ଓହ୍ଲାଇ ବାପା ଓ ଦାଦା ଆଗରେ ଥିବା ଅନ୍ୟ ଗାଡ଼ି ଚାଳକଙ୍କୁ ନେହୁରା ହେଲେ। ଗୋଡ ଓ ହାତ ଧରିଲେ। ହେଲେ ପୁଅକୁ ବଞ୍ଚାଇବା ଲାଗି ବାପାର ଆକୁଳ ନିବେଦନ କେହି ଶୁଣିଲେନି। ଯେମିତି ଲୋକଙ୍କ ପାଖରେ ମାନବିକତା ହଜି ଯାଇଥିଲା। ସମୟ ଗଡ଼ିବା ସହିତ ଶିଶୁର ଅବସ୍ଥା ଅଧିକ ଜଟିଳ ହେଉଥିଲା। ଶେଷରେ ହସ୍ପିଟାଲ୍ରେ ପହଞ୍ଚିବା ବେଳକୁ ନିରୀହ ଶିଶୁଟି ନିସ୍ତବ୍ଧ ହୋଇଯାଇଥିଲା। ଡାକ୍ତରଙ୍କଠାରୁ ଏହା ଶୁଣିବା ପରେ ବାପାମା’ଙ୍କ କ୍ରନ୍ଦନ ରାଜଧାନୀର ଟ୍ରାଫିକ୍ର ବିପର୍ଯ୍ୟସ୍ତ ଛବିକୁ ବୟାନ କରୁଥିଲା।
ଏଭଳି କରୁଣ ଘଟଣା ଘଟିଛି ଜୟଦେବ ବିହାରରୁ ନନ୍ଦନକାନନକୁ ଯାଇଥିବା ରାସ୍ତାରେ। କ୍ୟାପିଟାଲ୍ ହସ୍ପିଟାଲ୍ରୁ ଏକ ଘରୋଇ ଆମ୍ବୁଲାନ୍ସରେ ଶିଶୁକୁ ନେଇ ପଟିଆସ୍ଥିତ କିମ୍ସ ହସ୍ପିଟାଲ୍କୁ ଯାଉଥିବା ବେଳେ ନାଲ୍କୋ ଛକ ଓ ଡମଣା ଛକ ଟ୍ରାଫିକ୍ରେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକି ରହିଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ରୁ କିମ୍ସ ପର୍ଯ୍ୟନ୍ତ ୧୩ କିଲୋମିଟର ରାସ୍ତା ଆମ୍ବଲାନ୍ସକୁ ଲାଗିଲା ୧ ଘଣ୍ଟାରୁ ଅଧିକ ସମୟ। କିଛି ସମୟ ପୂର୍ବରୁ ପହଞ୍ଚିଥିଲେ ହୁଏତ ଶିଶୁଟିକୁ ବଞ୍ଚାଇ ହୋଇଥାନ୍ତା ବୋଲି ଡାକ୍ତର କହିଥିଲେ।
ମୃତ ଶିଶୁପୁତ୍ର ପ୍ରତୀକର ବାପା ନିରୋଦ ନାୟକ ଜଣେ ଗାଡ଼ି ଚାଳକ। ଶ୍ରୀ ଲିଙ୍ଗରାଜ ଥାନା ଅଞ୍ଚଳରେ ସେ ଭଡ଼ା ରହୁଛନ୍ତି। ଦୁଇ ଦିନ ତଳେ ତାଙ୍କ ପୁତ୍ର ବାନ୍ତି କରୁଥିଲା। କ୍ୟାପିଟାଲ୍ ହସ୍ପିଟାଲ୍କୁ ଆଣିଥିଲେ। ଡାକ୍ତର ତାଙ୍କୁ ଏକ ଇଂଜେକ୍ସନ୍ ଏବଂ ୪ଟି ସିରଫ୍ ଦେଇ ବିଦା କରିଦେଇଥିଲେ। ପ୍ରତୀକ ଖାଇଲା ପରେ ଦେହ ଭଲ ହୋଇଯାଇଥିଲା। ପୁଣି ସୋମବାର ରାତି ୧୦ଟାରେ ପୂର୍ବ ଭଳି ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ନେଇଥିବା ମେଡ଼ିସିନ୍ ଦେଇଥିଲେ। ମଙ୍ଗଳବାର ସକାଳେ ପୁଅର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାକୁ ଆଣି ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ଦେଖିଲା ପରେ ଉକ୍ତ ପ୍ରେସ୍କ୍ୟୁସନ୍ରେ ଉଲ୍ଲେଖ ଥିବା ଇଂଜେକ୍ସନ୍ ଆଣି ଦେବାକୁ କହିଥିଲେ। ଏହାର ୧୫ ମିନିଟ୍ ପରେ ଉକ୍ତ ଶିଶୁର ଅବସ୍ଥା ଜଟିଳ ହେବାରୁ ଡାକ୍ତର କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରିବାକୁ ଲେଖିଦେଇଥିଲେ। ଦିନ ପ୍ରାୟ ସାଢ଼େ ୯ଟା ବେଳେ ପୁଅ ହାତ ଓ ଗୋଡ଼ ବରଫ ଭଳି ଥଣ୍ଡା ହୋଇଯାଉଥିବାରୁ ତୁରନ୍ତ ଘରୋଇ ହସ୍ପିଟାଲ୍କୁ ନେବା ଲାଗି ନିରୋଦ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଥିବା ଏକ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରିଥିଲେ। କ୍ୟାପିଟାଲ୍ ହସ୍ପିଟାଲ୍ରୁ କିମ୍ସ ନେବାକୁ ମନସ୍ଥ କରିଥିଲେ।
ନିରୋଦ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ପାଇଁ ସିଧାସଳଖ ଆପତ୍ତି ଉଠାଇଥିଲେ କମିସନରେଟ୍ ପୁଲିସର ଟ୍ରାଫିକ ବ୍ୟବସ୍ଥା ଉପରେ। ଆମ୍ବୁଲାନ୍ସରେ ନେବା ସତ୍ତ୍ବେ ତାଙ୍କ ପୁଅକୁ ହସ୍ପିଟାଲ୍ ନେବାକୁ ବାଟ ବି ମିଳିଲାନି। ପ୍ରତି ଟ୍ରାଫିକ୍ ଛକ ଯେମିତି ତାଙ୍କ ଆମ୍ବୁଲାନ୍ସର କଣ୍ଠରୋଧ କରି ପକାଉଥିଲା। ଆମ୍ବୁଲାନ୍ସର ସାଇରନ୍ ଓ ହର୍ଣ୍ଣ କାହାରି କାନରେ ପଡୁ ନ ଥିଲା। ସେ ନାଚାର ହୋଇପଡିଥିଲେ। କେହି ଟ୍ରାଫିକ୍ କର୍ମଚାରୀ ବି ତାଙ୍କ ଗାଡ଼ିକୁ ବାଟ କଢ଼ାଇ ନେବାକୁ ନ ଥିଲେ। କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର ଯଦି ତାଙ୍କୁ ପୂର୍ବରୁ ଠିକ୍ ଚିକିତ୍ସା ଦେଇଥାନ୍ତେ ତେବେ ପୁଅ ଏଭଳି ଜଟିଳ ଅବସ୍ଥାକୁ ଆସି ନ ଥାନ୍ତା ବୋଲି ସେ କହିଛନ୍ତି।



