କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଖୋଲିବ ସ୍ମାର୍ଟ କ୍ଲାସରୁମ୍ ଓ ଇ-ପାଠାଗାର : ୫-ଟି ସଚିବ

ମା’ଲଙ୍କେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ଅଢେଇ କୋଟି ଟଙ୍କା ବ୍ୟୟ ବରାଦ

ଭବାନୀପାଟଣା : ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଉତ୍କେଲା ଏୟାରଷ୍ଟ୍ରିପରେ ପହଂଚି ବିକାଶ କାମର ଅନୁଧ୍ୟାନ କରିଥିଲେ। ଆସନ୍ତା ଡିସେମ୍ବର ସୁଦ୍ଧା ବିମାନ ଚଳାଚଳ ପାଇଁ ରନୱେ ସମ୍ପ୍ରସାରଣ କାମ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । ପରେ ଶ୍ରୀ ପାଣ୍ଡିଆନ୍ ବେଲଖଣ୍ଡିର ପ୍ରସିଦ୍ଧ ଉମାମହେଶ୍ୱର ଧବଳେଶ୍ୱର ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟଙ୍କ ସହ ଆଲୋଚନା କରି ମନ୍ଦିରର ବିକାଶ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ୬ ମାସ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ପରେ ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନ୍ଦୁଲ ବ୍ୟାରେଜ କାମର ଅଗ୍ରଗତି ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ତାଗିଦ କରିଥିଲେ। ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଅବଗତ କରିଥିଲେ। ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୨୯ଟି ଗ୍ରାମର ଚାଷ ଜମିକୁ ଭୂତଳ ପାଇପ୍ ଦ୍ୱାରା ଜଳସେଚିତ ହୋଇପାରିବ। ପରେ ଶ୍ରୀ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା’ ମାନଙ୍କ ସହ ଆଲୋଚନା କରିଥିଲେ । ଭବାନୀପାଟଣାରେ ଫାଇଭ-ଟି ସଚିବ ପୁଲିସ ହାଇସ୍କୁଲକୁ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତରଣ ସୁବିଧା ଉପରେ ଆଲୋଚନା କରିଥିଲେ । ପରେ ସେ ଆଶା ସାଗର ବୁଲି ଦେଖିଥିଲେ।ଏହାର ପୁନର୍ବିକାଶ ପାଇଁ ମାସେ ଭିତରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଭବାନୀପାଟଣା ନବନିର୍ମିତ ବସ୍ ଟର୍ମିନାଲକୁ ଯାଇ କାମର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ।
ପରେ ସେ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର ଓ ଉନ୍ନତମାନର ଗବେଷଣାଗାରର ବ୍ୟବସ୍ଥା କରାଯିବ ବୋଲି ଫାଇଭ-ଟି ସଚିବ ସୂଚନା ଦେଇଥିଲେ।  ଜୁନାଗଡ଼ର ପ୍ରସିଦ୍ଧ ଲଙ୍କେଶ୍ୱରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। ମା’ଲଙ୍କେଶ୍ୱରୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଢେଇ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଖୁବଶୀଘ୍ର ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରାଯିବ ବୋଲି ସେ କହିଛନ୍ତି। ଶୀଘ୍ର ଏଥିପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପାର ସେ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରି ଏହାର ଉନ୍ନତିକରଣ କାର୍ଯ୍ୟଗୁଡିକୁ ବୁଲି ଦେଖିଥିଲେ ଓ କ୍ରୀଡାବିତମାନଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିଲେ।

Comments are closed.