ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିସ୍ତୱାଡ ଜିଲାରେ ଗୁରୁବାର ବାଦଲଫଟା ବର୍ଷା ଯୋଗୁଁ ୪୬ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି। ୬୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେମଧ୍ୟ ୨୦୦ରୁ ଅଧିକ ନିଖୋଜ ଅଛନ୍ତି। ସେମାନଙ୍କୁ ଠାବ କରିବା ଉଦ୍ୟମ ଜାରି ରହିଛି। ଏସଡିଆରଏଫ୍ ଓ ଏନଡିଆରଏଫ୍ ସମେତ ସେନା ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଧ୍ବଂସସ୍ତୂପ ତଳେ ଅଧିକାଂଶ ପୋତି ହୋଇପଡିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ କିସ୍ତୱାଡର ଛୋସିତି ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ସାମିଲ ଥିବା କୁହାଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଇତିମଧ୍ୟରେ ଏହି ଘଟଣାକୁ ନେଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା କରିଥିବାବେଳେ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଓମାର ତାଙ୍କ ବାସଭବନରେ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଥିବା ଜଣାପଡିଛି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପୁଲିସ, ପ୍ରଶାସନ ଓ ସେନାକୁ ନିର୍ଦେଶ ଦେଇଛନ୍ତି। କିସ୍ତୱାଡ ଡେପୁଟି କମିସନର ପଙ୍କଜ ଶର୍ମା ଓ ଏସ୍ଏସ୍ପି ନରେଶ ସିଂହ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି। ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି। ବାଦଲଫଟା ବର୍ଷା ପରେ ‘ମାଛାଇଲ ମାତା ଯାତ୍ରା’କୁ ସାମୟିକ ଭାବେ ବାତିଲ କରାଯାଇଛି।
ସୂଚନାଯୋଗ୍ୟ ସମୁଦ୍ର ପତନରୁ ୯୫୦୦ ଫୁଟ ଉଚ୍ଚରେ କିସ୍ତୱାଡର ମାତା ଚଣ୍ଡୀ ମନ୍ଦିର ଅବସ୍ଥିତ। ପ୍ରତିବର୍ଷ ଛୋସିତି ଗ୍ରାମରୁ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ‘ମାଛାଇଲ ମାତା ଯାତ୍ରା’ ଅନୁଷ୍ଠିତ ହୋଇଥାଏ। ଏଥିରେ ଅଂଶଗ୍ରହଣ କରିବାକୁ ଦୈନିକ ଶତାଧିକ ଶ୍ରଦ୍ଧାଳୁ ଛୋସିତି ଗ୍ରାମରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୮.୫ କିମି ରାସ୍ତାକୁ ପାଦରେ ଚାଲି ଅତିକ୍ରମ କରିଥାନ୍ତି। ଗୁରୁବାର ଶ୍ରଦ୍ଧାଳୁମାନେ ସେଠାରେ ଏକତ୍ର ହୋଇଥିବାବେଳେ ହଠାତ୍ ବାଦଲଫଟା ବର୍ଷା ହେବାରୁ ଧନଜୀବନର ଏଭଳି କ୍ଷତି ଘଟିଛି। ଶ୍ରଦ୍ଧାଳୁମାନେ େଛାସିତି ଗ୍ରାମରେ ନିଜର ଯାନବାହନ ପାର୍କିଂ କରିବା ପରେ ଯଶନଇ ନଳା ନିକଟରୁ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ପାଦରେ ଚାଲିବା ଆରମ୍ଭ କରିଥାନ୍ତି। ସେଠାରେ ଅସ୍ଥାୟୀ ଦୋକାନ ଥିବାବେଳେ ଲଙ୍ଗର (ମାଗଣା ଭୋଜନ) ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଶ୍ରଦ୍ଧାଳୁମାନେ ନଳା ନିକଟରେ ଏକତ୍ର ହୋଇଥିବାବେଳେ ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ବାଦଲଫଟା ବର୍ଷା ହୋଇଥିଲା। ଫଳେର ଉକ୍ତ ନଳାର ଜଳସ୍ତର ହଠାତ ବୃଦ୍ଧି ପାଇବାରୁ କେତେକ ଶ୍ରଦ୍ଧାଳୁ ଭାସିଯାଇଥିଲେ।



