ରାଜଗାଙ୍ଗପୁର : ରାଜଗାଙ୍ଗପୁର ବ୍ଲକ ଅର୍ନ୍ତଗତ କୁଟଣିଆ ପଞ୍ଚାୟତର ଚମରାପଡ଼ା ଗ୍ରାମରେ ଏକ ବାହାଘର ଭୋଜିରେ ମୃଦୁ ପାନୀୟ ପିଇବା ସହିତ ସେଓ-ବୁନ୍ଦି ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାୟ ୧୦ ଜଣ ମହିଳାଙ୍କ ସହିତ ୩୦ରୁ ଅଧିକ ଶିଶୁଙ୍କ ବାନ୍ତି ହୋଇଥିଲା। କେତେକ ଶିଶୁଙ୍କର ଝାଡ଼ା ମଧ୍ୟ ହୋଇଥିଲା। ଅସୁସ୍ଥମାନଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ଏବଂ କେତେକ ବେସରକାରୀ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଛି। ଚମରାପଡ଼ା ଗ୍ରାମରେ ମଙ୍ଗଲ ଏକ୍କାଙ୍କ ଘରେ ବାହାଘର ଭୋଜିରେ ଅଖପାଖ ଗ୍ରାମ ସହିତ କଲୁଙ୍ଗା, ଭସ୍ରା, ଡୁଡ଼କାବାହାଲ, ରାଇକାକଚ୍ଛାର ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନଙ୍କୁ ଥଣ୍ଡା ପାନୀୟ ରସ୍ନା ଏବଂ ସେଓ-ବୁନ୍ଦି ଖାଇବାକୁ ଦିଆ ଯାଇଥିଲା। ଟିଫିନ ଖାଇବାର କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କର ପେଟ ଦରଜ ହେବା ସହିତ ବାନ୍ତି ଆରମ୍ଭ ହୋଇଥିଲା। ଅସୁସ୍ଥମାନଙ୍କୁ ୧୦୮ ଆମ୍ବୁଲାନ୍ସ ଏବଂ ବିଭିନ୍ନ ଘରୋଇ ଗାଡ଼ିରେ ରାଜଗାଙ୍ଗପୁର ଡାକ୍ତରଖାନା ଅଣାଯାଇ ଚିକିତ୍ସିତ କରାଯାଇଥିଲା। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ କେତକଙ୍କୁ ପ୍ରଥମିକ ଚିକିତ୍ସା ପରେ ଛାଡ଼ି ଦିଆ ଯାଇଥିବା ବେଳେ ଅନ୍ୟମାନଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି।
Popular Categories



