ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଥିବା ରାହୁଲ ଗାନ୍ଧୀ ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଅନେକ ବରିଷ୍ଠ ନେତା ରାହୁଲଙ୍କ ନିଷ୍ପତ୍ତି ଭୁଲ ବୋଲି କହୁଛନ୍ତି। ପୂର୍ବରୁ ବିଜେପି ଏହାକୁ ଏକ ହାଇ-ଡ୍ରାମା ବୋଲି କହୁଥିଲେ ମଧ୍ୟ ବୁଧବାର ରାହୁଲ ନିଜର ଇସ୍ତଫାପତ୍ର ସାର୍ବଜନୀନ କରିବା ପରେ ଏସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାହୁଲଙ୍କ ଇସ୍ତଫା ପରେ ଦଳର ଅଧ୍ୟକ୍ଷ ପଦ କିଏ ହାତେଇବ ତାହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ଏହି ପଦବୀ ଲାଗି ଉପଯୁକ୍ତ ଚେହେରା ଖୋଜିବା ଆରମ୍ଭ ହୋଇଛି। ତେବେ କଂଗ୍ରେସ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ପାଇଁ ୩ ନେତା ଦୌଡ଼ରେ ରହିଥିବା ଆଲୋଚନା ହେଉଛି। ଏହି ଦୌଡ଼ରେ ମହାରାଷ୍ଟ୍ରର ସୁଶୀଲ କୁମାର ସିନ୍ଦେ ସର୍ବାଗ୍ରେ ରହିଛନ୍ତି।
ସିନ୍ଦେଙ୍କର ଉଚ୍ଚକୋଟୀର ପ୍ରଶାସନିକ ଏବଂ ସାଂଗଠନିକ ଦକ୍ଷତା ଥିବାରୁ ସେ ଏହାର ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଆଗାମୀ ଦିନରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଅଧ୍ୟକ୍ଷ ପଦରେ ବିମଣ୍ଡିତ କରିପାରେ ବୋଲି ଆଲୋଚନା ହେଉଛି।
ସିନ୍ଦେଙ୍କ ପରେ ଦୌଡ଼ରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ ଗୁଜରାଟ ପ୍ରଭାରି ଥିବାବେଳେ ସେଠାରେ କଂଗ୍ରେସ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ଏହା ପରେ ରାହୁଲ ତାଙ୍କୁ ଦଳର ମହାସଚିବ ପଦବୀରେ ଅବସ୍ଥାପିତ କରିଥିଲେ।
ଏହାସହିତ ଦକ୍ଷିଣରୁ ବରିଷ୍ଠ ନେତା ମଲିକାର୍ଜୁନ ଖାର୍ଗେ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି। ଗତ ଲୋକସଭାରେ ସେ କଂଗ୍ରେସ ଦଳର ନେତା ରହିଥିଲେ। କିନ୍ତୁ ସେ ଚଳିତ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବାରୁ ଦଳ ତାଙ୍କ ଉପରେ ସେତେଟା ଆସ୍ଥା ପ୍ରକଟ କରି ନ ପାରେ ବୋଲି ଆଲୋଚନା ଚାଲିଛି।



