ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଦେଶର ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୭ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ସେଥିମଧ୍ୟରେ ଓଡିଶାର ୫ଟି ଲୋକସଭା ଆସନ ସହିତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ମତଦାନ ହେବାକୁ ଥିବା ଅନ୍ୟ ଆସନଗୁଡିକ ମଧ୍ୟରେ ଆସାମର ୫, ବିହାର ୫, ଛତିଶଗଡ ୩, ଜାମ୍ମୁ-କାଶ୍ମୀର ୨, କର୍ନାଟକ ୧୪, ମହାରାଷ୍ଟ୍ର ୧୦, ତାମିଲନାଡୁ ୩୯, ତ୍ରିପୁରା ୧, ପଶ୍ଚିମବଙ୍ଗ ୩, ଓଡିଶା ୫, ପୁଡୁଚେରୀ ୧, ଉତ୍ତରପ୍ରଦେଶ ୮ ଓ ମଣିପୁରର ଗୋଟିଏ ଆସନ ରହିଛି। ତାମିଲନାଡୁର ଭେଲୋର ଆସନରେ ମତଦାନକୁ ଶେଷ ପର୍ଯ୍ୟାୟରେ ବାତିଲ କରାଯାଇଛି। ଏହି ପର୍ଯ୍ୟାୟରେ ଚର୍ଚ୍ଚିତ ଆସନଗୁଡିକ ମଧ୍ୟରେ ଉତ୍ତରପ୍ରଦେଶର ମଥୁରା ଓ ଫତେପୁର ସିକ୍ରି ରହିଛି।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରି ମତଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୋଦୀ ଏ ସମ୍ପର୍କରେ ଏକ ଟ୍ବିଟ୍ କରି ଜଣାଇଛନ୍ତି।
ସକାଳୁ ସକାଳୁ ବହୁ ବଡ଼ ବଡ଼ ରାଜନେତା ନିଜ ନିଜ କ୍ଷେତ୍ର ଅଧୀନ ବୁଥରେ ମତଦାନ କରିଛନ୍ତି। ତାମିଲ ଅଭିନେତା ରଜନୀକାନ୍ତ, କଂଗ୍ରେସ ନେତା ପି. ଚିଦାମ୍ବରମ, ସୁଶୀଲ କୁମାର ସିନ୍ଦେ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କମଲ ହସନ ପ୍ରମୁଖ ସେମାନଙ୍କ ଭୋଟ ଦେଇଛନ୍ତି।



