ହରଭଙ୍ଗା: ଆମେ ୨୦୨୪ ନୂଆବର୍ଷରେ ପାଦ ଥାପିଛେ। ଠିକ୍ ୨୯ବର୍ଷ ତଳେ ୦୨ ଜାନୁୟାରୀ ୧୯୯୪ ମସିହାରେ ବୌଦ୍ଧ ଜିଲ୍ଲା ଗଠନ ହୋଇଥିଲା। ଜିଲ୍ଲା ଗଠନର ୨୯ବର୍ଷ ପୂର୍ତ୍ତି ହୋଇଛି। ଅଭାବ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପନ ପରେ ବୌଦ୍ଧ ଏକ ପୂର୍ଣ୍ଣାଙ୍ଗ ଜିଲ୍ଲାଭାବେ ମାନ୍ୟତା ପାଇଛି। ବୌଦ୍ଧକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ ପରେ ଜିଲ୍ଲାବାସୀଙ୍କ ବହୁଦିନର ଦାବୀ ପୂରଣ ହୋଇପାରିଛି। ଅନ୍ୟପଟେ ଜିଲ୍ଲାର ବିକାଶଧାରାରେ ପୂର୍ବ ସହିତ ପଶ୍ଚିମାଞ୍ଚଳକୁ ରେଳସଂଯୋଗ ପାଇଁ ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ସହ ଦ୍ରୁତଗତିରେ ଏହାର ନିର୍ମାଣଧାରା ଜାରିରହିଛି।ଏହାସହିତ ମହାନଦୀ ଉପରେ ଉତ୍ତରପୂର୍ବ ସହିତ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାକୁ ସଂଯୋଗ ପାଇଁ ଧଳପୁର-ଆଠମଲ୍ଲିକ ଭଳି ସମ୍ପର୍କ ସେତୁ ନିର୍ମାଣ ପରେ ଅନୁଗୁଳ, ବୌଦ୍ଧ ଜିଲ୍ଲା ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି। ପର୍ଯ୍ୟଟନର ବିକାଶ ଦିଗରେ ଏକ ଐତିହାସିକ କାର୍ଯ୍ୟ ହାତକୁ ନିଆଯାଇ ହରଭଙ୍ଗା ବ୍ଲକର ବୀରନରସିଂହପୁରରେ ଓଡ଼ିଶାର ଦ୍ୱିତୀୟ ନନ୍ଦନବନ ନିର୍ମାଣ ପାଇଁ କାର୍ଯ୍ୟ ହାତକୁ ନିଆଯାଇଥିଲେ ମଧ୍ୟ ଏହାର ଭବିଷ୍ୟତକୁ ନେଇ ଜିଲ୍ଲାବାସୀ ଅନ୍ଧାରରେ ରହିଛନ୍ତି।
ମହାନଦୀ ଉପରେ ମର୍ଜାକୁଦ ସେତୁ ନିର୍ମାଣ ପରେ ବୌଦ୍ଧ ବିଜ୍ଞାପିତ ଅଂଚଳରେ ସାମିଲ ଥିବା ଏହି ଅଧିବାସୀଙ୍କ ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରାଯାଇ ପାରିଛି। ଏପରିକି ମର୍ଯ୍ୟାକୁଦରେ ଏକ ପର୍ଯ୍ୟଟନ ହବ ନିର୍ମାଣ କରାଯିବା ସ୍ୱପ୍ନ ଏଯାବତ୍ ତ୍ୱରାନ୍ୱିତ ହେବାରେ ବିଳମ୍ବ ଘଟିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇପାଦ ଆଗକୁ ଯାଇ ବୌଦ୍ଧରେ ୩ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତମ ସୁଇମିଂ ପୁଲ ମଧ୍ୟ ବୌଦ୍ଧରେ ନିର୍ମାଣ ହୋଇଛି। ବୌଦ୍ଧର ଇତିହାସକୁ ରୁଦ୍ଧିମନ୍ତ ପାଇଁ ଜିଲ୍ଲା ସଂଗ୍ରହାଳୟ ନିର୍ମାଣ କରାଯାଇଛି। ନୂତନ କୋର୍ଟ କାର୍ଯ୍ୟାଳୟ ସାଙ୍ଗକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାପନ କରାଯାଇ ଜିଲ୍ଲା ସଦରମହକୁମାକୁ ଏକ ପ୍ଲାନିଂ ଟାଉନ ଭଳି ଗଢି ତୋଳିବାର ପ୍ରୟାସ ଜାରିରହିଛି। ମାତ୍ର ବର୍ଷାଦିନେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ସହରବାସୀଙ୍କ ଅସନ୍ତୋଷର କାରଣ ସାଜିଛି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବିକାଶ କାର୍ଯ୍ୟ ଆଗେଇ ଚାଲିଛି। ମାତ୍ର ଏବେ ବି କୃଷିପ୍ରଧାନ ଜିଲ୍ଲା ବୌଦ୍ଧରେ ଶୀତଳଭଣ୍ଡାରର ଆବଶ୍ୟକତା ପୂରଣ ହୋଇପାରିନାହିଁ। ମହାନଦୀ ବନ୍ୟା ଦାଉରୁ ଚାଷଜମି ସାଙ୍ଗକୁ ନଈକୂଳିଆ ଗ୍ରାମଗୁଡିକର ସୁରକ୍ଷା ପାଇଁ ରିଙ୍ଗବନ୍ଧ ନିର୍ମାଣ ଆବଶ୍ୟକତା ନାଲିଫତା ତଳେ ପଡ଼ିରହିଛି। ଅଧିକାଂଶ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ବନ୍ଦ ଯୋଗୁଁ ନଈକୂଳିଆ ଜମିରେ ଆଗପରି ଆଖୁ, ଗହମ, ଡାଲିଜାତୀୟ ଚାଷ ଦେଖିବା ସ୍ୱପ୍ନ ହୋଇଛି। ଶିକ୍ଷା କ୍ଷେତ୍ରରେ ବୌଦ୍ଧ ଏବେ ବି ପଛୁଆ ରହିଛି। ଗ୍ରାମାଞ୍ଚଳରେ ଥିବା ସରସ୍ୱତୀ ଶିଶୁମନ୍ଦିର ଭଳି ଶିକ୍ଷାନୁଷ୍ଠାନ ସାଙ୍ଗକୁ ବହୁ ପୁରାତନ ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମିର ଏବେ ବି ଅଭାବ ରହିଛି। ବ୍ଲକର ହରଭଙ୍ଗାଠାରେ ଏକ ଡିଗ୍ରୀ କଲେଜ ସାଙ୍ଗକୁ ବିଜ୍ଞାନ କଲେଜର ଆବଶ୍ୟକତା ରହିଥିଲେ ମଧ୍ୟ ତାହା ପୂରଣ ହୋଇପାରିନାହିଁ। ବାଳିକା ହାଇସ୍କୁଲର ଆବଶ୍ୟକତା ରହିଥିଲେ ମଧ୍ୟ ଏହା ପୂରଣ ହୋଇପାରୁନାହିଁ। ସରକାରୀ ବସଚଳାଚଳ କମ୍ ଯୋଗୁଁ ଗ୍ରାମାଞ୍ଚଳ ଲୋକେ ଯାତାୟତ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ହରଭଙ୍ଗା, ଚାରିଛକ, ମାଧପୁର ଭଳି ସ୍ଥାନରେ ବସଷ୍ଟାଣ୍ଡର ଅଭାବ ରହିଛି। ଖେଳକୁଦ ଦିଗରେ ଜିଲ୍ଲାର ଯୁବପୀଢିଙ୍କ ଆଗ୍ରହ ରହିଥିଲେ ମଧ୍ୟ ପ୍ରୋତ୍ସାହନ ଏବଂ ପଡ଼ିଆର ଅଭାବ ଯୋଗୁଁ ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାଙ୍କ ଭବିଷ୍ୟତ ବଣମଲ୍ଲୀ ଭଳି ରହିଛି। ଏବେ ଜିଲ୍ଲାରେ ନିର୍ମାଣାଧିନ ଷ୍ଟାଡିୟମ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ଗ୍ରାମାଞ୍ଚଳର କୁନି ପ୍ରତିଭାଙ୍କ ନାଚ, ଗୀତ, ଚିତ୍ରାଙ୍କନ, ଝୋଟି ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରରେ କୌଣସି ଏକ କଳାମଣ୍ଡପ କିମ୍ବା ବ୍ଲକସ୍ତରୀୟ ହଲର ସୁବିଧା ନଥିବାରୁ ଗ୍ରାମାଞ୍ଚଳର କଳାକାରଙ୍କ ପ୍ରତିଭାଙ୍କ ବିକାଶ ହୋଇପାରୁନାହିଁ। ଜିଲ୍ଲାର ଜନସାଧାରଣଙ୍କ ଆର୍ଥିକ ସ୍ଥିତି କୃଷି ଉପରେ ନିର୍ଭର କରୁଛି। ମାତ୍ର କୃଷି, ପ୍ରାଣୀ, ମତ୍ସ୍ୟ, ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ ଭଳି କୃଷି ସମ୍ପର୍କିତ ବିଭାଗର ଭିତ୍ତିଭୂମି ଅଭାବରୁ ଲୋକେ ଏହି ବିଭାଗର ସ୍ୱାଦ ଚାଖି ପାରିନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ହରଭଙ୍ଗା ପ୍ରାଣୀ ଚିକିତ୍ସାକେନ୍ଦ୍ରର ଦୁର୍ବଳ ଭିତ୍ତିଭୂମି ଅଭାବରୁ ଏଠାରେ ନିଯୁକ୍ତ ତିନିଜଣ ଡାକ୍ତର ବସିବାକୁ ଜାଗା ଖଣ୍ଡିଏ ନଥିବା ଜଣାପଡ଼ିଛି। ଦୀର୍ଘ ୧୬ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିଥିବା ଚାରିଛକ ଦୁଗ୍ଧ ଶୀତଳିକରଣ ପ୍ଲାଣ୍ଟ ନୂତନ ନିର୍ମାଣକାର୍ଯ୍ୟ ଶେଷପରେ ବି ଦୁଗ୍ଧଚାଷୀଙ୍କୁ ଏପର୍ଯ୍ୟନ୍ତ ଏହାର ସୁବିଧା ମିଳିପାରିନାହିଁ। ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଜିଲ୍ଲା ମଧ୍ୟଭାଗ ଦେଇ ଅତିକ୍ରମ କରିଥିବାବେଳେ ପୁରୁଣାକଟକ ବାଏପାଶ ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ଅଧୁରା ରହିଛି। ବ୍ଲକରେ ଏକ ଶବ ବ୍ୟବଛେଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବୀ ହେଉଥିଲେ ମଧ୍ୟ ଏହା ପୂରଣ ହୋଇପାରିନାହିଁ।
କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ବାନ୍ଦିଗାଡୁ ଭଳି ଅନେକ ଦୁର୍ଗମ ଗାଁକୁ ସ୍ୱାଧିନତାର ବହୁବର୍ଷ ପରେ ବି ପାଦଚଲା ଖଣ୍ଡିଏ ରାସ୍ତାନଥିବା ଜିଲ୍ଲାର ବିକାଶ ଧାରା ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଛି। ହରଭଙ୍ଗାରେ ଏକ ମିନି ବ୍ଲକ ନିର୍ମାଣ ସହିତ ଐତିହାସିକ ଡାକବଙ୍ଗଳାର ପୁନରୁଦ୍ଧାର ସାଙ୍ଗକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆଦି ଦାବୀ ଲୋକଙ୍କ ପୂରଣ ହୋଇପାରିନାହିଁ। ସବୁ ଆଡୁ ଜିଲ୍ଲାକୁ ଯୋଗାଯୋଗର ରସ୍ତା ସଂଯୋଗ ଚାଲିଥିବାବେଳେ ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଜଗନ୍ନାଥ ସଡକରେ ଏକ ହାଇଲେବୁଲ ରାସ୍ତା ନିର୍ମାଣ କରାଯାଇ ଏହି ଅଂଚଳର ବିକାଶକୁ ତ୍ୱାରନ୍ୱିତ କରିବା ଦାବୀ ମଧ୍ୟ ଅଧୁରା ରହିଛି। ପର୍ଯ୍ୟଟନ ବିକାଶ ପାଇଁ ଜିଲ୍ଲାପ୍ରଶାସନ ଅଣ୍ଟା ଭିଡିଥିବାବେଳେ ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀର ଆଶାନୂରୂପ ବିକାଶ ହୋଇପାରିନାହିଁ। ଏପରିକି ବ୍ଲକର କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଂଚଳରେ ପ୍ରସ୍ତାବିତ ଇକୋ-ଟୁରିଜିମ୍ ଏଯାବତ୍ ଆରମ୍ଭ ହୋଇପାରିନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ଦାବୀ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବାରୁ ଅନେକ ସ୍ଥାନର ବିକାଶ କେବଳ କଥାରେ ହିଁ ରହିଯାଇଛି।



