ପ୍ୟାରିସ୍: ବିଶ୍ୱ ଫୁଟ୍ବଲର ପ୍ରଶାସନିକ ସଂସ୍ଥା ଫିଫା ଘୋଷଣା କରିଛି ଯେ ୨୦୨୩ରେ ହେବାକୁ ଥିବା ମହିଳା ଫୁଟ୍ବଲ ବିଶ୍ୱକପ୍କୁ ମିଳିତ ଭାବେ ଦୁଇ ପଡ଼ୋଶୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆୟୋଜନ କରିବେ। ଏହି ବିଶ୍ୱକପ୍ ୨୦୨୩ ଜୁଲାଇ ୨୦ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଖେଳାଯିବ। ଫୁଟ୍ବଲ ଇତିହାସରେ ପ୍ରଥମଥର ପାଇଁ ମହିଳା ବିଶ୍ୱକପ୍ରେ ୩୨ଟି ଦଳ ଖେଳିବାକୁ ଯାଉଛନ୍ତି। ଗତ ବିଶ୍ୱକପ୍ରେ ୨୪ଟି ଦଳ ଭାଗ ନେଇଥିଲେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ୯ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ।
ଜୁଲାଇ ୨୦ରେ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଅଗଷ୍ଟ ୨୦ରେ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ସିଡ୍ନୀ ଷ୍ଟାଡିୟମ୍ରେ ଖେଳାଯିବ। ଅଷ୍ଟ୍ରେଲିଆର ସିଡ୍ନୀ, ମେଲ୍ବୋର୍ଣ୍ଣ, ପର୍ଥ, ଆଡିଲେଡ୍ ଓ ବ୍ରିସ୍ବେନ୍ରେ ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡର ୪ଟି ସହର ଅକ୍ଲାଣ୍ଡ, ଡ୍ୟୁନେଡିନ୍, ହାମିଲଟନ ଓ ୱେଲିଂଟନ୍ରେ ଏହି ବିଶ୍ୱକପ୍ର ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଗୋଟିଏ ଲେଖାଏଁ ସେମିଫାଇନାଲ ଖେଳାଯିବ।



