ଚିକି : ଗଂଜାମ ଜିଲ୍ଲା ଗୋଲନ୍ଥରା ଥାନା ଚିକିଟି ବ୍ଲକ ଅଧୀନ କୁତୁରୁ ପଞ୍ଚାୟତର ଅନ୍ତର୍ଗତ ଚନ୍ଦନବାଡ଼ ଗ୍ରାମରେ ଗ୍ୟାସରୁ ନିଆଁ ଲାଗି ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାମାନେ ହେଲେ ହେମଲତା ବେହେରା ଓ ରେବତୀ । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ହେମଲତା ବେହେରା କୌଣସି କାମରେ ରେବତୀ ଘରକୁ ଯାଇଥିଲେ । ରୋଷେଇ ଘରେ ବସି ରେବତୀ ଏବଂ ହେମଲତା କଥା ହେଉଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ହଠାତ ବାହାରି ଲୁଗାରେ ନିଆଁ ଲାଗିଥିଲା। ଉଭୟ ପୋଡ଼ି ହୋଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପରିବାର ଓ ସାହିପଡ଼ିଶା ଲୋକେ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ।
ଏନେଇ ଅଗ୍ନିଶମ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ଉଭୟ ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏମ୍ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



