ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗୁରୁବାର ରାତିରେ ଝଡ଼ତୋଫାନ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଝଡ଼ତୋଫାନ ବେଳେ ବଜ୍ରପାତ ଯୋଗୁଁ କେତେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି।
ପାଣିପାଗ ବିଭାଗ ନିର୍ଦେଶକ ଜେପି ଗୁପ୍ତା ଶୁକ୍ରବାର କହିଛନ୍ତି ଯେ ଝଡ଼ତୋଫାନ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହି ବିପଦ ରହିବ। ଲୋକଙ୍କୁ ଝଡ଼ତୋଫାନ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଗୁରୁବାର ରାତିରେ ଉତ୍ତରପ୍ରଦେଶ ମୈନପୁରୀ, ଇଟାହ, କାସଗଞ୍ଜ, ମହୋବା, ହମିରପୁର, ଫାରୁଖାବାଦ, ବଦାୟୁଁ ଏବଂ ପିଲ୍ଲିଭୀତିରେ ପ୍ରବଳ ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ହୋଇଥିଲା। କେତେକ ଜିଲାରେ କୁଆପଥର ବର୍ଷା ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ଓ ଆହତଙ୍କ ପରିବାରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଉଦ୍ଧାର ଆୟୁକ୍ତ ସଂଜୟ କୁମାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ବଜ୍ରପାତରେ ଅଧିକାଂଶ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୈନପୁରୀରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇଟାହ ଏବଂ କାସଗଞ୍ଜରେ ୩ ଜଣ ଲେଖାଏଁ, ମୁରାଦବାଦ, ମହୋବା, ହମିରପୁର, ଫାରୁଖାବାଦ, ବଦାୟୁଁ ଏବଂ ପିଲ୍ଲିଭୀତିରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶରେ ଝଡ଼ତୋଫାନ; ୧୮ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ
Popular Categories



