ସିଫାରେ ୧୦ମ ବିଶ୍ୱ ରେଡିଓ ଦିବସ ପାଳିତ, ଯୋଗଦେଲେ ୮ଟି ରାଜ୍ୟର ରେଡିଓ ପ୍ରତିନିଧି 

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା), ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ଓ ରେଡିଓ କ୍ଲବ୍ ଓଡିଶାର ମିଳିତ ଆନୁକୂଲ୍ୟରେ ସିଫା ଅଡିଟୋରିୟମ୍ ଠାରେ ଶନିବାର ୧୦ମ ବିଶ୍ୱ ରେଡିଓ ଦିବସ-୨୦୨୧ ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୧୨୦ ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବା ରେଡିଓ ବନ୍ୟା, ବାତ୍ୟା, ଯୁଦ୍ଧ ଓ ମହାମାରୀ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ପ୍ରଥମେ ସତର୍କ ସୂଚନା ଦେଇ ସଚେତନ କରିଥାଏ ବୋଲି ଏହି ସମାବେଶରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।

ରେଡିଓ କ୍ଲବ୍ ଅଫ୍ ଅଡ଼ିଶା ପକ୍ଷରୁ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ରେଡିଓକୁ ନେଇ ନିଜର ଅନୁଭୂତି ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀସାହୁ କହିଲେ ଯେ ଏବେବି ମୋ ପାଖରେ ମୋ ପତ୍ନୀ ଯୌତୁକରେ ଆଣିଥିବା ବୁଶ୍ କଂପାନୀ ରେଡିଓ ଅଛି । ପତ୍ନୀ ଚାଲିଗଲେଣି କିନ୍ତୁ ରେଡିଓ ଅଛି । ଦିନଥିଲା ଏହା ଧନୀ ଏବଂ ଗରିବଙ୍କ ପାଇଁ ମନୋରଞ୍ଜନ ଓ ସମ୍ବାଦ ପାଇବାର ଏକମାତ୍ର ଉତ୍ସ ଥିଲା । ରେଡିଓ କ୍ଲବ୍‌ର କାର୍ଯ୍ୟାବଳୀ ସଂପର୍କରେ ସଂପାଦକ ପି. କେ. ଦତ୍ତ ସୂଚନା ଦେଇଥିଲେ । ଜାମ୍ମୁ-କାଶ୍ମୀରରୁ ଆସିଥିବା ରୋଡିଓ-ଶ୍ରଦ୍ଧା ର ନିର୍ଦ୍ଦେଶକ ଡଃ ରମେଶ ହଙ୍ଗ୍ଲୁ ଭାରତୀୟ ବିବିଧ ସଂସ୍କୃତିକୁ ପ୍ରଚାର ସମୃଦ୍ଧି କରାଇବାରେ ରେଡିଓର ପ୍ରମୁଖ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ । ରାଜସ୍ଥାନରୁ ଆସିଥିବା ରେଡିଓ ଜନବାଣୀର ସଚିବ ଡଃ ଡି. ପି. ସିଂହ ଲୋକଙ୍କ ସହ ଯୋଡି ହୋଇ କାମ କରିବା ଦିଗରେ ଗୋଷ୍ଠୀରୋଡିଓର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ପାଇଁ ରେଡିଓ ଏକ ମୂଲ୍ୟବାନ ଉପାଦାନ ଓ ଆଜିବି ଗ୍ରାମାଞ୍ଚଳରେ ଗୋଷ୍ଠୀରେଡିଓର ଚାହିଦା ରହିଛି ବୋଲି ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରକାଶ କରିବା ସହ ସିଫା  ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୈଷୟିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ବିଭିନ୍ନ ରାଜ୍ୟରୁ ଆସିଥିବା ରେଡିଓ କ୍ଲବ୍ ସଦସ୍ୟମାନଙ୍କୁ ସିଫା ମତ୍ସ୍ୟପୋଷଣ ଓ କ୍ରିୟାତତ୍ତ୍ବ ବିଭାଗର ମୁଖ୍ୟ ତଥା ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଏସ୍. ଏସ୍. ଗିରି ଉଦ୍ବୋଧନ ଦେଇଥିଲେ ।  ଏହି ପରିପ୍ରେକ୍ଷୀରେ ରେଡିଓ ଫର୍ ପିପୁଲ୍ ନାମକ ଏକ ସ୍ମରଣୀକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

୪ଟି ବୈଷୟିକ ପର୍ଯ୍ୟାୟକ୍ରମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୃଷି, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା ପାଇଁ ରେଡିଓର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସିଫା ଓ ଆକାଶବାଣୀ କଟକର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନର ରେଡିଓ ଜନବାଣୀ, ଜାମ୍ମୁ-କାଶ୍ମୀରର ରୋଡିଓ ଶ୍ରଦ୍ଧା ଓ ଆକଶବାଣୀ ସମ୍ବଲପୁରର ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୃତୀୟ ପର୍ଯ୍ୟାୟରେ କିଟ୍ ଏବଂ ଓଡିଶା ହାଇକୋର୍ଟର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଅନିଲ୍ କୁମାର କର, ଡଃ  ଡି. ପି. ସିଂହ,  ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନର୍ଦ୍ଦେଶକ ଡଃ ଶରତ ସାହୁ ଓ ରେଡିଓ ଚକୋଲେଟ୍, ବିଗ୍ ଏଫ୍ଏମ୍, ରେଡ୍ ଏଫ୍ଏମ୍ ର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଉଦ୍ୟାପନୀ ସମାରୋହରେ ଅତିଥି ଭାବେ ରାଜସ୍ଥାନ ସ୍ଥିତ ରେଡିଓ ମଧୁବନର ମୁଖ୍ୟ ଯଶୋବନ୍ତ ପାଟିଲ୍, ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଲୋକମାନଙ୍କ ଜ୍ଞାନ ଓ ଭାବର ଆଦାନ ପ୍ରଦାନ ନିମନ୍ତେ ରେଡିଓ ଏକ ଅପରିହାର୍ଯ୍ୟ ମାଧ୍ୟମ ଓ ଗୋଷ୍ଠୀ ରେଡିଓର ପ୍ରସାର ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ଓ ନୀତି ନିର୍ଦ୍ଧାରଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏବେ ରେଡିଓ ଏକ ନୂଆ ରୂପରେ ଯଥା ରେଡିଓ ଆପ୍ ଓ ୱେବ୍ ରେଡିଓ ରୂପରେ ଲୋକମାନଙ୍କର ଆଦରଣୀୟ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ରେଡିଓ କ୍ଲବ୍ ଅଫ୍‍ ଓଡିଶାର ଝୁନାକୁମାରୀ ପଟ୍ଟନାୟକ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ସମେତ ଦେଶର ୮ଟି ରାଜ୍ୟରୁ ପ୍ରାୟ ୧୨୦ ଜଣ ରେଡିଓ ପ୍ରତିନିଧି ଯୋଗ ଦେଇଥିଲେ ।

Comments are closed.