www.samajalive.in
Tuesday, December 9, 2025
23.1 C
Bhubaneswar

ମାସେ ପୂରିଲା ଯୁଦ୍ଧ ; ଆକ୍ରମଣ କିଛି ଘଣ୍ଟା କୋହଳ

ତେଲ୍‌ ଆବିଭ୍‌ : ଉତ୍ତର ଗାଜାରୁ ସାଧାରଣ ଜନତାଙ୍କ ଅପସାରଣ ପାଇଁ ଇସ୍ରାଏଲ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ଦୀର୍ଘ ସମୟ ଧରି ବୋମା ବର୍ଷଣ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ସାଧାରଣ ଜନତାଙ୍କୁ ଗାଜାର ଦକ୍ଷିଣ ଦିଗକୁ ଚାଲିଯିବା ପାଇଁ କୁହାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ପଳାଇଯିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୋମାମାଡ଼ କୋହଳ କରାଯାଇଥିଲା ବୋଲି ଇସ୍ରାଏଲ ସେନା ଆଇଡିଏଫ୍‌ କହିଛି। ଲୋକଙ୍କୁ କେଉଁ ସ୍ଥାନକୁ ଓ କିପରି ଯିବାକୁ ହେବ ତାହା ମଧ୍ୟ ବତାଇ ଦିଆଯାଇଥିବା ଆଇଡିଏଫ୍‌ ସୂଚନା ଦେଇଛି। ଦକ୍ଷିଣାଞ୍ଚଳରେ ଖାଦ୍ୟ ଓ ପାନୀୟର ସୁବିଧା ରହିଥିବା ଏହା ଦର୍ଶାଇଛି। ଅପରପକ୍ଷରେ ସେମାନେ ଯାଉଥିବାବେଳେ ହମାସ୍‌ ପକ୍ଷରୁ ଗୁଳିଗୋଳା ମାଡ଼ ହେଉଥିବା ଆଇଡିଏଫ୍‌ ଅଭିଯୋଗ କରିଛି। ଇସ୍ରାଏଲ ସେନା ଗାଜା ସହରକୁ ସମ୍ପୂର୍ଣ୍ଣ ଘେରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଅଭ୍ୟନ୍ତରକୁ ପ୍ରବେଶ କରିବା ଯୋଜନା ରହିଛି। ଗାଜା ସହର ବସ୍ତୁତଃ ଦୁଇ ଭାଗ ହୋଇଯାଇଛି। ଉତ୍ତର ଗାଜା ସହରରେ ପ୍ରବଳ ବୋମା ବର୍ଷଣ ଚାଲିଥିବାବେଳେ ଦକ୍ଷିଣ ଗାଜା ଆପାତତଃ ଶାନ୍ତ ରହିଛି ବୋଲି ଆଇଡିଏଫ୍‌ କହିଛି।
ଯୁଦ୍ଧ ମାସେ ଚୁଇଁଥିବାବେଳେ ମାନବିକତା ଦୃଷ୍ଟିରୁ ଯୁଦ୍ଧବିରତି ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ନିବେଦନକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ଯୁଦ୍ଧ ବିରତି ପାଇଁ ଉଦ୍ୟମ ଚଳାଇଥିବା ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଲେବାନନ୍‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏଡ଼ାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ସୋମବାର ସେ ଅପ୍ରତ୍ୟାଶିତ ଭାବେ ଯାଇ ଇରାକରେ ପହଞ୍ଚିଛନ୍ତି। ବାଗଦାଦରେ ସେ ଇରାକ୍‌ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍‌-ସୁଦାନିଙ୍କ ସହ ଆଲୋଚନା ପରେ ତୁର୍କୀ ଯାଇଥିବା ପ୍ରକାଶ। ରବିବାର ସେ ୱେଷ୍ଟବ୍ୟାଙ୍କ ଯାଇ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦେଶକ ୱିଲିୟମ ବର୍ଣ୍ଣସ୍‌ ମଙ୍ଗଳବାର ଗାଜାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ସେ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବେ। ହମାସ୍‌ର ଅବସ୍ଥିତିକୁ ଦର୍ଶାଇ ଗାଜାକୁ ବିଶ୍ବର ସର୍ବବୃହତ୍‌ ଆତଙ୍କବାଦୀ ଆଡ୍ଡାସ୍ଥଳୀ ବୋଲି ଦର୍ଶାଇଛନ୍ତି ଆମେରିକାରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ।
ସୋମବାର ସୁଦ୍ଧା ଗାଜା ମୃତ୍ୟୁ ସଂଖ୍ୟା ୯ହଜାର ୮୦୦ ଛୁଇଁଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜାତିସଂଘର ୮୮ କର୍ମଚାରୀ ଓ ୪ହଜାର ଶିଶୁ ଥିବା ପ୍ରକାଶ। ରବିବାର ଆଇଡିଏଫ୍‌ ବିମାନରୁ କେନ୍ଦ୍ରୀୟ ଗାଜାର ଦୁଇଟି ଶରଣାର୍ଥୀ ଶିବିରରେ ପୁନର୍ବାର ବୋମା ବର୍ଷଣ କରାଯାଇଥିଲା। ଏଥି‌େ‌ର ୫୩ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଅନେକ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ ଆକ୍ରମଣରେ ତିନି ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୋଲ୍ଲା ଆକ୍ରମଣରେ ଇସ୍ରାଏଲର ତିନି ବାଳିକା ପ୍ରାଣ ହରାଇଥିବା ପ୍ରକାଶ। ଗାଜାରେ ଟେଲିଯୋଗାଯୋଗ ପୁନର୍ବାର ବିଚ୍ଛିନ୍ନ କରାଯାଇଥିଲାବେଳେ ଏହା ପୁନର୍ବାହାଲ ହୋଇଛି। ଇସ୍ରାଏଲ ପକ୍ଷରୁ ଟିକସ ବାବଦ ଅର୍ଥରୁ ଆଂଶିକ ପ୍ରଦାନ ପାଇଁ ସମ୍ମତି ପ୍ରକାଶ କରାଯାଇଥିବାବେଳେ ପାଲେଷ୍ଟାଇନ୍‌ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଗାଜାରେ ବ୍ୟୟ ପାଇଁ ଏହି ଅର୍ଥ ରଖାଯାଇଥିଲା। ଜୋର୍ଡାନ୍‌ ପକ୍ଷରୁ ବିମାନ ଯୋଗେ ଗାଜାରେ ଜରୁରୀ ଚିକିତ୍ସା ସହାୟତା ସାମଗ୍ରୀ ପହଞ୍ଚାଯାଇଛି। ସାହସର ସହ ଏହାକୁ ରବିବାର ମଧ୍ୟରାତ୍ରିରେ ଦୁଇଟି ବିମାନରୁ କେତେକ କ୍ଷେତ୍ରୀୟ ଡାକ୍ତରଖାନା ଉପରେ ଖସାଇ ଦିଆଯାଇଥିଲାବେଳେ ‘ଗାଜାର ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଆମର ଛୋଟ କର୍ତ୍ତବ୍ୟ’ ବୋଲି ଜୋର୍ଡାନ୍‌ ରାଜା ଅବଦୁଲ୍ଲା-୨ କହିଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories