ସୋର : ବାଲେଶ୍ୱର ସ୍ଥିତ ଖଇରା ଡାଲଙ୍ଗ ଗାଁ ଅଙ୍ଗନବାଡି କେନ୍ଦ୍ରରେ ଶୁକ୍ରବାର ଏକ ଶିଆଳ ପଶି ଶିଶୁଙ୍କୁ ଆକ୍ରମଣ କରିଛି। ଅଙ୍ଗନବାଡି କେନ୍ଦ୍ରରେ ଶିଆଳ କାମୁଡାରେ ୩ ଅଙ୍ଗନବାଡ଼ି ପିଲା ସମେତ ୧୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କରିବାକୁ ଯାଇଥିବା ଗ୍ରାମବାସୀଙ୍କୁ ମଧ୍ୟ ଶିଆଳ କାମୁଡିଛି। ଶିଆଳକୁ ଲୋକେ କାବୁ କରିବା ସହ ଆହତଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଖଇରା ବ୍ଲକ ଡ଼ାଲଙ୍ଗ ଗ୍ରାମରେ ଆଜି ଏକ ଶିଆଳ ଗ୍ରାମ ଭିତରକୁ ପଶି ଆସିଥିଲା। ପ୍ରଥମେ ଡ଼ାଲଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରରେ ଆସିଥିବା ପିଲାମାନଙ୍କୁ କାମୁଡିବାରୁ ପିଲାମାନେ ଚିତ୍କାର କରିଥିଲେ। ଗ୍ରାମବାସୀ ଆସି ଶିଆଳକୁ ଗୋଡ଼ାଇବାରୁ କିଛି ଗ୍ରାମବାସୀ ମାନଙ୍କୁ ମଧ୍ୟ କାମୁଡ଼ିଥିଲା । ଆହତ ସୋର ମେଡିକାଲରେ ଓ ୨ ଜଣ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗ୍ରାମବାସୀମାନେ ଶିଆଳକୁ କାବୁ କରିଛନ୍ତି। ଏହା ପୂର୍ବରୁ ଜଳଦାରେ ମଧ୍ୟ କିଛି ଲୋକଙ୍କୁ ଶିଆଳ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି।



