www.samajalive.in
Saturday, December 6, 2025
19.1 C
Bhubaneswar

 ୭ ହାତୀ ମୃତ୍ୟୁ ଘଟଣା: ହାଇଦ୍ରାବାଦ ଓ ଡେରାଡୁନ୍‍ ଯିବ ସଂଗୃହୀତ ନମୁନା

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ବନାଞ୍ଚଳ ଅନ୍ତର୍ଗତ କମଳାଙ୍ଗ ଗାଁରେ ଗତ ୪ ଦିନ ତଳେ ଘଟିଥିବା ୭ ହାତୀ ମୃତ୍ୟୁ ଘଟଣାର କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ତ୍ୱରାନ୍ୱିତ ହୋଇଛି। ମଙ୍ଗଳବାର ରାଜ୍ୟ ଅପରାଧ ବିଜ୍ଞାନ ପରୀକ୍ଷାଗାର (ଷ୍ଟେଟ୍‍ ଫୋରେନ୍ସିକ ସାଇନ୍ସ ଲାବରୋଟୋରୀ)ର ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛନ୍ତି। ସଂଗୃହୀତ ନମୂନାକୁ ହାଇଦ୍ରାବାଦ ଏବଂ ଡେରାଡୁନ୍‍କୁ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି। ପ୍ରକାଶ ଯେ ବିଦ୍ୟୁତ୍‍ ତାର ସ୍ପର୍ଶରେ କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଭାବରେ ଗ୍ରହଣ କରି ରାଜ୍ୟ ସରକାର କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ସେସୁ ଏବଂ ବନବିଭାଗ କାର୍ଯ୍ୟାଳୟରେ ତଦନ୍ତ ଜାରି ରହିଥିବାବେଳେ ମଙ୍ଗଳବାର ରାଜ୍ୟ ଅପରାଧ ବିଜ୍ଞାନ ପରୀକ୍ଷାଗାରର ସାଇଣ୍ଟିଫିକ୍‍ ଅଫିସର ସନ୍ତୋଷ କୁମାର ରଥଙ୍କ ନେତୃତ୍ୱରେ ଜନ୍ମେଞ୍ଜୟ ସାହୁ, ଲାବରୋଟୋରୀ ଆଟେଣ୍ଡାଣ୍ଟ ରଙ୍କନିଧି ମହାପାତ୍ର ଓ ଫଟୋଗ୍ରାଫର ଦୁର୍ଗାପ୍ରସାଦ ନାୟକ ହାତୀମୃତ୍ୟୁ ସ୍ଥଳରେ ପହଞ୍ଚି କ୍ରାଇମ୍‍ବ୍ରାଞ୍ଚ୍‍ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ନମୂନା ସଂଗ୍ରହ କରିଛନ୍ତି। ମୃତ ହାତୀପଲଙ୍କୁ ପୋତାଯାଇଥିବା ସ୍ଥାନ ବୁଲି ଦେଖିବା ସହ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍‍ ତାରରୁ ୫ଟି ରକ୍ତ ନମୂନା ଓ ଟିସୁ ସଂଗ୍ରହ କରିଥିଲେ। ଏଥିସହ ରକ୍ତଛିଟା ଲାଗିଥିବା ପ୍ରାୟ ୫୦ ମିଟର ବିଦ୍ୟୁତ୍‍ ତାର, ରକ୍ତଭିଜା ମାଟିକୁ ପୃଥକ ପୃଥକ ପ୍ୟାକେଟ୍‍ କରିଛନ୍ତି। ସଂଗୃହୀତ ନମୂନାଗୁଡିକୁ କ୍ରାଇମ୍‍ବ୍ରାଞ୍ଚ୍‍ ଜରିଆରେ ହାଇଦ୍ରାବାଦ୍‍ସ୍ଥିତ ସେଣ୍ଟର ଫର୍‍ ସେଲୁଲାର ଆଣ୍ଡ୍‍ ମୋଲେକୁଲାର ବାୟୋଲୋଜି (ସିସିଏମ୍‍ସି) କ୍ୟାମ୍ପସ୍‍ ଏବଂ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲ୍ୟୁଏଲଆଇଆଇ) ଡେରାଡୁନ୍‍କୁ ପଠାଯିବ। ଏପଟେ କ୍ରାଇମ୍‍ବ୍ରାଞ୍ଚ୍‍ ପକ୍ଷରୁ ଦ୍ୱିତୀୟ ଦିନରେ ସେସୁ ଏବଂ ବନବିଭାଗର ରେଞ୍ଜ ଅଫିସ୍‍, ଡିଭିଜନ୍‍ ଅଫିସ ଓ ସେକ୍ସନ ଅଫିସ୍‍ରେ ଯାଞ୍ଚ ଜାରି ରହିଛି। ତଦନ୍ତକାରୀ ଅଧିକାରୀ ଡିଏସ୍‍ପି ଦେବୀଦତ୍ତ ବିଶ୍ୱଜୀବନ ମିଶ୍ର କୁହନ୍ତି, କ୍ରାଇମ୍‍ବ୍ରାଞ୍ଚ୍‍ ଏସପି ଏମ୍‍ ଏସ୍‍ ସମ୍ପଦ ମଙ୍ଗଳବାର ସୁପରଭିଜନ ପାଇଁ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପରାମର୍ଶ ଦେଇଛନ୍ତି। ଏସ୍‍ଏଫ୍‍ଏସ୍‍ଏଲ୍‍ ପକ୍ଷରୁ ହାତୀ ମୃତ୍ୟୁ ସ୍ଥାନରୁ ନମୂନା ସଂଗ୍ରହ କରାଯାଇ ହାଇଦ୍ରାବାଦ୍‍ ଏବଂ ଡେରାଡୁ୍‍ନକୁ ପଠାଯାଇଛି। ହାତୀ ମୃତ୍ୟୁ ଘଟଣାରେ କେଉଁ ଅଧିକାରୀଙ୍କ ଅବହେଳା ରହିଛି ସେନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି। ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର, ସେସୁର ସହକାରୀ ଯନ୍ତ୍ରୀ ମନୋଜ ପାଣି, କନିଷ୍ଠଯନ୍ତ୍ରୀ ପ୍ରଦୀପ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଲାବରୋଟୋରୀ ଟିମ୍‍କୁ ସହଯୋଗ କରିଥିଲେ। ପ୍ରକାଶ ଥାଉ କି ଗତ ଶନିବାର ସକାଳ ସମୟରେ ହାତୀପଲ ଜଙ୍ଗଲକୁ ଫେରୁଥିବାବେଳେ କମଳାଙ୍ଗ ଗାଁ ନିକଟରେ ୧୧ କେଭି ବିଦ୍ୟୁତ୍‍ ତାର ସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁମୁଖରେ ପଡିଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏହାର କ୍ରାଇମ୍‍ବ୍ରାଞ୍ଚ୍‍ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ସେସୁର ଅଧୀକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଲାଇନ୍‍ମ୍ୟାନ୍‍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବାବେଳେ ମେରାମୁଣ୍ଡଳି ସେସ୍କନ କନିଷ୍ଠଯନ୍ତ୍ରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ବନବିଭାଗର ସଦର ରେଞ୍ଜର, ମେରାମୁଣ୍ଡଳି ଫରେଷ୍ଟର ଏବଂ ଗାର୍ଡଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories