ପୁଣେ: ଏଭଳି ଜଣେ ବ୍ୟକ୍ତି ଯାହାର ନା’ ବ୍ୟାଙ୍କରେ ଅଛି ଟଙ୍କା,ନା’ କୌଣସି ପରିବାର। ଏଭଳି ଜଣେ ବ୍ୟକ୍ତି ୨୦୧୧ରେ ସମଗ୍ର ଭାରତ ବର୍ଷରେ ସର୍ବାଧିକ ଲୋକପ୍ରିୟତାର ଶୀର୍ଷରେ ପହଞ୍ôଚ ଥିଲା। ଏଭଳି ଜଣେ ବ୍ୟକ୍ତି ଯାହାଙ୍କ ଡାକରାରେ ଦେଶରେ ସୃଷ୍ଟି ହୋଇଥିଲା ଜନଆନ୍ଦୋଳନ। ଲୋକପାଳ ବିଲକୁ ନେଇ ଆନ୍ନାଙ୍କ ଆନ୍ଦୋଳନ ଦେଶରେ ବ୍ୟାପକ ପ୍ରଭାବ ପକାଇ ଥିଲେ ମଧ୍ୟ ସମୟାନୁକ୍ରମେ ଏଭଳି ଜଣେ ବ୍ୟକ୍ତିତ୍ୱର ଲୋକପ୍ରିୟତା ୨୦୧୯ ସୁଦ୍ଧା କମିବାରେ ଲାଗିଛି। ୨୦୧୧ରେ ଅନିଦ୍ଦିଷ୍ଟ କାଳ ପାଇଁ ଅନସନରେ ବସି ରାତାରାତି ଜନନାୟକ ପାଲଟିଥିବା ଆନ୍ନା ହଜାରେ ଆଜି ମଧ୍ୟ ଅନସନରେ ବସିଛନ୍ତି। ଲୋକପାଳ ବିଲକୁ ନେଇ ଦାବି ୨୦୧୧ରେ ଚାଲିଥିଲା ଏବେ ମଧ୍ୟ ଚାଲିଛି। ହେଲେ ଦେଶବାସୀଙ୍କ ମଧ୍ୟରେ କାହିଁକି କେଜାଣି ସେହି ଉନ୍ମାଦନା ଆଉ ନାହିଁ। ୨୦୧୧ରେ ଆନ୍ନା ଯେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀରେ ଆନ୍ଦୋଳନ କରୁଥିଲେ ଆଜି ସେହି ଉଦ୍ଦେଶ୍ୟରେ ଆନ୍ଦୋଳନ ନେଇ ତାଙ୍କୁ ତାଙ୍କ ନିଜସ୍ୱ ଗ୍ରାମ ମହାରାଷ୍ଟ୍ରର ରାଲେଘାଓ ସିଦ୍ଧି ଗ୍ରାମରେ ବସିବାକୁ ପଡ଼ିଛି। ସେତେବେଳେ ତାଙ୍କ ଜନଆନ୍ଦୋଳନରେ ଦେଶ ଓ ବିଦେଶର ଶିକ୍ଷିତ ଯୁବକ ଯୋଗ ଦେଉଥିଲେ ଆଜି ଗ୍ରାମର କିଛି ତଥାକଥିତ ବ୍ୟକ୍ତି ହିଁ କେବଳ ତାଙ୍କ ଆନ୍ଦୋଳନର ସହଯାତ୍ରୀ ପାଲଟିଛନ୍ତି। ୨୦୧୧ରୁ ୨୦୧୪ ମଧ୍ୟରେ ଦେଶର ପ୍ରମୁଖ ବିରୋଧୀ ଦଳ ଆନ୍ନାଙ୍କ ଆନ୍ଦୋଳନ ସମର୍ଥନରେ ଛିଡ଼ା ହୋଇଥିଲେ। ଅଥଚ ଏବେ ଆନ୍ନାଙ୍କ ଆନ୍ଦୋଳନକୁ ବିରୋଧୀ ଦଳ ଦୂରେଇ ରହୁଛନ୍ତି। ଏପରିକି ଆନ୍ନାଙ୍କ ଆନ୍ଦୋଳନରୁ ଜନ୍ମ ନେଇଥିବା ରାଜନୈତିକ ଦଳ ଆମ ଆଦମୀ ପାର୍ଟି ଥରୁଟିଏ ମଧ୍ୟ ଆନ୍ନାଙ୍କ ଆନ୍ଦୋଳନକୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆନ୍ନା ୩୨ଥର ଚିଠି ଲେଖି ଲୋକପାଳ ବିଲକୁ ସମଗ୍ର ଦେଶରେ ଲାଗୁ କରିବାକୁ ଦାବି କରିଥିଲେ। ହେଲେ ବିଜେପିକୁ ୨୦୧୪ରେ ବହୁମତ ମିଳିଲା ସତ୍ତେ୍ୱ ଆନ୍ନାଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ସମ୍ପୂର୍ଣ୍ଣ ଭୁଲି ଗଲା।
ଆନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଶିବସେନା ଓ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଉଦବେଗ ପ୍ରକାଶ କରାଯାଇ ମହାରାଷ୍ଟ୍ର ସରକାରକୁ ଆନ୍ନାଙ୍କ ସ୍ୱାସ୍ଥ୍ୟ ସହ ନଖେଳିବାକୁ ଚେତାବନୀ ଦେଇଥିଲେ। ଏପରିକି ଉଦ୍ଭବ ଠାକରେ ଓ ରାଜ ଠାକରେ ଆସି ଆନ୍ନାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଆଞ୍ଚଳିକ ଦଳର କଡ଼ା ଚେତାବନୀ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିସ ମଙ୍ଗଳବାର ଆନ୍ନାଙ୍କ ଅନଶନସ୍ଥଳକୁ ଆସି ପ୍ରତିଶ୍ରୁତି ଦେବା ସହ ଅନଶନ ଭାଙ୍ଗିଛନ୍ତି। ଏହି ପ୍ରକ୍ରିୟାରେ କେବଳ ରାଜ୍ୟ ଜନସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ହିଁ ଆନ୍ନାଙ୍କୁ ନିୟମିତ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।
ଦେଶବାସୀ ଆନ୍ନାଙ୍କ ଆନ୍ଦୋଳନ ଓ ଅବଦାନକୁ ପାଶୋରି ଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ଜଣେ ଗଣ୍ୟମାନ ଜନନାୟକଭାବେ ଆନ୍ନାଙ୍କ ନାମ ରହିଛି।
୨୦୧୧ର ମାର୍ଗଦର୍ଶକ ଆନ୍ନାଙ୍କ କମୁଛି ଲୋକପ୍ରିୟତା
Popular Categories



