www.samajalive.in
Monday, December 8, 2025
24.1 C
Bhubaneswar

ଶୁୁଦ୍ଧିକ୍ରିୟା ଭୋଜି ଖାଇ ଝାଡ଼ାବାନ୍ତିରେ ୨୫୦ ଆକ୍ରାନ୍ତ

ବାଂଶପାଳ/କେନ୍ଦୁଝର: ବାଂଶପାଳ ବ୍ଲକ ନିକଟସ୍ଥ ଟୋଲଡ଼ିହ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇ ୨୫୦ରୁ ଊର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୪୦ରୁ ଊର୍ଦ୍ଧ୍ବ ମହିଳା ଏବଂ ୨୦ରୁ ଊର୍ଦ୍ଧ୍ବ ଶିଶୁ ଥିବା ଜଣାପଡିଛି। ଅନ୍ୟପକ୍ଷରେ ରବିବାର କେନ୍ଦୁଝର ଜିଲା ପଣ୍ଡାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘କାଳିଆ’ ସମାବେଶ ଥିବାରୁ ସେଥିରେ ଅଧିକାଂଶ ଆମ୍ବୁଲାନ୍ସ ନିୟୋଜିତ ଥିଲା। ଫଳରେ ଝାଡ଼ାବାନ୍ତି ଗୁରୁତର ଆକ୍ରାନ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ନେଇ ସମସ୍ୟା ଉପୁଜିଥିଲା। ଏଥିନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା।
ଟୋଲଡ଼ିହ ଗ୍ରାମର ପୀତାମ୍ବର କଟେଇଙ୍କ ମା’ ବେଲ କଟେଇଙ୍କ ଏକାଦଶାହ କାର୍ଯ୍ୟରେ ଏହି ଗ୍ରାମ ଏବଂ ଆଖପାଖ ଗ୍ରାମର ଶତାଧିକ ଲୋକ ଭୋଜି ଖାଇଥିଲେ। ଭୋଜି ଖାଇବା ପରେ ରାତି ପ୍ରାୟ ୧୨ଟା ପରେ ଭୋଜିଖାଇଥିବା ଲୋକଙ୍କ ଝାଡା ଏବଂ ବାନ୍ତି ହୋଇଥିଲା। ପରେ ରବିବାର ସକାଳୁ ଟୋଲଡ଼ିହି ଏବଂ ନିକଟବର୍ତ୍ତୀ ବାଂଶପାଳ, ସାହାରପୁର ସମେତ ଆଖପାଖ ଗ୍ରାମର ସମ୍ପର୍କୀୟ ଲୋକ ବାଂଶପାଳ ମେଡିକାଲରେ ଭିଡ଼ ଜମାଇଥିଲେ। ରବିବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପଣ୍ଡାପଡାରେ ଥିବାରୁ ସେଠାରେ ଆମ୍ବୁଲାନ୍ସ ନିୟୋଜିତ ଥିବାରୁ ଗୁରୁତର ରୋଗୀଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଆଣିବାରେ ବିଳମ୍ବ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ସଂଧ୍ୟାରେ ଆମ୍ବୁଲାନ୍ସ ଆସିବା ପରେ ଗୁରୁତର ୧୫ଜଣ ରୋଗୀ ଡ଼ମ୍ବରୁ କାର୍ଜୀ, କଣ୍ଟନି କାର୍ଯୀ, ନିରାଶ କାର୍ଯୀ, ଚୈତି ବେହେରା, ତେଲି ଦେହୁରୀ ପ୍ରମୁଖଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ଅଣାଯାଇଥିବା ଜଣାପଡିଛି।
ଏକାଦଶାହ ଭୋଜିରେ ଭାତ, ପନିର, ଡାଲି, ତରକାରୀ, ଖଟା ଆଦି ହୋଇଥିବାବେଳେ ପିଇବା ପାଇଁ ବାଂଶପାଳରୁ ଟ୍ୟାଙ୍କର ଯୋଗେ ପାଣି ଅଣାଯାଇଥିଲା। ତେବେ ବାସି ଖାଦ୍ୟ ଏବଂ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଭୋଜି ଖାଇଥିବା ଲୋକାମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି। ବାଂଶପାଳରେ ଥିବା ଡାକ୍ତରଙ୍କୁ ସହାୟତା କରିବା ପାଇଁ ନିକଟସ୍ଥ ଶୁଆକାଟି ଏବଂ କାଞ୍ଜିପାଣି ଡାକ୍ତରଖାନାର ଡାକ୍ତର ଆସି ଚିକିତ୍ସା କରୁଥିବା ଜଣାପଡିଛି। ତେବେ ବାଂଶପାଳ ମେଡିକାଲରେ ଆବଶ୍ୟକ ବେଡ ନଥିବାରୁ ଆକ୍ରାନ୍ତ ଲୋକ ମେଡିିକାଲ ବାରଣ୍ଡା ଏବଂ ବାହାରେ ରହି ଚିକିତ୍ସିତ ହେଉଛନ୍ତି। ବାଂଶପାଳ ମେଡିକାଲରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିବାବେଳେ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ମେଡିକାଲ ପ୍ରତି ଉପେକ୍ଷା କରୁଥିବା ଅଭିଯୋଗ ହୋଇଛି। ଏପରିକି ଡାକ୍ତର ଯିବା ଆସିବା ଏବଂ ଆବଶ୍ୟକସ୍ଥଳେ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଡି ମଧ୍ୟ ଯୋଗାଇ ଦିଆଯାଇନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories