www.samajalive.in
Sunday, December 7, 2025
26.1 C
Bhubaneswar

 କଂଗ୍ରେସର ବି ଟିମ୍‌ ବିଜେଡି: ଶାହା

ପୁରୀ: ଓଡିଶାରେ ଅପାରଗ, ଅଥର୍ବ ଏବଂ ଦୁର୍ନୀତିଗ୍ରସ୍ତ ସରକାର ଶାସନ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡିଶା ଅଧିକ ଗରିବ ହୋଇଛି। କେନ୍ଦ୍ରୀୟ ଅନୁଦାନ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷାରେ ବିଜେଡି ସରକାର ବିଫଳ ହୋଇଛନ୍ତି। କଂଗ୍ରେସର ବି ଟିମ୍‍ ବିଜେଡି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ରବିବାର ପୁରୀରେ ଅନୁଷ୍ଠିତ “ଜବାବ ମାଗୁଛି ଆଦିବାସୀ’’ ସମାବେଶରେ
ଯୋଗଦେଇ ସେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଢେ ୪ବର୍ଷରେ ଓଡିଶାକୁ ୫ଲକ୍ଷ ୧୩ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କେବେବି ଓଡିଶାକୁ ଏତେ ଟଙ୍କା ଦେଇନଥିଲେ ; କିନ୍ତୁ ନବୀନ ସରକାର କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଯେତିକି ଖଣିଜ ସମ୍ପଦ ରହିଛି ତାହା ସମଗ୍ର ଭାରତକୁ ସମୃଦ୍ଧ କରିପାରିବ । ନବୀନଙ୍କ ଅପାରଗତା ଯୋଗୁଁ ୧୯ ବର୍ଷରେ ଓଡିଶା ଅଧିକ ଗରିବ ହୋଇଛି । କଂଗ୍ରେସ ଓ ବିଜେଡି ଓଡିଶା ବିରୋଧୀ । ବିଜେପି ଗୋଟିଏ ଥର ରାଜ୍ୟ କ୍ଷମତାକୁ ଆସିଲେ ଓଡିଶା ୧ନମ୍ବର ରାଜ୍ୟରେ ପରିଣତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ଭାଷା ବୁଝିପାରୁ ନଥିବାରୁ ୪କୋଟି ଓଡିଆଙ୍କ ଭାବାବେଗ ହୃଦୟଙ୍ଗମ କରିପାରୁ ନାହାନ୍ତି । ରାଜ୍ୟର ୪୨ ପ୍ରତିଶତ ଲୋକଙ୍କୁ ପିଇବା ପାଣି ମିଳୁନଥିବା ଶାହା କହିଛନ୍ତି । ସେ କହିଲେ ବିଜେଡି ସରକାର ସମୟରେ ଆଦିବାସୀମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଦାନ ମାଝି ଘଟଣା ରାଜ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ । ନବୀନ ଶାସନ କ୍ଷମତାରେ ରହିବାର ଅଧିକାର ହରାଇଛନ୍ତି । ବିଜେପି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୫ଜଣ ଆଦିବାସୀଙ୍କୁ ସ୍ଥାନ ଦେବା ସହ ଆସାମ ଓ ଅରୁଣାଚଳ ପ୍ରଦେଶରେ ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ୟୁପିଏ ସରକାର ଆଦିବାସୀଙ୍କ ବିକାଶ ପାଇଁ ବଜେଟରେ ୩୦ହଜାର ୭ଶହ କୋଟି ଟଙ୍କା ରଖିଥିବା ବେଳେ ମୋଦୀ ସରକାର ୫୦ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୪୯ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ମୋଦୀ ସରକାର ୨ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ଯୋଗାଇ ଦେଇଛନ୍ତି । କୃଷକ, ମତ୍ସ୍ୟଜୀବୀ ଏବଂ ଅସଙ୍ଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । କୃଷକଙ୍କ ଜମା ଖାତାକୁ ୬ହଜାର ଟଙ୍କା ଲେଖାଏଁ ଦିଆଯିବ । ଅଣସଙ୍ଗଠିତ ଶ୍ରମିକ ମାନେ ମାସକୁ ୩ହଜାର ଟଙ୍କା ପେନସନ୍‍ ପାଇବେ । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ମୋଦୀଙ୍କ ଲୋକପ୍ରିୟତାକୁ ଭୟକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ତାହାକୁ କାର୍ଯ୍ୟକାରୀ କରାଉନଥିବା ଅମିତ ଶାହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ ୧୨୯ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସେ ସୂଚନା ଦେଇଛନ୍ତି । ବିଜେଡି ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଆଉ କାମ କରୁନଥିବା ସେ କହିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡିକୁ ସମୁଦ୍ରରେ ଫିଙ୍ଗି ଦେଇ ଓଡିଶା ଏବଂ ଦିଲ୍ଲୀରେ ବିଜେପି ସରକାର ଗଠନ ନିମନ୍ତେ ଭୋଟ ଦେବାକୁ ସେ ଆହ୍ୱାନ କରିଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ୧୯ ବର୍ଷରେ ଓଡିଶାର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ପୁଞ୍ଜିପତିଙ୍କ ସ୍ୱାର୍ଥପାଇଁ ବନ୍ଧୁକ ମୁନରେ କଳକାରଖାନା ବସାଇବାକୁ ବିଜେଡି ସରକାର ଚାହୁଁଛି । କଳିଙ୍ଗନଗର ଏବଂ ଫୁଲବାଣୀରେ ନିରୀହ ଆଦିବାସୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତିର ସ୍ପଷ୍ଟ ପ୍ରମାଣ । ତଦନ୍ତ କମିଶନ ବସାଇ ନରସଂହାରକୁ ନବୀନ ସରକାର ଚପାଇ ଦେଇଛନ୍ତି । ଓଡିଶାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି । ଆଦିବାସୀମାନେ ସରକାର ପରିବର୍ତ୍ତନର ନେତୃତ୍ୱ ନେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଲେ ଆଦିବାସୀଙ୍କୁ ବିଜେପି ରାଜନୈତିକ କ୍ଷମତା ଦେଇ ଅଧିକ ସଶକ୍ତୀକରଣ କରିଛି । କଂଗ୍ରେସ ଓ ବିଜେଡି ଆଦିବାସୀଙ୍କ କଲ୍ୟାଣ ଚାହୁଁ ନଥିବା ଶ୍ରୀ ଓରାମ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କହିଲେ ଆଦିବାସୀଙ୍କୁ ସାମ୍ବିଧାନିକ କ୍ଷମତା ଦେବାରେ ବିଜେଡି ସରକାର ପଛଘୁଞ୍ଚା ଦେଉଛନ୍ତି । ବିକାଶ ସ୍ରୋତରେ ଆଦିବାସୀଙ୍କୁ ସାମିଲ କରାଯାଉ ନାହିଁ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ ଏକ ଭାରତ -ଶ୍ରେଷ୍ଠ ଭାରତ ପରିକଳ୍ପନା ଓଡିଶାରେ ପରିବର୍ତ୍ତନ ଆଣିବ । ପୂର୍ବତନ ମନ୍ତ୍ରୀ ଫଗନସିଂହ କୁଲସ୍ତେ, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମ ବିଚାର ନେତମ ସଭାରେ ଉଦ୍‍ବୋଧନ ଦେଇଥିଲେ । ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ରବି ନାୟକ ସଭା ପରିଚାଳନା କରିଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories