କଲକାତା: କଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଶିଲଂର ଓକଲ୍ୟାଣ୍ଡ ପରିସରରେ ସିବିଆଇ ଶନିବାର ୮ଘଣ୍ଟା ଜେରା କରିଛି। ଚିଟ୍ଫଣ୍ଡ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସିପି ରାଜୀବ କୁମାର ଦେଇଥିବା ବେଳେ ଆସନ୍ତାକାଲି ଦଶଟାରୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ହେବ। ଯେଉଁଥିରେ କି ଅନ୍ୟତମ ଅଭିଯୁକ୍ତ ଟିଏମସିର ପୂର୍ବତନ ସାଂସଦ କୁନାଲ ଘୋଷଙ୍କୁ ମଧ୍ୟ ଡକାଯାଇଛି। ରାଜୀବ କୁମାର ଏବଂ କୁନାଲ ଘୋଷଙ୍କୁ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି। ମୂଳତଃ ସାରଦା ଚିଟ୍ଫଣ୍ଡର ବହୁ ତଥ୍ୟକୁ ଗୋପନ ଏବଂ ନଷ୍ଟ କରାଯାଇଥିବା ଅଭିଯୋଗ ପ୍ରସଙ୍ଗରେ ଜେରା କରାଯାଇଥିଲା। ଯେଉଁଥିରେ ରାଜ୍ୟ ଶାସକଦଳର କେତେକ ନେତାଙ୍କ ସମ୍ପୃକ୍ତି ଥିବାରୁ ଏହାକୁ ନେଇ ଶାସକଦଳର ନେତାମାନେ ଅସ୍ୱସ୍ତିରେ ଥିଲେ। ବିଶେଷକରି ରାଜୀବ କୁମାରଙ୍କୁ ଜେରା ସମୟରେ ଏଭଳି ପ୍ରଶ୍ନ କରାଯାଉଛି ଯାହାକି ନେତାଙ୍କ ମୁଖା ଖୋଲିବାରେ ସହାୟ ହେବ। ସେହିପରି ଟିଏମସି ସାଂସଦ, ମନ୍ତ୍ରୀ ଓ ପ୍ରଶାସକଙ୍କ ଭଳି ପରିସ୍ଥିତି ରାଜୀବ କୁମାରଙ୍କ କ୍ଷେତ୍ରରେ ଘଟିବାର ସମ୍ଭାବନାକୁ ଏଡ଼ାଇ ଦେଉ ହେଉନାହିଁ। ଏଭଳି ବିଭିନ୍ନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାର କାର୍ଯ୍ୟତଃ ସନ୍ତୁଳିତ ହେଉଛି।
ଜଣାପଡ଼ିଛି ଯେ ୨୨ ପୃଷ୍ଠାର ୪୦ଟି ପ୍ରଶ୍ନ ସିବିଆଇ ପ୍ରସ୍ତୁତ୍ କରିଛି। ଯାହାର ପ୍ରଥମ ପର୍ଯ୍ୟାୟ ଜେରା ଆଜି ହୋଇଥିବା ବେଳେ ଆହୁରି ଦୁଇ ପର୍ଯ୍ୟାୟ ଜେରା ଆଗାମୀ ଦୁଇଦିନରେ ହେବ। ଡିଏସପି ତଥାଗତ ବର୍ମନ, ଅବସର ପ୍ରାପ୍ତ ଅଧିକାରୀ ଫଣୀ ଭୁଷଣ, ଦିଲ୍ଲୀ ବିଶେଷ ୟୁନିଟର ଜଗରୂପ ସିହ୍ନା, ଏଏସପି ଭି. ଏମ. ମିତଲ, ସୁରେନ୍ଦ୍ର କୁମାର ମାଲିକ, ଡିଏସପି ଅତୁଲ ହାଜରା, ଆଲୋକ କୁମାର ଶାହି, ପି. କେ. ଶ୍ରୀବାସ୍ତବ, ହରିଶଙ୍କର ଚାନ୍ଦ, ରିତେଶ ଦାନାହି, ସୁରଜିତ ଦାସ ପ୍ରମୁଖ ଜେରା ପ୍ରସଙ୍ଗକୁ ରେକର୍ଡ଼ କରିଥିଲେ।
ରାଜୀବ କୁମାରଙ୍କ ଆଇନଜୀବି ବିଶ୍ୱଜିତ ଦେବ ଜେରା ସମୟରେ ଉପସ୍ଥିତ ରହିବେ ବୋଲି ଇଚ୍ଛାପ୍ରକାଶ କରିଥିଲେ ସୁଦ୍ଧା ତାହା ଗ୍ରହଣ ହୋଇନଥିଲା। ଏପରିକି ସିପି ରାଜୀବ କୁମାରଙ୍କ ସହ ଥିବା ବରିଷ୍ଠ ପୁଲିସ ଅଧିକାରୀ ମୁରଲୀଧର ଶର୍ମା ଓ ଜାଭେଦ ସାମିମଙ୍କୁ ମଧ୍ୟ ଶିଲଂ ସିବିଆଇ ଅବ୍ୟର୍ଥନା କକ୍ଷରେ ବସାଇ ରଖାଯାଇଥିଲା। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ଦଶଜଣିଆ ବିଶେଷ ଟିମ୍ ରାଜୀବଙ୍କ ବୟାନକୁ ରେକର୍ଡ଼ କରିଥିଲେ।
ମୂଳତଃ ସିପି ରାଜୀବ କୁମାର ଯିଏକି ପୂର୍ବତନ ବିଧାନନଗର ପୁଲିସ କମିଶନର ଥିବାବେଳେ ସେ ତଥ୍ୟ ବିକୃତ କରିଥିଲେ। ଯାହାର ବହୁ ରହସ୍ୟ ସିବିଆଇ ହାତକୁ ଆସିବା ଦ୍ୱାରା ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ରାଜନୈତିକ ପ୍ରତିଶୋଧ ନେବାପାଇଁ ସିବିଆଇକୁ ବିଜେପି ମାଧ୍ୟମ କରିଛି।
ରାଜୀବ କୁମାରଙ୍କୁ ୮ଘଣ୍ଟା ଜେରା
Popular Categories



