ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ମହାଲ୍ଲିକପଡା ପଞ୍ଚାୟତ ଅର୍ନ୍ତଗତ ସାତଖଣ୍ଡ ଗ୍ରାମର ବିଶ୍ୱନାଥ ବେହେରା ଭଳି ଜଣେ ମୃତ ହିତାଧିକାରୀଙ୍କ ବିନା ଘର ନିର୍ମାଣରେ ୯୦ହଜାର ଟଙ୍କା ଆତ୍ମସାତ ହୋଇଥିବା ଘଟଣା ଗତ ୫ତାରିଖରେ ହରଭଙ୍ଗା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ୭ଦିନ ମଧ୍ୟରେ ଅର୍ଥାତ୍ ୧୨ତାରିଖ ସୁଦ୍ଧା ତାଙ୍କୁ ନ୍ୟାୟ ନମିଳିଲେ ବ୍ଲକ କାର୍ଯ୍ୟାଳୟରେ ଅନଶନ କରିବା ପାଇଁ ମୃତ ବିଶ୍ୱନାଥଙ୍କ ଝିଅ ରାଧିକା ବେହେରା ଚେତାବନୀ ଦେଇଥିଲେ। ତାଙ୍କୁ ନ୍ୟାୟ ନମିଳିବାରୁ ସେ ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅନଶନ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ମାତ୍ର ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଘଟଣାର ହକ୍ଷେକ୍ଷପ ସହ ନିଜେ ତାଙ୍କ ଘରକୁ ଯାଇ ଏହି ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ସେ ଅନଶନରୁ ଓହରିଥିବା ଜଣାପଡିଛି। ସୂଚନା ଥାଉ କି ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ରାଧିକାଙ୍କ ପିତା ବିଶ୍ୱନାଥ ବେହେରାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ମଞୁର ହୋଇଥିଲା। ପିତାଙ୍କ ମତ୍ୟୁ ହୋଇଯାଇଥିବାରୁ ତାଙ୍କ ମାଆ ଜେମା ବେହେରାଙ୍କ ନାମରେ ଘର ଯୋଗାଇଦେବାପାଇଁ ସେ ସ୍ଥାନୀୟ ପିଇଓଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିଥିଲେ। ମାତ୍ର ଜେମା ବେହେରାଙ୍କୁ ଘର ମିଳିବା ପରିବର୍ତ୍ତେ ବିନା ଘର ନିର୍ମାଣରେ ମୃତ ବାପା ବିଶ୍ୱନାଥଙ୍କ ଘର ନିର୍ମାଣ ଟଙ୍କା ୯୦ହଜାର ଉଠିସାରିଥିବା କଥା ଫଟୋଉଠାଇବାକୁ ଆସିଥିବା ଟେକ୍ନିକାଲ କନସଲଣ୍ଟାଣ୍ଟ୍(ଟିସି)ଙ୍କଠାରୁ ଜାଣିବାକୁ ପାଇଥିଲେ। ଏଭଳି ଏକ ସ୍ପର୍ଶକାତର ତଂଚକତା ଘଟଣା ଗରିବ ଅସହାୟ ପରିବାରକୁ ବହୁ ମାତ୍ରାରେ ଅଘାତ ଦେଇଥିଲା। ଫଳରେ ସେ ନ୍ୟାୟ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଧିକାଙ୍କ ବିଧବା ଅସହାୟ ମାଆ ଚାଲିବୁଲି ପାରୁନଥିବାରୁ ନିଜେ ଝିଅ ବିଡିଓଙ୍କ ପାଖରେ ଅଭିଯୋଗ ପାଇଁ ଫେରାଦ ହୋଇଥିଲେ। ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବା ସହ ଗରିବ ପରିବାରକୁ ନ୍ୟାୟ ଦେବାକୁ ଦାବି ହେଉଛି।
ବିନା ଘର ନିର୍ମାଣରେ ମୃତ ହିତାଧିକାରୀ ଟଙ୍କା ଆତ୍ମସାତ ମାମଲା, ବିଡିଓଙ୍କ ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ରାଧିକା
Popular Categories



