ନବଭାରତର ସୂେର୍ଯ୍ୟାଦୟ
ଅଭୟ ଦ୍ବିବେଦୀ
“ଚଳିତ ନିର୍ବାଚନରେ ଦେଶବାସୀ ଏକ ନୂତନ ଉପାଖ୍ୟାନ ବର୍ଣ୍ଣନା କରିଛନ୍ତି। ସମାଜକୁ ବିଭାଜିତ କରୁଥିବା ପ୍ରତିଟି ଉପାଦାନ ବିରୋଧରେ ସେମାନେ ଉଚ୍ଚ ସ୍ୱରରେ ପ୍ରତିବାଦ କରିଛନ୍ତି। ଜାତି ଓ ଧର୍ମକୁ ପ୍ରାଧାନ୍ୟ ଦେଇ ଯେଉଁ ପାରମ୍ପରିକ ବିଚାରଧାରା ଆଧାରରେ ଅତୀତର ନିର୍ବାଚନଗୁଡ଼ିକ ପରିଚାଳିତ ହେଉଥିଲା, ସେହି ଘୃଣିତ ବ୍ୟବସ୍ଥାର ଅନ୍ତ କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଛଦ୍ମ ଧର୍ମନିରପେକ୍ଷତାର ସାହାରା ନେଇ ଯେଉଁ ଗୋଷ୍ଠୀ ଡିଣ୍ଡିମ ପିଟୁଥିଲେ, ସେମାନଙ୍କୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ବହୁ ଦୃଷ୍ଟିରୁ ଏହି ଜନାଦେଶ ଏକବିଂଶ ଶତାବ୍ଦୀ- ଭାରତ ବର୍ଷର ନକ୍ସା ପ୍ରସ୍ତୁତ କରିବା ସହିତ ତାହାର ଭିତ୍ତିଭୂମି ପ୍ରତିଷ୍ଠା କରିଛି।” ବିପୁଳ ଜନାଦେଶରେ ବିଜୟ ଲାଭ କରିବା ପରେ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶବାସୀଙ୍କ ପ୍ରତି କୃତଜ୍ଞତାର ଶଦ୍ଧାଞ୍ଜଳି। ଅନେକ ଦୃଷ୍ଟିରୁ ଏହି ଜନାଦେଶ ଇତିହାସ ରଚନା କରିଛି। ଗୋଟିଏ ଅଣ-କଂଗ୍ରେସ ଦଳ ଦ୍ୱିତୀୟବାର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାରେ ଏହା ହେଉଛି ପ୍ରଥମ।
ଦୀର୍ଘ ଦଶ ବର୍ଷର ଦୁର୍ନୀତିଗ୍ରସ୍ତ ୟୁପିଏ ମେଣ୍ଟ ସରକାର ବିରୋଧରେ ୨୦୧୪ ଜନାଦେଶ ଥିଲା ଶାଣିତ ସ୍ୱର। ନିର୍ବାଚନ ପ୍ରଚାର ସମୟରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବହୁ ସମ୍ଭାବନା ସଂପର୍କରେ ସୂଚନା ଦେଇଥିଲେ। ସେ ନିଜେ ହୁଏତ ଜାଣିଥିବେ, ସବୁଗୁଡ଼ିକ ବାସ୍ତବ ରୂପ ନେବା ସମ୍ଭବ ନୁହେଁ। ତଥାପି ଦୀର୍ଘ ଅତୀତର କାଳିମାମୟ ଅଧ୍ୟାୟର ପୃଷ୍ଠଭୂମିରେ ଏକ ଅଭିନବ ସମୃଦ୍ଧ ଭାରତ ଗଠନ ପାଇଁ ଦେଶବାସୀ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଥିଲେ। ନିକଟ ଅତୀତରେ ବୋଧହୁଏ, ଅଟଳ ବିହାରୀ ବାଜପେୟୀଙ୍କ ପରେ ଆଉ କେହି ଦୀର୍ଘକାୟ ନେତା ଜନଗଣଙ୍କୁ ଆକୃଷ୍ଟ କରି ନ ଥିଲେ। ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ସଂପର୍କର ସେତୁ ପ୍ରତିଷ୍ଠା ହୋଇଗଲା। ୨୦୧୯ ନିର୍ବାଚନ ଫଳାଫଳ ଏହି ସେତୁ ଉପରେ ପ୍ରତିଷ୍ଠିତ ବୋଲି କୁହାଯାଇପାରେ। ୨୦୦୯ ନିର୍ବାଚନରେ ଦେଶବାସୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ତାଙ୍କ ଅକପଟ, ସରଳ, ଦୁର୍ନୀତିମୁକ୍ତ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ତାଙ୍କର ପ୍ରମୁଖ ଭୂମିକା ସଂପର୍କରେ ସମସ୍ତେ ଅବଗତ ଥିଲେ, କିନ୍ତୁ ପର୍ଯ୍ୟାୟକ୍ରମେ ସେ ଏକ ସଖୀ କଣ୍ଢେଇରେ ପରିଣତ ହେବେ, ଏହା କେହି ବିଶ୍ୱାସ କରି ନ ଥିଲେ। ଏହି ସମୟରେ ସମୃଦ୍ଧ ଭାରତ ଗଠନ କରିବାର ସଂକଳ୍ପ ନେଇ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢ଼ିଲେ।
୨୦୧୪ ମସିହା ନିର୍ବାଚନରେ ନରେନ୍ଦ୍ର ମୋଦୀ ବହୁ ସ୍ଳୋଗାନର ଅବତାରଣା କରିଥିଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ୨୦୧୯ ମସିହାରେ ସେ ଗୋଟିଏ ବି ସ୍ଳୋଗାନ ଉତ୍ଥାପନ କରି ନ ଥିଲେ। ତଥାପି ଆଶାତୀତ ଭୋଟରେ ଜୟଯୁକ୍ତ ହେଲେ। ବିରୋଧୀ ଦଳଗୁଡ଼ିକ ସହିତ ବିରୋଧୀ ଗୋଷ୍ଠୀଙ୍କର ଏକମାତ୍ର ସ୍ଳୋଗାନ ଥିଲା – ‘ମୋଦୀ ହଟାଓ’। ସବୁ ବିରୋଧୀ ଶକ୍ତି ଏକ ହୋଇଗଲେ। ନିର୍ବାଚନ ପୂର୍ବରୁ ଅପପ୍ରଚାର ଆରମ୍ଭ ହୋଇଗଲା – ‘ମୋଦୀ ହଟିଲେ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିବ ଏବଂ ଧର୍ମନିରପେକ୍ଷତାର ଧାରା ସୁଦୃଢ଼ ହେବ। ମୋଦୀ ହେଉଛନ୍ତି ଏକଚ୍ଛତ୍ରବାଦୀ ଶାସକ ଏବଂ ଧର୍ମ ନାମରେ ଦେଶ ବିଭାଜନକାରୀ ଶକ୍ତି।’ କଂଗ୍ରେସ ଦଳର ସ୍ଳୋଗାନ ଥିଲା – ‘ଚୌକିଦାର ହିଁ ଚୋର।’ ଏ ଅଭିଯୋଗ ଦେଶବାସୀ ଗ୍ରହଣ କଲେ ନାହିଁ। ବରଂ ବିରୋଧୀଙ୍କ ପ୍ରତି ଏହା ପ୍ରଯୁଜ୍ୟ ବୋଲି ପ୍ରମାଣିତ କରିଦେଲେ। ନରେନ୍ଦ୍ର ମୋଦୀଙ୍କ ସଫଳତାର ମୁଖ୍ୟ କାରଣ ହେଉଛି – ନିର୍ବାଚନ ପ୍ରଚାର ସମୟରେ ସେ ଜାତି ଏବଂ ଧର୍ମକୁ ପ୍ରସଙ୍ଗ ଭାବେ ଗ୍ରହଣ କରି ନ ଥିଲେ। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଧର୍ମ ଆଧାରରେ ସଂଖ୍ୟାଲଘୁ ସଂପ୍ରଦାୟକୁ ବାରମ୍ବାର ଆହ୍ୱାନ କରିଥିଲେ। ଶେଷ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ଏହାର ଭୁରିଭୁରି ଦୃଷ୍ଟାନ୍ତ ରହିଛି ଏବଂ ତାହା ହିଁ ମମତା ଦିଦିଙ୍କ ପାଇଁ ବୁମେରାଂ ପାଲଟିଗଲା। ଉତ୍ତରପ୍ରଦେଶରେ ମାୟାବତୀ ନିର୍ବାଚନୀ ସଭାରେ ଉଚ୍ଚସ୍ୱରରେ ମୁସଲମାନ ଭୋଟରଙ୍କ ସମର୍ଥନ ଲୋଡ଼ିଥିଲେ। ତାହା ହିଁ ତାଙ୍କ ପାଇଁ ବିପର୍ଯ୍ୟୟର କାରଣ ପାଲଟି ଗଲା। ଅତୀତରେ କଂଗ୍ରେସ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ଭୋଟ ବ୍ୟାଙ୍କରେ ପରିଣତ କରିଥିଲା। ନିର୍ବାଚନ ସମୟରେ ଧର୍ମଗୁରୁ ବା ଧର୍ମମୁଖ୍ୟମାନଙ୍କୁ ସାକ୍ଷାତ କରିଦେଲେ, ନିର୍ବାଚନରେ ସଫଳତା ନିଶ୍ଚିତ ଥିଲା, କିନ୍ତୁ ଚଳିତ ନିର୍ବାଚନରେ ସେହି ମନ୍ତ୍ରର ଆଉ ଶକ୍ତି ନ ଥିଲା।
ନରେନ୍ଦ୍ର ମୋଦୀଙ୍କ ସଫଳତାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛନ୍ତି ଯୁବ ବର୍ଗ। ଏକବିଂଶ ଶତାବ୍ଦୀର ଭାରତ ବର୍ଷ ସମସ୍ତ ସଙ୍କୀର୍ଣ୍ଣତାର ଊର୍ଦ୍ଧ୍ବରେ – ଏ ନିର୍ବାଚନ ଏହାର ପ୍ରମୁଖ ଦୃଷ୍ଟାନ୍ତ ଏବଂ ଏହା ପ୍ରମାଣ କରିଛନ୍ତି ପ୍ରଥମ ଥର ଭୋଟ ଦେଇଥିବା ଯୁବ ଗୋଷ୍ଠୀ। ଚଳିତ ନିର୍ବାଚନରେ ସମୁଦାୟ ଭୋଟରଙ୍କ ସଂଖ୍ୟା ଥିଲା ପ୍ରାୟ ୯୦ କୋଟି ଏବଂ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ପ୍ରାୟ ୨କୋଟି। ଏଥିର ଭୋଟ ଦେଇଥିବା ଭୋଟରଙ୍କ ହାର ଥିଲା ସର୍ବାଧିକ -୬୭.୧୧%, ୨୦୧୪ ନିର୍ବାଚନ ହାରଠାରୁ ୧.୧୬% ଅଧିକ। ପଶ୍ଚିମବଙ୍ଗରେ ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ଥିଲା ୨୦.୬ ଲକ୍ଷ, ରାଜସ୍ଥାନରେ ୨୦.୩ ଲକ୍ଷ, ଉତ୍ତରପ୍ରଦେଶରେ ୧୬.୭ ଲକ୍ଷ , ମଧ୍ୟ ପ୍ରଦେଶରେ ୧୩.୬ ଲକ୍ଷ ଏବଂ ମହାରାଷ୍ଟ୍ରରେ ୧୧.୯ ଲକ୍ଷ ଏବଂ ଏହି ସମସ୍ତ ରାଜ୍ୟରେ ବିଜେପି ଆଶାତୀତ ସଫଳତା ପାଇଛି। ଏହି ବର୍ଗଙ୍କ ନିମନ୍ତେ ନିର୍ବାଚନରେ ଜାତି ଧର୍ମ ପ୍ରସଙ୍ଗ ମୂଲ୍ୟହୀନ ଏବଂ ନରେନ୍ଦ୍ର ମୋଦୀ ଏହି ଗୋଷ୍ଠୀ ସହିତ ନିୟମିତ ସଂପର୍କରେ ରହି ସେମାନଙ୍କ ମାନସିକତା ସହିତ ପରିଚିତ ହୋଇଥିଲେ।
ପ୍ରଥମ ପାଞ୍ଚବର୍ଷ ଶାସନକାଳର ଅନେକ ବିଫଳତା ସତ୍ତ୍ୱେ, ଦେଶବାସୀ ତାଙ୍କ ଉପରେ ପୁନଶ୍ଚ ଆସ୍ଥା ପ୍ରକଟ କରିଛନ୍ତି -ଏହା ହିଁ ହେଉଛି ନରେନ୍ଦ୍ର ମୋଦୀଙ୍କ ସଫଳତାର ମହାମନ୍ତ୍ର। ନିଯୁକ୍ତି ହ୍ରାସ, ଅର୍ଥନୀତିରେ ଶିଥିଳତା, କୃଷକଙ୍କ ଦୁରବସ୍ଥା – କୌଣସି ନିର୍ବାଚନରେ ବିରୋଧୀଙ୍କ ପାଇଁ ଏହାଠାରୁ ବଳି ବଡ଼ ପ୍ରସଙ୍ଗ ମିଳିବା ସହଜ ନୁହେଁ। ବିରୋଧୀ ଗୋଷ୍ଠୀ ଏ ସମସ୍ତ ପ୍ରସଙ୍ଗ ଯେ ଉତଥାପନ କରି ନାହାନ୍ତି, ତାହା ନୁହେଁ। ଏହା ସହିତ କଂଗ୍ରେସ ଦଳ ‘ନ୍ୟାୟ’ ଭଳି ଏକ ଲୋଭନୀୟ ଯୋଜନା ଦେଶବାସୀଙ୍କୁ ଉପହାର ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସାମାଜିକ ଓ ଅର୍ଥନୈତିକ ଶିଡ଼ିର ଶେଷ ପାହାଚରେ ଥିବା ଅଶିକ୍ଷିତ / ଅଳ୍ପ ଶିକ୍ଷିତ ପରିବାର ନିମନ୍ତେ ନିୟମିତ ମାସକୁ ଛଅ ହଜାର ଟଙ୍କାର ମୂଲ୍ୟ ବହୁତ ବେଶୀ। ଏହାର କାର୍ଯ୍ୟକାରିତା ନେଇ ଅର୍ଥନୀତି ବିଶାରଦମାନେ ସନ୍ଦେହ ପ୍ରକଟ କରିଛନ୍ତି – ତାହା ଭିନ୍ନ କଥା, କିନ୍ତୁ ଏଡେ ବଡ଼ ପ୍ରଲୋଭନକୁ ଦେଶବାସୀ ଅଗ୍ରାହ୍ୟ କରିଦେଲେ – ତାହା ହିଁ ହେଉଛି ମୂଳ କଥା। ଏହାର ଅସଲ କାରଣ ହେଉଛି କଂଗ୍ରେସର ସଭାପତିଙ୍କୁ ଦେଶବାସୀ ବିଶ୍ୱାସକୁ ନେଇ ପାରିଲେ ନାହିଁ। ତାଙ୍କୁ ବିଶ୍ୱାସ କରିବାର କୌଣସି କାରଣ ସେମାନେ ହୁଏତ ଖୋଜି ପାଇଲେ ନାହିଁ। କାରଣ ଅତୀତରେ ସେଭଳି କୌଣସି ଦୃଷ୍ଟାନ୍ତ ନାହିଁ। ଦଶ ବର୍ଷର ୟୁପିଏ ମେଣ୍ଟ ଶାସନକାଳରେ ରାହୁଳ ଗାନ୍ଧୀ କୌଣସି ଯୋଜନା ଦେଶବାସୀଙ୍କ ପାଇଁ ରଖି ନାହାନ୍ତି, ଯେଉଁଥି ପାଇଁ ସେ ବିଶ୍ୱାସଭାଜନ ହୋଇପାରିବେ। ବରଂ ଅନେକ କ୍ଷେତ୍ରରେ ସର୍ବସାଧାରଣରେ ନିଜ ଦଳର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅପମାନିତ କରିଛନ୍ତି ଏବଂ ସେହି ଧାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଦ ପଡ଼ି ନାହାନ୍ତି। ତେଣୁ ଏଭଳି ଜଣେ ବ୍ୟକ୍ତିଙ୍କ ପ୍ରତି ସେମାନେ ଆସ୍ଥା ପ୍ରକଟ କରି ପାରି ନାହାନ୍ତି। ଏହା ହିଁ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଯାଇଛି।
ନରେନ୍ଦ୍ର ମୋଦୀଙ୍କ ସଫଳତାର ବିଶେଷ କାରଣ ହେଉଛି – ରାଷ୍ଟ୍ରୀୟ ଭାବନାରେ ଦେଶବାସୀଙ୍କୁ ଉଦ୍ବୁଦ୍ଧ କରିବାର କଳା ଓ କୌଶଳ। ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ଦେଶ ଓ ଦେଶବାସୀ ସୁରକ୍ଷିତ ରହିବେ – ସମସ୍ତଙ୍କର ଅନ୍ତତଃ ଏହି ବିଶ୍ୱାସ ଆହୁରି ଦୃଢ଼ୀଭୂତ ହୋଇଛି। ଆତଙ୍କବାଦୀଙ୍କ ପୁଲୱାମା ଆକ୍ରମଣ ପରେ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ ଏହାର ପ୍ରମାଣ। ୨୦୦୮ ମସିହାରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୁମ୍ବଇ ଚାରିଦିନ କାଳ ଥରି ଉଠିଥିଲା। ୨୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିଲେ। ତଥାପି କଂଗ୍ରେସ ସରକାର ସ୍ଥାଣୁ, ନୀରବଦ୍ରଷ୍ଟା ପାଲଟି ରହିଥିଲେ, କିନ୍ତୁ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକ୍ ଦେଶବାସୀଙ୍କ ପ୍ରାଣରେ ଅଫୁରନ୍ତ ଉନ୍ମାଦନା ଭରିଦେଇଛି। ଗୋଟିଏ ନିର୍ବାଚନୀ ସଭାରେ କଂଗ୍ରେସର ପୁରୁଖା ନେତା ଦିଗ୍ବିଜୟ ସିଂହ ସମସ୍ତଙ୍କୁ ପ୍ରଶ୍ନ କରିଥିଲେ – ଯେଉଁମାନଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଆସିଛି, ସେମାନେ ହାତ ଉଠାନ୍ତୁ। ଜଣେ ଯୁବକ ହାତ ଟେକିବାରୁ ତାଙ୍କୁ ଆମନ୍ତ୍ରଣ କରାଗଲା। ଦିଗ୍ବିଜୟ ସିଂହ ତାଙ୍କ ବ୍ୟାଙ୍କ ଖାତା ସଂପର୍କରେ ପ୍ରଶ୍ନ କରିବାରୁ ଯୁବକ ଜଣକ କହିଥିଲେ – ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ଜିକାଲ ଷ୍ଟ୍ରାଇକରେ ମୁଁ ୧୫ ଲକ୍ଷ ଟଙ୍କା ପାଇଗଲି।’ ଏ ହେଉଛି ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରୀୟ ଚିନ୍ତାଧାରାର କାହାଣୀ। ଆଗାମୀ ପାଞ୍ଚ ବର୍ଷର ଶାସନକାଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଡ଼ ଆହ୍ୱାନ। ଯାହା ସବୁ ବାକି ରହିଛି, ତାହା ପୂରଣ କରିବା ପାଇଁ ଦେଶବାସୀ ଆଉ ଥରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏ ସୁଯୋଗ ବାରବାର ମିଳେନାହିଁ।
Comments are closed.