ଦେଶପ୍ରେମ ଦୀପ ଜାଳ

0

ଉପେନ୍ଦ୍ର ବିଶ୍ବାଳ

prayash

ଅନେକ ଆଶା-ଆକାଂକ୍ଷା, ଉତ୍ସାହ-ଉଦ୍ଦୀପନାର ସହ ଅନୁଷ୍ଠିତ ହେଲା ହକି ବିଶ୍ବକପ, କିନ୍ତୁ ନିରାଶ ହେବାକୁ ପଡ଼ିଲା ଆୟୋଜକ ଓଡ଼ିଶାକୁ। ଅତୀତର ଚମ୍ପିଆନ ଭାରତ ନିଜ ଭୂମିରେ କ୍ବାର୍ଟର ଫାଇନାଲ ବି ଖେଳିପାରିଲା ନାହିଁ; ଅଥଚ ଅତ୍ୟନ୍ତ କ୍ଷୁଦ୍ରଦେଶଗୁଡ଼ିକ ସାଫଲ୍ୟର ଶିରୋପା ପିନ୍ଧିପାରିଲେ ଯାହାକି ଖୁବ୍‌ ଲଜ୍ଜା ଓ ଦୁଃଖର ବିଷୟ ଆମପାଇଁ। ଫାଇନାଲରେ ମୁହାଁମୁହିଁ ହୋଇଥିଲେ ବେଲଜିୟମ ଓ ନେଦରଲାଣ୍ଡ, ଦୁଇ ପଡ଼ୋଶୀ ଦେଶ। ଅତ୍ୟନ୍ତ ସଂଘର୍ଷ ଓ ଉତ୍କଣ୍ଠାପୂର୍ଣ୍ଣ ଥିଲା ସେ ମ୍ୟାଚ। ଭାଗ୍ୟବଳରେ ବେଲଜିୟମ ସିନା ବିଜୟୀ ହୋଇଥିଲା, କିନ୍ତୁ ନେଦରଲାଣ୍ଡର ଖେଳ ଥିଲା ଖୁବ୍‌ ପ୍ରଶଂସନୀୟ ଓ ଉତ୍ସାହଜନକ।
କେବଳ ଗତ ବିଶ୍ବକପରେ ଦୁଇ ଦେଶ ଯେ ଶୀର୍ଷସ୍ଥାନ ମଣ୍ଡନ କଲେ ତାହା ନୁହେଁ, ଏମାନଙ୍କ ସାଫଲ୍ୟର ସ୍ବାକ୍ଷର ବି ଦେଖିବାକୁ ମିଳେ ଅନେକ କ୍ଷେତ୍ରରେ। ଘଞ୍ଚ ଜନବସତିପୂର୍ଣ୍ଣ ଦୁଇ ଦେଶର ଜନସଂଖ୍ୟା ଓଡ଼ିଶାର ୧୦-୧୨ଟି ଜିଲା ସହିତ ପ୍ରାୟ ସମାନ। ବେଲଜିୟମର ୧କୋଟି ୨୫ଲକ୍ଷ ଥିଲାବେଳେ ନେଦରଲାଣ୍ଡ ୧କୋଟି ୮୦ଲକ୍ଷ। ମାଟିର ମଣିଷମାନେ ଅତ୍ୟନ୍ତ କର୍ମଠ ଓ ସ୍ବାଭିମାନୀ। ନିଜର ପୁରୁଷାର୍ଥ ପ୍ରତି ଅଛି ପ୍ରଚଣ୍ଡ ଆସ୍ଥା। ନାହିଁ ସେଠାରେ ମାଗିଖିଆ ପ୍ରବୃତ୍ତି ଅବା ମଶାଣି ମୁହାଁ ମାଗଣା ବଣ୍ଟନ ବ୍ୟବସ୍ଥା। ନାହିଁ ମଧ୍ୟ ଋଣଛାଡ଼ ପରି ଛନ୍ଦମନ୍ଦଭରା ବରବାଦୀ ବ୍ୟବସ୍ଥା। ନିଜ ଭୂମିରେ ସୁନା ଫଳାଇ ଦେଶକୁ ସମୃଦ୍ଧ କରାଇ ପାରିଛନ୍ତି ଏହି ଦୁଇ ଦେଶ। ବେଲଜିୟମ ଅପେକ୍ଷା ନେଦରଲାଣ୍ଡ ଅଧିକ ସଫଳ ଓ ସମୃଦ୍ଧ। ଆମେରିକା ପରେ ବିଶ୍ବର ଦ୍ବିତୀୟ ବୃହତ୍ତମ କୃଷିଜାତ ସାମଗ୍ରୀ ରପ୍ତାନୀକାରୀ ଦେଶ ହେଉଛି ନେଦରଲାଣ୍ଡ। ମାଟି ମାଆର ମାନ-ମହତ, ଶାନ୍ତି-ସଂହତି ଅକ୍ଷୁଣ୍ଣ ରଖିବା ତା’ର ପ୍ରତିଟି ସନ୍ତାନର ଧ୍ୟେୟ। ଅଶାନ୍ତି, ଅରାଜକତା, ଆତଙ୍କବାଦ ଆଦି ଆସୁରିକ ପ୍ରବୃତ୍ତିଠାରୁ ଦୁଇ ଦେଶ ପ୍ରାୟତଃ ମୁକ୍ତ। ମାଟିର ନିନ୍ଦା ଅପବାଦ ଅସହ୍ୟ ତାଙ୍କ ପାଇଁ।
ବେଲଜିୟମ ଅଦ୍ୟାବଧି ୧୧ଟି ନୋବେଲ ପୁରସ୍କାର ହାତେଇ ଥିଲାବେଳେ ନେଦରଲାଣ୍ଡ ହାତେଇଛି ୨୧ଟି। ତନ୍ମଧ୍ୟରୁ କେବଳ ଶାନ୍ତି ପାଇଁ ବେଲଜିୟମର ୪ଜଣ ଥିଲାବେଳେ ନେଦରଲାଣ୍ଡର ୨ଜଣ। ଗତ ଅଲିମ୍ପିକ ପ୍ରତିଯୋଗିତାରେ ନେଦରଲାଣ୍ଡ ୮ଟି ସ୍ବର୍ଣ୍ଣ, ୭ଟି ​‌େ​‌ରାପ୍ୟ, ୪ଟି ବ୍ରୋଞ୍ଜ ସହ ମୋଟ ୧୯ଟି ପଦକ ପାଇଥିବାବେଳେ ବେଲଜିୟମ ୨ଟି ସ୍ବର୍ଣ୍ଣ, ୨ଟି ରୋୖପ୍ୟ, ୨ଟି ବ୍ରୋଞ୍ଜ ସହ ମୋଟ ୬ଟି ପଦକ ପାଇଥିଲା। ହସ୍ତୀକାୟ ଦେଶ ଆମ ଭାରତ ମାତ୍ର ୨ଟି ପଦକରେ ସୀମିତ ଥିଲା। ଦେଶ ପ୍ରୀତିର ଦୀପ୍ତିମୟ ଦୃଷ୍ଟାନ୍ତ କେବଳ ଏହି ଦୁଇଦେଶ ବ୍ୟତୀତ ପଡ଼ୋଶୀ ଜର୍ମାନରେ ମଧ୍ୟ ଦେଖିବାକୁ ମିଳେ। ଜର୍ମାନ ଜାତିର ଜାତିପ୍ରୀତି ତ ବିଶ୍ବବିଦିତ। ଇତିହାସରୁ ଅଦ୍ୟାବଧି ସେ ଜାତିର ଜୟଯାତ୍ରା ଅବ୍ୟାହତ। ପ୍ରତିଟି ଜର୍ମାନୀ ମନେ କରେ ‘ସେ ହେଉଛି ଶ୍ରେଷ୍ଠ, ତା ଜାତି ବି ଶ୍ରେଷ୍ଠ’। ଏଣୁ ଶ୍ରେଷ୍ଠତ୍ବର ସନ୍ଧାନରେ ସେ ମନ ଢ଼ାଳେ, ପ୍ରାଣ ଦିଏ। ଏକ ସମୃଦ୍ଧ ଓ ଶକ୍ତିଶାଳୀ ଦେଶଭାବେ ଖ୍ୟାତ ଜର୍ମାନ ଝଲସୁଛି ଏଯାବତ। ଅଦ୍ୟାବଧି ୧୦୮ଟି ନୋବେଲ ପୁରସ୍କାର ସାଉଁଟି ଥିଲାବେଳେ ସେଥିରୁ ୮୦ଜଣ ଅଛନ୍ତି କେବଳ ବୈଜ୍ଞାନିକ। ଆର୍ଥିକ, ବୈଷୟିକ, ସାମରିକ ଶକ୍ତି ବ୍ୟତୀତ ଅଲମ୍ପିକ, ଫିଫା ବିଶ୍ବକପ, ହକି ବିଶ୍ବକପ ଆଦିରେ ମଧ୍ୟ ଏ ଜାତିର ଉତ୍କର୍ଷ ଉଦାହରଣୀୟ। ସେମିତି ବ୍ରିଟିଶ ଜାତି ମଧ୍ୟ। ଦିନେ ସାରା ବିଶ୍ବକୁ ସେ କରାୟତ୍ତ କରିପାରିଥିଲା। କାରଣ ପ୍ରତିଟି ଇଂରେଜର ଧମନୀରେ ପ୍ରବାହିତ ହୋଇଥାଏ, ବିଶ୍ବ ବିଜୟର ସ୍ବପ୍ନ। ମନରେ ଦୃପ୍ତ ଭାବନା- ‘ଯେହେତୁ ମୁଁ ଜଣେ ଇଂରେଜ, ଜାତିର ଜାତକକୁ ସ୍ବର୍ଣ୍ଣାକ୍ଷରରେ ଲେଖିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ’ ଯେଉଁଥିପାଇଁ କି ବିକଶିତ ଏହି ଦେଶ ଆଜି ୧୩୦ଟି ନୋବେଲ ପଦକ ପାଇ ପାଲଟିଛି ପ୍ରେରଣାର ଉତ୍ସ।
ବ୍ୟକ୍ତି ହୃଦୟରେ ଦେଶପ୍ରେମର ଦୀପ ଜଳି ଉଠିଲେ ତା’ର ବହୁବିଧ ବିକାଶ ଅବଶ୍ୟ ଘଟିଥାଏ। ତା’ଦେହରେ ଉତ୍ସାହ, ଉଦ୍ଦୀପନା ବହୁଗୁଣିତ ହୋଇଯାଏ। ଫଳରେ ସମାଜ ଉଦ୍‌ଭାସିତ ହୋଇଉଠେ ସେପରି ସନ୍ତାନମାନଙ୍କ କୃତି ଓ କୀର୍ତ୍ତିରେ। ଫେରି ଚାହାଁନ୍ତୁ ଭାରତର ପ୍ରାକ ସ୍ବାଧୀନତା ସମୟକୁ ଯେତେବେଳେ କି ଭାରତର ସ୍ବାଧୀନତା ସଂଗ୍ରାମ ତୀବ୍ରତର ଥିଲା। ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଦୀପ ଜଳୁଥିଲା ଖୁବ ତେଜରେ। ଏପରିକି ଭାରତମାତାଙ୍କ ପାଇଁ ପ୍ରାଣ ବି ଉତ୍ସର୍ଗ କରିବାକୁ ତତ୍ପର ଥିଲେ ଏ ଦେଶର ଅନେକ ତରୁଣ ପ୍ରାଣ। ତରୁଣ ଧ୍ୟାନଚାନ୍ଦ ସେଥିରେ ବାଦ ପଡ଼ନ୍ତେ ବା କିପରି? ଆମ୍‌ଷ୍ଟରଡ୍ୟାମଠାରେ ୧୯୨୮ରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ ଭେଟିଥିଲା ଘରୋଇ ନେଦରଲାଣ୍ଡକୁ, ଯିଏକି ୧୯୧୮ ମସିହାରେ ଚମ୍ପିଆନ ହେବାର ସୌଭାଗ୍ୟରୁ ଅଳ୍ପକେ ବଞ୍ଚିତ ହୋଇଥିଲା। ଭାରତମାତାଙ୍କର ମାନ ରଖିବା ପାଇଁ ପ୍ରତିଟି ଭାରତୀୟ ଖେଳାଳି ସତେ ଯେମିତି ପ୍ରତିଜ୍ଞାବଦ୍ଧ ଥିଲେ। ଆଉ, ସତକୁ ସତ ଶକ୍ତିଶାଳୀ ନେଦରଲାଣ୍ଡକୁ ପରାସ୍ତକରି ପ୍ରଥମଥର ଭାରତ ହେଲା ବିଶ୍ବ ଚମ୍ପିଆନ। ତା’ ପର ହକି ବିଶ୍ବକପ ଫାଇନାଲ ଥିଲା ଆହୁରି ଗର୍ବ ଓ ଗୌରବର ବିଷୟ। ୧୯୩୨ରେ ଅନୁଷ୍ଠିତ ଫାଇନାଲରେ ଭାରତ ଭେଟିଥିଲା ଇଂଲଣ୍ଡର ପରମ ମିତ୍ର ଆମେରିକାକୁ। ମିତ୍ରଶକ୍ତି ଆମେରିକାର ସେତେବେଳେ ପରାଜୟ ଅର୍ଥ ଇଂଲଣ୍ଡ ଗାଲରେ ଚାପୁଡ଼ା ସଦୃଶ। ଏଣୁ ଜୀବନକୁ ବାଜି ଲଗାଇ ଧ୍ୟାନଚାନ୍ଦଙ୍କ ଦଳ ଓହ୍ଲାଇଥିଲା ପଡ଼ିଆକୁ। ମନରେ ଥିଲା ଦୃଢ଼ ସଂକଳ୍ପ ‘ଯାହା ବି ହେଉ ଜିତିବାକୁ ହେବ। ଭାରତ ମାତାକୁ ଗୌରବାନ୍ବିତ କରିବାକୁ ହେବ।’ ସତକୁ ସତ ପ୍ରତିପକ୍ଷକୁ ୨୪ଟି ଚାପୁଡ଼ା ଦେଇ ଭାରତ ରଚିଲା ବିରଳ ଇତିହାସ। ପ୍ରଚଣ୍ଡ ଦେଶପ୍ରେମର ପ୍ରେରଣାଦାୟୀ ଘଟଣା। ଆହୁରି ଆସନ୍ତୁ ଜାଣିବା ୧୯୩୬ର ଫାଇନାଲ ଖେଳରୁ ଯେତେବେଳେ ଶକ୍ତିଶାଳୀ ଜର୍ମାନୀକୁ ୮ଟି ଗୋଲ ଦେଇ ଭାରତ ହ୍ୟାଟ୍ରିକ ଅର୍ଜନ କଲା। ତତ୍କାଳୀନ ବିଶ୍ବର ସବୁଠୁ କ୍ଷମତାଶାଳୀ ଶାସକ ଜର୍ମାନର ହିଟଲର ନିଜେ ଆଗେଇ ଆସିଲେ ଧ୍ୟାନଚାନ୍ଦଙ୍କୁ ଅଭିନନ୍ଦନ ଜଣାଇବାକୁ। ଲୋଭନୀୟ ପୁରସ୍କାର, ଚାହିଦା ମୁତାବକ ଚାକିରି ପ୍ରତିବଦଳରେ ପ୍ରସ୍ତାବ ଦେଲେ ଜର୍ମାନର ନାଗରିକତ୍ବ ଗ୍ରହଣ କରିବାକୁ। ରୋକଠୋକ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଯଥାର୍ଥ ଜାତିପ୍ରେମର ଦୃଷ୍ଟାନ୍ତ ରଖିଥିଲେ ଧ୍ୟାନଚାନ୍ଦ ସେଦିନ। ପିମ୍ପୁଡ଼ି ପ୍ରାୟ ଦେଶ ହେଲେବି ଆମକୁ ଇସ୍ରାଏଲ, ଡେନମାର୍କ, ସ୍ବିଡେନ, ହଙ୍ଗେରୀ, କ୍ରୋଏସିଆ, ସ୍ବିଜରଲାଣ୍ଡ ଆଦି ଦେଶଠୁ ଅନେକ କିଛି ଶିଖିବାର ଅଛି। ଦେଶକୁ ଦୀପ୍ତିମୟ କରିବାକୁ ଅଛି ତ ଦେଶପ୍ରେମର ଅଜସ୍ର ଅଖଣ୍ଡ ଦୀପ ଜାଳିବାକୁ ହେବ ହିଁ ହେବ।
ନୀଳଗିରି, ବାଲେଶ୍ବର

kalyan agarbati
Leave A Reply