ଆଦିବାସୀଙ୍କ ଅଧିକାର ଆଇନ ତ୍ରୁଟିପୂର୍ଣ୍ଣ ନା ସରକାରୀ ଉଦାସୀନତା?
ନିକଟରେ ୨୦ଟି ରାଜ୍ୟର ଦଶ ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀ ଓ ଅନ୍ୟାନ୍ୟ ବନବାସୀଙ୍କୁ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିବା ସ୍ବାଭାବିକ। ଯଦି ପ୍ରତ୍ୟାଖ୍ୟାତ ଦାବି ଅନୁସାରେ ଏହି ଉଚ୍ଛେଦ କରାଯାଏ, ତେବେ ଏଭଳି ଆଦିବାସୀଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ‘ୱାଇଲ୍ଡଲାଇଫ୍ ଫାଷ୍ଟ୍’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ (ଏନ୍ଜିଓ)ର ଆବେଦନର ଶୁଣାଣି କରି ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ଯେ ଜୁଲାଇ ୨୭ ସୁଦ୍ଧା ଉଚ୍ଛେଦ କରାଯାଉ। ଏହି ଅନୁଷ୍ଠାନର ଅଭିଯୋଗ ହେଲା ଆଦିବାସୀ ଅଧିକାର ଆଇନ, ୨୦୦୬ ତ୍ରୁଟିପୂର୍ଣ୍ଣ ଓ ତାହା ଜଙ୍ଗଲନଷ୍ଟର କାରଣ ପାଲଟିଛି। ଅନ୍ୟପକ୍ଷରେ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଆସୁଥିବା ସଂଗଠନଗୁଡ଼ିକ ଓ ବିରୋଧୀ ଦଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହିଭଳି ରାୟ ଦେବା ପଛରେ ସରକାରଙ୍କୁ ଦାୟୀ କରିଛନ୍ତି। ସେମାନଙ୍କ ମତରେ ସରକାର ୟୁପିଏ ସରକାର ଅମଳରେ ପ୍ରଣୀତ ଉପରୋକ୍ତ ଆଇନର ଉପଯୁକ୍ତ ବ୍ୟାଖ୍ୟା କରିବାରେ ହେଳା କରିବା ସହ ଆଦିବାସୀ-ବନବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ଯେଉଁମାନେ ଜଙ୍ଗଲ ଜମିରେ ପାରମ୍ପରିକ ଭାବେ ବସବାସ କରୁଥିବାର ପ୍ରମାଣ ଦେଇପାରିନାହାନ୍ତି ବର୍ତ୍ତମାନ ସେହି ଆଦିବାସୀ-ବନବାସୀ ଉପେରାକ୍ତ କାରଣରୁ ‘ବଳପୂର୍ବକ ବାସ କରୁଥିବା ଲୋକେ’ ଭାବରେ ପରିଗଣିତ ହେବେ। ଯେଉଁମାନେ ଯୁଗଯୁଗ ଧରି ଘରଦ୍ବାର କରି ବସବାସ କରିଆସୁଛନ୍ତି, ସେମାନଙ୍କୁ ଉଚ୍ଛେଦ କରାଯିବା ଦୁଃଖର ବିଷୟ ନିଶ୍ଚୟ। ନ୍ୟାୟାଳୟ ‘ଫରେଷ୍ଟ୍ ସର୍ଭେ ଅଫ୍ ଇଣ୍ଡିଆ’କୁ ଜଙ୍ଗଲ ଜମିର ସାଟେଲାଇଟ୍ ମ୍ୟାପିଙ୍ଗ୍ କରିବାକୁ ନିର୍ଦେଶ ଦେଇଛନ୍ତି।
ତେବେ ଏହି ପ୍ରସଙ୍ଗରେ କେତୋଟି ପ୍ରଶ୍ନ ଉତ୍ଥାପନ ଜରୁରୀ। ଯେଉଁମାନଙ୍କୁ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦ କରିବାକୁ କୁହାଯାଇଛି, ସେମାନଙ୍କ ଭିତରୁ ଅଧିକାଂଶ ସମ୍ବିଧାନର ପଞ୍ଚମ ଓ ଷଷ୍ଠ ଅନୁସୂଚୀରେ ଚିହ୍ନିତ ବନାଞ୍ଚଳରେ ବସବାସ କରୁଥିବା ଅନୁମିତ। ସେମାନଙ୍କୁ ସେଥିରୁ ଉଚ୍ଛେଦ କରାଗଲେ ସମ୍ବିଧାନର ଉଲ୍ଲଙ୍ଘନ ହେବନାହିଁ କି? ଆହୁରି ମଧ୍ୟ ମୌଳିକ ଅଧିକାର ବର୍ଣ୍ଣନା କରାଯାଇଥିବା ସମ୍ବିଧାନର ଧାରା ୧୯(୫) ଅନୁସାରେ ରାଜ୍ୟଗୁଡ଼ିକ ‘କୌଣସି ଅନୁସୂଚିତ ଜନଜାତିର ସୁରକ୍ଷା ପାଇଁ’ ଆଇନ ତିଆରି କରିପାରିବେ। ଯଦି କୌଣସି ରାଜ୍ୟ ସେଭଳି ଆଇନ ତିଆରି କରିଥାନ୍ତି, ତାକୁ ଅମାନ୍ୟ କରାଯାଇପାରିବ କି? ସର୍ବୋପରି ଅଭିଯୋଗକର୍ତ୍ତାଙ୍କ ଅନୁସାରେ ଜଙ୍ଗଲ ଓ ବଣ୍ୟପଶୁଙ୍କ ସୁରକ୍ଷା କରାଯିବା ଜରୁରୀ, କିନ୍ତୁ କାହାଠାରୁ? ଯେଉଁମାନେ ଶହଶହ ବର୍ଷଧରି ଜଙ୍ଗଲ ଭିତରେ ବସବାସ କରୁଛନ୍ତି, ସେମାନଙ୍କଠାରୁ? ଏହାଠାରୁ ବି ଆହୁରି ବଡ଼ ପ୍ରଶ୍ନ ହେଲା, ଉଚ୍ଛେଦ କରାଯାଉଥିବା ସେହି ଆଦିବାସୀ-ବନବାସୀଙ୍କୁ କେଉଁଠାରେ ଥଇଥାନ କରାଯିବ? ସେମାନେ ସେଇଠି ରହିପାରିବେ ତ? ବିଭିନ୍ନ ଖଣିଖାଦାନ ଓ କାରଖାନା ପାଇଁ ଉଚ୍ଛେଦ ହୋଇଥିବା ଆଦିବାସୀ-ବନବାସୀମାନେ କିଭଳି ହନ୍ତସନ୍ତ ହେଉଛନ୍ତି, ତା’ର ଯଥେଷ୍ଟ ଉଦାହରଣ ଆମେ ଦେଖୁଛୁ। ତେଣୁ ଏ ନେଇ ଗଭୀର ଭାବେ ଚିନ୍ତା କରିବା ଜରୁରୀ ହୋଇପଡ଼ିଛି।