ନୂଆଦିଲ୍ଲୀ: ଇଥିଓପିଆର ଆନ୍ଦାମାଲାକ୍ ବେଲିହୁ ଓ ସେହାୟ ଗେମେଚୁ ଚଳିତବର୍ଷ ଦିଲ୍ଲୀ ହାଫ୍ ମାରାଥନରେ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ବର୍ଗ ଦୌଡରେ ଆନ୍ଦାମାଲାକ୍ ଏହି ଦୂରତ୍ୱକୁ ୫୯ ମିନିଟ ୧୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଇଥିଓପିଆର ଅନ୍ୟତମ ଧାବକ ଆମ୍ଦେୱର୍କ ୱାଲେଲେନ୍ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟପଦକ ଜିତିଥିବାବେଳେ କେନିଆର ଡାନିଏଲ କିପ୍ଚୁମ୍ବାଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଅପରପକ୍ଷରେ ଇଥିଓପିଆର ଧାବିକା ସେହାୟ ଗେମେଚୁ ମହିଳା ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଗେମେଚୁ ଏହି ଦୂରତ୍ୱକୁ ୧ ଘଣ୍ଟା ୬ ମିନିଟ ୫୬ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେନିଆର ଜୟସିଲିନ ଜେପ୍କୋସ୍ଗେଇ ୨ୟ ଓ ଇଥିଓପିଆର ଜିନେବା ୟିମେରଙ୍କୁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜପଦକ ମିଳିଛି। ଭାରତୀୟଙ୍କ ମଧ୍ୟରେ ଅଭିଷେକ ପାଲ ପୁରୁଷ ବର୍ଗରେ ପ୍ରଥମ ଓ ସଞ୍ଜିବନୀ ଯାଦବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ହାଫ୍ ମାରାଥନ୍ର ବିଭିନ୍ନ ବର୍ଗରେ ପ୍ରାୟ ୩୪୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
Popular Categories



