ନୂଆଦିଲ୍ଲୀ: ସୋମବାର ଅପରାହ୍ଣରୁ ଲାଗି ରହିଥିବା ବର୍ଷାରେ ଦିଲ୍ଲୀର କେତେକ ଅଞ୍ଚଳ ସମେତ ଗୁରୁଗାଓଁ ଜଳମଗ୍ନ ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯.୬ ମିମି ବର୍ଷା ହୋଇଛି। ଗତ ତିନିବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଦିଲ୍ଲୀରେ ଏହା ସର୍ବାଧିକ ବୃଷ୍ଟିପାତ ବୋଲି କୁହାଯାଉଛି। ବର୍ଷା ଯୋଗୁଁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳର ତାପମାତ୍ରା ପାଖାପାଖି ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି।
ପ୍ରବଳ ବର୍ଷାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିିଛି। ଏଥିପାଇଁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି। ଗୁରୁଗାଓଁର ଅଧିକାଂଶ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ରୀୟ ଦିଲ୍ଲୀ, ଦିଲ୍ଲୀ ବିମାନବନ୍ଦର ଓ ଆର କେ ପୁରମ୍ରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବିଜୁଳି ସରବରାହ ବିଚ୍ଛିନ୍ନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡ, ଚଣ୍ଡୀଗଡ଼, ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମହରାଷ୍ଟ୍ରର ବିଦର୍ଭ, ପଶ୍ଚିମବଙ୍ଗର ହିମାଳୟ ଉପତ୍ୟକା, ସିକ୍କିମ୍, ନାଗାଲାଣ୍ଡ, ମଣିପୁର, ମିଜୋରାମ୍, ତ୍ରିପୁରା, କୋଙ୍କଣ, ଗୋଆ, ତେଲେଙ୍ଗାନା, କର୍ଣ୍ଣାଟକର ଉପକୂଳ ଅଞ୍ଚଳରେ ମୌସୁମୀ ପ୍ରଭାବରେ ବୃଷ୍ଟିପାତର ସମ୍ଭାବନା ରହିଛି।
ଦିଲ୍ଲୀରେ ପ୍ରବଳ ବର୍ଷା: ବ୍ୟାପକ ଅଞ୍ଚଳ ଜଳମଗ୍ନ
Popular Categories



