www.samajalive.in
Thursday, December 11, 2025
15.1 C
Bhubaneswar

ଟିଟୋ ସହ ଗୋଆ ଯାଇଥିଲେ ଇନ୍ସପେକ୍ଟର ସଞ୍ଜୀବ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର-ପୁଲିସ ସମ୍ପର୍କକୁ ନେଇ କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍କୁ ମିଳିଲା ସୂଚନା। ରବିବାର ଭୋର୍‍ରୁ ଏସ୍‍ଟିଏଫ୍‍ ଜଗତସିଂହପୁରରୁ ଆଣି ପଚରାଉଚରା କରୁଥିବା ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀର ପ୍ରମୁଖ ସହଯୋଗୀ ଜଗତସିଂହପୁର ସିପି-ମୁକୁନ୍ଦପୁରର ଦୀପ୍ତି ରଞ୍ଜନ ଦାଶ ଓରଫ୍‍ ଲୁଲୁ ଏନେଇ ସୂଚନା ଦେଇଛି। ଏସ୍‍ଟିଏଫ୍‍ ପକ୍ଷରୁ ଦୀପ୍ତି ଓ ଟାଙ୍ଗି ଥାନା ଅଧୀନ ସରଡୋଳାର ହାବୁଲା ଓରଫ ହାବେଳି ଓରଫ୍‍ ଚିତ୍ତରଞ୍ଜନ ସାହୁକୁ ମଙ୍ଗଳବାର ଗିରଫ କରାଯାଇ କୁଜଙ୍ଗ କୋର୍ଟକୁ ଚାଲାଣ କରାଯାଇଛି। ଦୁହିଁଙ୍କୁ କୁଜଙ୍ଗସ୍ଥିତ ସମାଗୋଳ ଜେଲ୍‍କୁ ପଠାଇ ଦିଆଯାଇଛି। ତେବେ ଗିରଫ ଅପରାଧୀ ଦ୍ୱୟଙ୍କୁ ଏସଟିଏଫ ଜିମାରେ ଅଣାଯିବ ବୋଲି ସୂଚନା ଦିଆଯାଇଛି। ଏନେଇ ଆସନ୍ତାକାଲି କୋର୍ଟରେ ଆବେଦନ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଦୀପ୍ତିଙ୍କୁ ଜେରା ବେଳେ ଗ୍ୟାଙ୍ଗଷ୍ଟର ଟିଟୋ ଏବଂ ଇନ୍ସପେକ୍ଟର ସଞ୍ଜୀବ ମହାନ୍ତିଙ୍କ ସହିତ ସେ ଗୋଆ ଯାଇଥିବା ସ୍ୱୀକାର କରିଛି।
ଟିଟୋର ଭାଇ ସପୋ ଗଣମାଧ୍ୟମକୁ ଯେଉଁ ସୂଚନା ଦେଇଥିଲା ସମାନ କଥାକୁ ଦୀପ୍ତି ତଦନ୍ତକାରୀ ଅଧିକାରୀଙ୍କୁ କହିଛି। ତେବେ ଆଇଆଇସି ଶ୍ରୀ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ କି ନାହିଁ ଏସ୍‍ଟିଏଫ୍‍ର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଇନ୍ସପେକ୍ଟର ଶ୍ରୀ ମହାନ୍ତିଙ୍କୁ ମଧ୍ୟ ଜିମାରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି। ଏନେଇ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କର ଅନୁମତିର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଟିଟୋ ସହିତ ଅଫିସର ଓ ପୁଲିସ ଅଧିକାରୀଙ୍କର ସମ୍ପର୍କ ଯେଡ଼ି ବାର ଏକ ମୁଖ୍ୟ ସେତୁ ଭଳି ଦୀପ୍ତି କାର୍ଯ୍ୟ କରୁଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ତା’ର ଜଗତସିଂହପୁରରେ ଥିବା ହୋଟେଲ୍‍ ଓ ଗେଷ୍ଟହାଉସ୍‍ରେ ଅଫିସର ସେମାନଙ୍କ ମୌଜ ମଜଲିସ କରୁଥିଲେ। ହୋଟେଲ୍‍ ଓ ଗେଷ୍ଟ ହାଉସ୍‍କୁ ଅନେକ ସମୟରେ ବାହାରୁ ଯୁବତୀଙ୍କୁ ଅଣାଯାଉଥିବା ନେଇ ମଧ୍ୟ ଏସ୍‍ଟିଏଫ୍‍କୁ ସୁରାକ୍‍ ମିଳିଛି। ଯେଉଁ ଅଫିସରମାନେ ଜଗତସିଂହପୁରରେ ସଉକ୍‍ କରିବାକୁ ରାଜି ହେଉ ନ ଥିଲେ ସେମାନଙ୍କୁ ବିମାନରେ ରାଜ୍ୟ ବାହାରକୁ ନେବା ପାଇଁ ବନ୍ଦୋବସ୍ତ କରାଯାଉଥିଲା। ଆଇଆଇସି ଶ୍ରୀ ମହାନ୍ତି ଏକାଧିକବାର ଟିଟୋ ଓ ଦୀପ୍ତି ସହିତ ଗୋଆ ଯାଇଥିବା ଜଣାପଡିଛି ବୋଲି ଏସ୍‍ଟିଏଫ୍‍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅନ୍ୟ କେଉଁ ସରକାରୀ ଅଧିକାରୀ ଟିଟୋର ଏହି ଜାଲ୍‍ରେ ଫସି ମୌଜ କରିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି ସେନେଇ ଖୋଳତାଡ଼ ଚାଲିଥିବା ସେ କହିଛନ୍ତି। ସେଥିପାଇଁ ଦୀପ୍ତିକୁ ଜିମାରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି। ଟିଟୋର ବେଆଇନ୍‍ ରୋଜଗାରକୁ ଦୀପ୍ତି ସୁଧ କାରବାରରେ ଲଗାଉଥିଲା। ମାସିକ ୫ ପ୍ରତିଶତ ହାରରେ ବାର୍ଷିକ ୬୦ ପ୍ରତିଶତରେ ସେ ସୁଧ ଲଗାଉଥିଲା। ଗ୍ୟାଙ୍ଗଷ୍ଟରଙ୍କ ଟଙ୍କା ବୋଲି ସୁଧ ଆଦାୟରେ ଦୀପ୍ତିକୁ ବେଶୀ କଷ୍ଟକରିବାକୁ ପଡୁ ନ ଥିଲା।
ଗ୍ୟାଙ୍ଗଷ୍ଟର ଟିଟୋର ଦାଦାବଟି ଆଦାୟ ଓ ଟେଣ୍ଡର ଫିକ୍ସି ଆଦିକୁ ଚଳାଉଥିଲା ହାବୁଲା। ଗିରଫ ହୋଇଥିବା ହାବୁଲା ଓ ଦୀପ୍ତି ବିରୋଧରେ ଆଇପିସିର ଧାରା ୩୮୭, ୫୦୬, ୧୨୦(ଖ) ଓ ୩୪ରେ ମାମଲା ରୁଜୁ କରାଯାଇଛି। ଜିତେନ୍ଦ୍ର ସ୍ୱାଇଁ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଧମକ ଦେବା ଅଭିଯୋଗରେ ଟିଟୋର ଏହି ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ଟିଟୋର ମ୍ୟାନେଜର ଭାବେ କାମ କରୁଥିବା ତପୁର ପ୍ରମୁଖ ସହଯୋଗୀ ଥିଲା ହାବୁଲା। ଏହା ବ୍ୟତୀତ ଅନେକ ଟେଣ୍ଡର ଫିକ୍ସିଂ ମାମଲାରେ ମଧ୍ୟ ହାବୁଲା ସମ୍ପୃକ୍ତ ଥିବା ଏସ୍‍ଟିଏଫ୍‍ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ଦୀପ୍ତି ଓ ହାବୁଲାଠାରୁ ଏସ୍‍ଟିଏଫ୍‍ ଏକ ଲାଇସେନ୍ସ ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି, ବହୁ ଜମିର କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ପାସ୍‍ ବୁକ୍‍ ସହ ନଗଦ ୬୪,୨୫୦ ଟଙ୍କା ଜବତ କରିଛି। ସେହିପରି ଏକ ଅଡି ଓ ଡିଜାୟାର କାର୍‍ ମଧ୍ୟ ଜବତ କରାଯାଇଛି। ଟିଟୋର ଅନେକ ସହଯୋଗୀଙ୍କୁ ଏବେ ଧରିବା ଲାଗି ଏସ୍‍ଟିଏଫ୍‍ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories