www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ପାଇଁ ଆବଶ୍ୟକ ଅନୁମତି ପ୍ରଦାନରେ ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଉଚ୍ଚସ୍ତରୀୟ କମିଟିରେ ଶୀଘ୍ର ଅନୁମୋଦନ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରିଛନ୍ତି।
ଏନ୍‌ଟିପିସିର ପ୍ରକଳ୍ପ ଅନୁମୋଦନ ନେଇ ଏହି ପତ୍ରରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ଏନଟିପିସି ନିକଟ ଅତୀତରେ ୧୩୨୦ ମେଗାୱାଟ କ୍ଷମତାସମ୍ପନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ପରିବେଶ ସୁରକ୍ଷା ବ୍ୟବସ୍ଥା ଅନୁକୂଳ ପ୍ରକଳ୍ପ ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅନୁମତି ଚାହିଁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ପର୍ଯନ୍ତ ଅନୁମତି ପ୍ରଦାନ କରାଯାଇ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି ଏନ୍‌ଟିପିସି ବୋର୍ଡ ୯୭୮୫ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ପୁଞ୍ଜିନିବେଶର ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର ଭୂମି, ଜଳ, ପରିବେଶ ଓ ଅନ୍ୟାନ୍ୟ ବୈଧାନିକ ଅନୁମତି ମିଳି ସାରିଛି। ଏହା ଏକ ବୃହତ୍‌ ପ୍ରକଳ୍ପ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର (ଏଚ୍‌ଏଲ୍‌ସି) ଅନୁମୋଦନ ବିନା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏପ୍ରିଲ ୧୯ ତାରିଖରୁ ଏନ୍‌ଟିପିସି ତରଫରୁ ଆବେଦନ କରା ଗଲେ ମଧ୍ୟ ଏପର୍ଯ୍ୟନ୍ତ ଅନୁମୋଦନ ମିଳି ପାରି ନାହିଁ। ଏହିଭଳି ଏକ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ ଦୀର୍ଘ ୧୫ ମାସ ଧରି ଝୁଲି ରହିବା ରାଜ୍ୟରେ ପୁଞ୍ଜି ନିବେଶ ବାତାବରଣକୁ ଖରାପ କରିବା ସହ ପୁଞ୍ଜିନିବେଶକାରୀମାନଙ୍କୁ ଖରାପ ବାର୍ତ୍ତା ଦେବାର ସମ୍ଭାବନା ରହିଛି। ଏହି ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳ ତଥା ଶସ୍ତାରେ କୋଇଲା ଉପଲବ୍ଧ ହେବା କାରଣରୁ ଏହି ପ୍ରକଳ୍ପରୁ ଓଡିଶାକୁ କମ ମୂଲ୍ୟରେ ବିଜୁଳି ମିଳିପାରିବ। ଏହି ପ୍ରକଳ୍ପର ଗୁରୁତ୍ୱ ଅଧିକ ରହିଛି; କାରଣ ଏହି ସ୍ଥାନରେ ଥିବା ପୁରୁଣା ପ୍ରକଳ୍ପ ବହୁ ପୁରାତନ ଓ ପରିବେଶ ଆଇନ ଦୃଷ୍ଟିରୁ ଆଗକୁ ଚାଲୁରଖିବାରେ ଆଇନଗତ ସମସ୍ୟା ରହିଛି। ଏହି ନୂଆ ପ୍ରକଳ୍ପ ରାଜ୍ୟର ଅର୍ଥନୀତି ଓ ସ୍ଥାନୀୟ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି।
ଏନଟିପିସି ଛଡା ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସେଲ, ନାଲକୋ ପରି ସଂସ୍ଥା ବଡ଼ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ ସହ ଯେଉଁ ପ୍ରକଳ୍ପ ପରିକଳ୍ପନା କରିଛନ୍ତି ତାହା ରାଜ୍ୟର ଶିଳ୍ପ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭାରତର ବିକାଶ ଯୋଜନାକୁ ଗୁରୁତ୍ୱ ପାଇଁ ଏହିସବୁ ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories