ପୁରୀ: ତ୍ରୁଟିପୂର୍ଣ୍ଣ ଔଷଧ ଖାଇବା ଯୋଗୁଁ ଜଣେ ଗର୍ଭବତୀ ଗୁରୁତର ହୋଇଛନ୍ତି। ପୁରୀ ମାର୍କେଟ ଛକରେ ଥିବା ଏକ ଔଷଧ ଦୋକାନ ବିରୋଧରେ ରୀତାରାଣୀ ମିଶ୍ର ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଔଷଧ ଦୋକାନ ସମ୍ମୁଖରେ ଉତ୍ତେଜନା ଲାଗିରହିଛି। ଦୋକାନ ମାଲିକଙ୍କୁ ଗିରଫ ସହ ଲାଇସେନ୍ସ ବାତିଲ ପାଇଁ ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି। କୁମ୍ଭାରପଡ଼ା ଥାନା ଇନ୍ସପେକ୍ଟର ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଭିଯୋଗ ଅନୁଯାୟୀ ପୁରୀ ଲୋକନାଥ ରୋଡ୍ର ପ୍ରତିମା ଦାଶ ଗର୍ଭବତୀ ଥିବାରୁ ସୋମବାର ଦିନ ପ୍ରାୟ ୧୧ଟା ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବୀଣାପାଣି ମହାରଣାଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତର ତାଙ୍କୁ ମାଇକ୍ରୋଜେଷ୍ଟ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ପ୍ରତିମାଙ୍କ ଭଉଣୀ ରୀତାରାଣୀ ଦିନ ପ୍ରାୟ ୨ଟା ବେଳେ ମାର୍କେଟ ଛକରେ ଥିବା ଉକ୍ତ ଔଷଧ ଦୋକାନରୁ ଔଷଧ କିଣିଥିଲେ। ତେବେ ଡାକ୍ତର ଲେଖିଥିବା ଔଷଧ ପରିବର୍ତ୍ତେ ଦାୟିତ୍ୱରେ କର୍ମଚାରୀ ତାଙ୍କୁ ଗର୍ଭପାତ ଔଷଧ ଦେଇଥିଲେ। ତାହାକୁ ଖାଇବା ପରେ ପ୍ରତିମାଙ୍କ ରକ୍ତସ୍ରାବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ପରିବାର ଲୋକେ ତାଙ୍କୁ ଡା. ଶୁଭେନ୍ଦୁ ପଟ୍ଟନାୟକଙ୍କ ପାଖକୁ ନେଇଥିଲେ। ଔଷଧ ଦୋକାନୀ ଭୁଲ୍କ୍ରମେ ଗର୍ଭପାତ ଔଷଧ ଦେଇଥିବାରୁ ତାଙ୍କର ଗର୍ଭପାତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡା. ଶ୍ରୀ ପଟ୍ଟନାୟକ ମହିଳାଙ୍କୁ କହିଥିଲେ। ତେଣୁ ପ୍ରତିମାଙ୍କ ପରିବାର ସନ୍ଧ୍ୟାରେ ଔଷଧ ଦୋକାନକୁ ଯାଇ ମାଲିକଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଭୁଲ୍ରେ ଔଷଧ ଦିଆଯାଇଥିବା କହି ମାଲିକ ତାଙ୍କୁ କିଛି ଅର୍ଥ ଯାଚିଥିବା ରୀତାରାଣୀ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ଅଭିଯୋଗ କରିବାକୁ ପ୍ରତିମାଙ୍କ ଭଉଣୀ ଓ ସ୍ୱାମୀ ଟାଉନ ଥାନାକୁ ଯାଇଥିଲେ। ଔଷଧ ଦୋକାନ କୁମ୍ଭାରପଡ଼ା ଥାନା ଅଧୀନରେ ଆସୁଥିବା କହି ଟାଉନ ଥାନା ପୁଲିସ ସେମାନଙ୍କୁ ଫେରାଇ ଦେଇଥିଲା। ଏହାପରେ ପ୍ରତିମାଙ୍କ ପରିବାର ସଦସ୍ୟ ଔଷଧ ଦୋକାନ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସେଠାରେ ବହୁ ଲୋକ ଜମାହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଇନ୍ସପେକ୍ଟର ଶ୍ରୀ ନାୟକ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରତିମାଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଗଲେ ମକଦ୍ଦମା ରୁଜୁ କରାଯିବା ସହ ମାଲିକଙ୍କୁ ଗିରଫ କରାଯିବ ବୋଲି ଇନ୍ସିପେକ୍ଟର ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ସ୍ୱୀକୃତିପ୍ରାପ୍ତ ଫାର୍ମାସିଷ୍ଟ୍ଙ୍କ ପରିବର୍ତ୍ତେ ଅନ୍ୟଜଣେ ବ୍ୟକ୍ତି ଔଷଧ ବିକ୍ରି କରିବାରୁ ଏପରି ତ୍ରୁଟି ହୋଇଥିବା ପୁଲିସ ସୂଚନା ଦେଇଛି।
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଲେ ଔଷଧ ଦୋକାନୀଙ୍କ ବିରୋଧରେ ତଦନ୍ତ ପାଇଁ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ନିର୍ଦେଶ ଦିଆଯାଇଛି। ଭୁଲ୍ ଔଷଧ ବିକ୍ରି ଅଭିଯୋଗକୁ ଦୋକାନ ମାଲିକ ଅସ୍ୱୀକାର କରିଛନ୍ତି। ରାତି ୧୦ଟା ସୁଦ୍ଧା ଥାନାରେ ମକଦ୍ଦମା ରୁଜୁ କରାଯାଇ ନାହିଁ। ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ଔଷଧ ଦୋକାନ ସମ୍ମୁଖରେ ଉତ୍ତେଜନା, କର୍ମଚାରୀ ଅଟକ
Popular Categories



