ଏମ୍ସ ଜାମ୍ମୁ ଛାତ୍ର ନିଖୋଜ ଘଟଣା କଲକାତା ଗଲା ୩ ଜଣିଆ ଟିମ୍‌

0

ଭୁବନେଶ୍ୱର : ଏମ୍ସର ଦ୍ୱିତୀୟ ବର୍ଷର ନିଖୋଜ ଜମ୍ମୁକାଶ୍ମୀର ଛାତ୍ର ସୋହେଲ୍‌ ଆଇଜାଜ୍‌ଙ୍କୁ ଖୋଜିବା ଲାଗି କମିଶନରେଟ୍‌ ପୁଲିସ୍‌ର ଏକ ୩ ଜଣିଆ ଟିମ୍‌ ସୋମବାର କଲକାତା ଅଭିମୁଖେ ବାହାରିଛି ବୋଲି ପୁଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି। ଗତ ୧୦ ତାରିଖ ଭୋର୍‌ ୫ଟା ବେଳେ ସୋହେଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ହାୱଡା ଷ୍ଟେସନ୍‌ ନିକଟରେ ସୁଇଚ୍‌ଅଫ୍‌ ହୋଇଥିଲା। ତା’ପରଠାରୁ ତାଙ୍କ ମୋବାଇଲ୍‌ ଫୋନ୍‌ ଆଉ ଖୋଲିନାହିଁ। ତେଣୁ ସେଠାରୁ ଅନୁସନ୍ଧାନ ଆରମ୍ଭ କରିବାକୁ ପୁଲିସ ଚିନ୍ତା କରୁଛି। ସୋହେଲ୍‌ ଏମ୍ସର ଡାକ୍ତରୀ ଛାତ୍ର ହୋଇଥିବାରୁ ଏହି ଘଟଣାରେ ଜାତୀୟ ଗୁଇନ୍ଦା ସଂସ୍ଥା(ଆଇବି)ର ସହାୟତା ନିଆଯାଉଥିବା କମିଶନର ଶ୍ରୀ ଖୁରାନିଆ କହିଛନ୍ତି।

ଅପରପକ୍ଷରେ ପୁଅକୁ ଖୋଜିବା ଲାଗି ଭୁବନେଶ୍ୱର ଆସିଥିବା ସୋହେଲ୍‌ଙ୍କ ବାପା ଆଇଜାଜ୍‌ ଅହମ୍ମଦଙ୍କ ଆଖିରୁ ଲୁହ ଶୁଖୁନାହିଁ। ପରୀକ୍ଷାରେ ଭଲ କରି ନ ଥିବାରୁ ସୋହେଲ୍‌ ମାନସିକସ୍ତରରେ ଆଘାତ ପାଇ ଭୁଲ୍‌ ପଦକ୍ଷେପ ନେଇଥିବା ଆଇଜାଜ୍‌ ଆଶଙ୍କା କରିଛନ୍ତି। ଏମ୍ସରେ ଡାକ୍ତରୀ ପଢ଼ିବାକୁ ଇଚ୍ଛା ନ ଥିଲେ ଘରକୁ ଫେରିଯିବାକୁ ସେ ଗଣମାଧ୍ୟମ ଜରିଆରେ ସୋହେଲ୍‌ଙ୍କୁ ଅନୁରୋଧ କରିଛନ୍ତି। ସୋହେଲ୍‌ ନିଖୋଜ୍‌ ହୋଇଯିବା ଖବର ପାଇବା ପରେ ତାଙ୍କ ପରିବାରରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ସେ କହିଛନ୍ତି।

ସୋହେଲ୍‌ଙ୍କର ଘର ଜମ୍ମୁକାଶ୍ମୀରର କୁପୱାରା ଜିଲାର ମାସାରୀ ଚୌକିବାଲା। ଆଇଜାଜ୍‌ଙ୍କର ୬ ସନ୍ତାନଙ୍କ ମଧ୍ୟରୁ ସୋହେଲ୍‌ ତୃତୀୟ। ସୋହେଲ୍‌ଙ୍କର ୩ ଭଉଣୀ ଅଛନ୍ତି। ଉକ୍ତ ଅଞ୍ଚଳର ପ୍ରଥମ ଛାତ୍ର ଭାବେ ସୋହେଲ୍‌ ଏମ୍ସ ଭଳି ଅନୁଷ୍ଠାନରେ ଡାକ୍ତରୀ ପଢ଼ିବାର ସୁଯୋଗ ପାଇଥିଲେ। ଆଇଜାଜ୍‌ଙ୍କ କହିବା ଅନୁସାରେ ସୋହେଲ୍‌ ତାଙ୍କ ପରିବାର ସବୁଠାରୁ ମେଧାବୀ। ତାଙ୍କ ଉପରେ ପରିବାରର ସମସ୍ତଙ୍କର ବିଶ୍ୱାସ ଥିଲା। ହେଲେ ଏଠାରେ ପ୍ରଥମ ବର୍ଷରେ ପରୀକ୍ଷା ଖରାପ ହୋଇଥିବାରୁ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲା। ତଥାପି ପରୀକ୍ଷା ଭଲ ହୋଇ ନ ଥିଲା। ଗତ କିଛି ଦିନ ହେବ ବିଭିନ୍ନ କାର୍ଯ୍ୟକ୍ରମରେ ସୋହେଲ୍‌ ଆଗ୍ରହ ଦେଖାଉ ନ ଥିଲା ବୋଲି ଏମ୍ସର ନିର୍ଦେଶିକା ଗୀତାଞ୍ଜଳି ବାଟମାନୋବାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ପୁଲିସ ସହାୟତାରେ ସୋହେଲ୍‌ଙ୍କର ମୋବାଇଲ୍‌ ଫୋନ୍‌ର କଲ୍‌ର ସମସ୍ତ ତଥ୍ୟ ସଂଗ୍ରହ କରି କମିଶନରେଟ୍‌ ପୁଲିସ ତଦନ୍ତ କରିବ ବୋଲି ପୁଲିସ କମିଶନର ଶ୍ରୀ ଖୁରାନିଆ କହିଛନ୍ତି।

Leave A Reply