ଟେଷ୍ଟ ମାନ୍ୟତା : ଅଲରାଉଣ୍ଡର ଶୀର୍ଷରେ ଜାଡେଜା, ୧୫କୁ ଉଠିଲେ ଯଶସ୍ବୀ

ନୂଆଦିଲ୍ଲୀ : ଭାରତୀୟ ଯୁବ ଓପନର ଯଶସ୍ବୀ ଜୟସୱାଲ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ବହୁତ ବଡ଼ ଲମ୍ଫ ମାରିଛନ୍ତି। ଯଶସ୍ବୀ ୧୪ଟି ସ୍ଥାନ ଉପରକୁ ଉନ୍ନିତ ହେବା ସହିତ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ୨୨ ବର୍ଷୀୟ ବାମହାତୀ ବ୍ୟାଟ୍‌ସମ୍ୟାନ ଯଶସ୍ବୀ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ସହିତ କ୍ରମାଗତ ଦୁଇଟି ଦ୍ବିଶତକ ହାସଲ କରିଥିଲେ। ବିଶ୍ବର ଅଷ୍ଟମ ଓ ୩ୟ ଭାରତୀୟ ଭାବେ କମ୍‌ ବୟସରେ ଟେଷ୍ଟରେ କ୍ରମାଗତ ଦୁଇଟି ଦ୍ବିଶତକ ହାସଲ କରିବାରେ ସଫଳ ହୋଇଥିଲେ। ବିଶାଖାପାଟଣାରେ ଦ୍ବିତୀୟ ଟେଷ୍ଟରେ ଯଶସ୍ବୀ ୨୦୯ରନ ଓ ରାଜକୋଟ୍‌ରେ ୩ୟ ଟେଷ୍ଟ ମ୍ୟାଚରେ ଦ୍ବିତୀୟ ଇନିଂସରେ ୨୧୪ରନ କରିଥିଲେ। ସେହିପରି ରାଜକୋଟ୍‌ ଟେଷ୍ଟରେ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ରବୀନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ଶତକ ହାସଲ କରିଥିଲେ। ଉକ୍ତ ବ୍ୟାଟିଂ ପ୍ରଦର୍ଶନ ଲାଗି ଜାଡେଜା ୪୧ରୁ ୩୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଉଭୟ ଇନିଂସରେ ୭ଟି ୱିକେଟ ନେଇଥିବା ଜାଡେଜା ବୋଲିଂ ମାନ୍ୟତାର ୩ଟି ସ୍ଥାନକୁ ଉନ୍ନୀତ ହୋଇ ୭ମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରାଜକୋଟ୍‌ ଟେଷ୍ଟରେ ୫୦୦ ୱିକେଟ ପୂରଣ କରିଥିବା ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପ୍ରାଧାନ୍ୟ ବଜାୟ ରହିଛି। ଜାଡେଜା ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଜାଡେଜା ଇଂଲଣ୍ଡ ବିପକ୍ଷ ରାଜକୋଟ୍‌ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଥିବାବେଳେ ମ୍ୟାଚରେ ମୋଟ୍‌ ୭ଟି ୱିକେଟ ନେଇଥିଲେ। ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଅନ୍ୟତମ ଭାରତୀୟ ଅକ୍ଷର ପଟେଲ ୪ର୍ଥ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୨ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଇଂଲଣ୍ଡ ବିପକ୍ଷ ରାଜକୋଟ୍‌ ଟେଷ୍ଟରେ ୧୩୧ରନ କରିଥିଲେ। ଅନ୍ୟତମ ଭାରତୀୟ ବ୍ୟାଟ୍‌ସମ୍ୟାନ ଶୁବମାନ ଗିଲ୍‌ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୫ତମ ସ୍ଥାନରେ ରହିଛନ୍ତି। ରାଜକୋଟ୍‌ରେ ଟେଷ୍ଟ ପଦାର୍ପଣ କରିଥିବା ସର୍ଫରାଜ ଖାନ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିବା ସହିତ ୭୫ତମ ଓ ଧ୍ରୁବ ଜୁରେଲ ୧୦୦ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଓହରି ଯାଇଥିଲେ ମଧ୍ୟ ବିରାଟ କୋହଲି ୭ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଓପନର ବେନ୍‌ ଡକେଟ୍‌ ରାଜକୋଟ୍‌ ଟେଷ୍ଟର ପ୍ରଥମ ଇନିଂସରେ ୧୫୩ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ସେ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୩ତମ ସ୍ଥାନରେ ରହିଛନ୍ତି।

Comments are closed.