ନୂଆଦିଲ୍ଲୀ: ଭାରତ ଗସ୍ତର ଅବ୍ୟବହିତ ପୂର୍ବରୁ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ମାରିଛନ୍ତି। ୨ଦିନ ତଳେ ସେ କାଶ୍ମୀର ପ୍ରସଙ୍ଗରେ ମତ ରଖି ବିବାଦର ସମାଧାନ ପାଇଁ ଆଲୋଚନା ଏକମାତ୍ର ବାଟ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଭାରତରେ କମ୍ପନ ସୃଷ୍ଟି ହୋଇଛି। ଜିନପିଙ୍ଗ କହିଛନ୍ତି, ସେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉପରେ ନଜର ରକିଛନ୍ତି। ଭାରତ ଏବଂ ପାକିସ୍ତାନକୁ ଏହି ପ୍ରସଙ୍ଗକୁ ଜାତିସଂଘ ଚାର୍ଟର ଅନୁସାରେ ସମାଧାନ କରିବା ଦରକାର। ଏହି ମନ୍ତବ୍ୟ ଦୁଇଦିନ ତଳେ ଦେଇଥିବା ମନ୍ତବ୍ୟର ସମ୍ପୂର୍ଣ୍ଣ ଓଲଟା। ଜିନପିଙ୍ଗ ଏହି ମନ୍ତବ୍ୟକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଚୀନ ଗସ୍ତରେ ଅଛନ୍ତି। ସେଠାରେ ସେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ମିଳିତ ବିବୃତି ଜାରି କରାଯାଇଛି। ଶୁକ୍ରବାର ଜିନପିଙ୍ଗ ଭାରତ ଗସ୍ତରେ ଆସି ଚେନ୍ନାଇର ମହାବଲୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅପୌପଚାରିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ତାଙ୍କର ଭାରତ ବିରୋଧୀ ଏପରି ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



