ଆଜି ହେଉଛି ବିଶ୍ୱ ମଧୁମେହ ଦିବସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୩୫ ବର୍ଷ ପୂର୍ବେ ବିଶ୍ୱରେ ଥିବା ମଧୁମେହ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ୧୯୮୦ ମସିହାରେ ବିଶ୍ୱରେ ୧୮ କୋଟି ମଧୁମେହ ରୋଗୀ ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୪୨ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ୨୦୪୫ ସୁଦ୍ଧା ୬୦ କୋଟି ଅତିକ୍ରମ କରିଥିବ ବୋଲି ଅନ୍ତର୍ଜାତିକ ମଧୁମେହ ଫେଡେରେସନ୍ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଚଳିତବର୍ଷର ବାର୍ତ୍ତା ରହିଛି ନିଜ ପରିବାରକୁ ସୁରକ୍ଷିତ ରଖ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍ ଜେନେଭାଠାରେ ଏସଂପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ମଧୁମେହ ରୋଗ ବିଶ୍ୱବ୍ୟାପି ବୃଦ୍ଧି ପାଉଛି। ବିଶେଷକରି କମ୍ ଆୟବର୍ଗର ଦେଶମାନଙ୍କରେ ଏହା ଅଧିକ ମାତ୍ରାରେ ଦେଖାଦେଉଛି। ଏହି ରୋଗର ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଇନ୍ସୁଲିନ୍ କ୍ରୟ କରିବା ଲାଗି କେତେକ କ୍ଷେତ୍ରରେ ଅର୍ଥ ବାଧକ ସାଜୁଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ତେଣୁ ସୁଲଭ ମୂଲ୍ୟରେ ଯେଭଳି ରୋଗୀଙ୍କୁ ଉନ୍ନତମାନର ଇନ୍ସୁଲିନ୍ ମିଳିପାରିବ ସେହି ପ୍ରକ୍ରିୟା ବିକଶିତ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକୁ ଆହ୍ୱାନ ଦିଆଯାଇଛି। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।



