ଲେହ: ଲଦାଖର ୧୦ ହଜାର ଫୁଟ୍ ଉଚ୍ଚ ବରଫାବୃତ୍ତ ଅଞ୍ଚଳରେ ଫସିରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିଛନ୍ତି ବାୟୁସେନାର ଜଣେ ମହିଳା ପାଇଲଟ୍। ପ୍ରତିକୂଳ ପରିସ୍ଥିତିରେ ହେଲିକପ୍ଟର ଉଡ଼ାଣ କରି ଏହି ଅପରେଶନକୁ ସଫଳତାର ସହିତ ଶେଷ କରି ସେ ତାଙ୍କ ଅଦମ୍ୟ ସାହସର ପରିଚୟ ଦେଇଛନ୍ତି, ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଅପରେଶନ କାଳର ଅନେକ ଫଟୋ ଭାଇରାଲ ହେବା ପରେ ମହିଳା ପାଇଲଟ୍ ସୁରଭୀ ସକ୍ସେନାଙ୍କୁ ଢେର ପ୍ରଶଂସା କରାଯାଇଛି।

ଲଦାଖର ଷ୍ଟୋକ୍ କାଙ୍ଗଡୀ ପର୍ବତର ଉପରିଭାଗରେ ପ୍ରବଳ ବରଫପାତ ହେବାରୁ ସେଠାକୁ ଯାଇଥିବା ପର୍ବତାରୋହୀ ଫସିରହିଥିଲେ। ଘଟଣାଟି ଗତ ୧୮ ତାରିଖର। ପର୍ବତାରୋହୀମାନେ ତଳକୁ ଓହ୍ଲାଉଥିବାବେଳେ ବରଫରେ ୬ ପର୍ବତାରୋହୀଙ୍କ ଗୋଡ଼ ଖସିଯାଇଥିଲା। କିଛି ବାଟ ଖସିଯିବା ପରେ ଏକ ବରଫ ଚଟାଣରେ ସେମାନେ ଅଟକି ରହିଥିଲେ। ଏହି ଖବର ମିଳିବା ପରେ ବେସ୍ କ୍ୟାମ୍ପରୁ କିଛି ଲୋକ ଏବଂ ଗାଇଡ୍ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ନ ଥିଲା। କୌଣସି ସହାୟତା ନ ମିଳିବାରୁ ପର୍ବତାରୋହୀଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ପରିସ୍ଥିତି ଏତେ କଠିନ ଥିଲା ଯେ, ଏତେ ଉଚ୍ଚରୁ ପର୍ବତାରୋହୀମାନଙ୍କୁ ଉଦ୍ଧାର କରିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଥିଲା।

ଏହି ସମୟରେ ଲେହ ପ୍ରଶାସନକୁ ଜରୁରିକାଳୀନ ବାର୍ତ୍ତା ପଠାଯାଇଥିଲା। ଏହା ପରେ ପର୍ବତାରୋହୀଙ୍କ ଜୀବନ ବଞ୍ଚାଇବାର ଦାୟିତ୍ଵ ବାୟୁସେନାର ମହିଳା ପାଇଲଟ ସୁରଭୀ ସକ୍ସେନାଙ୍କୁ ଦିଆଯାଇଥିଲା। ତୁରନ୍ତ ସେ ବାୟୁସେନା ହେଲିକପ୍ଟରରେ ଉଡ଼ାଣ ଆରମ୍ଭ କରିଥିଲେ। ତେବେ ପର୍ବତାରୋହୀ ଫସିରହିଥିବା ବରଫାବୃତ ପାହାଡ଼ି ଘାଟିରେ ହେଲିକପ୍ଟର ଓହ୍ଲାଇବା ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରତିକୂଳ ପରିସ୍ଥିତି ସତ୍ବେ ସୁରଭୀ ସେଠାରେ ପହଞ୍ଚିଥିଲେ ଏବଂ ପର୍ବତାରୋହୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।



