www.samajalive.in
Monday, December 8, 2025
14.1 C
Bhubaneswar

କ୍ୱାର୍ଟରର ନିକଟତର ଆର୍ଜେଣ୍ଟିନା ; ୩-୦ରେ ନ୍ୟୁଜିଲାଣ୍ଡ ପରାସ୍ତ

ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍‍ରେ ପୁଲ୍‍ ‘ଏ’ର ଏକ ମ୍ୟାଚରେ ସୋମବାର ଆର୍ଜେଣ୍ଟିନା ବିଜୟୀ ହୋଇଛି। କ୍ରମାଗତ ୨ୟ ମ୍ୟାଚ୍‍ ଜିତି ଏହି ପୁଲ୍‍ରୁ କ୍ୱାର୍ଟରଫାଇନାଲ ଖେଳିବାର ନିକଟତର ହୋଇଛି ଆର୍ଜେଣ୍ଟିନା। କଳିଙ୍ଗ ଷ୍ଟାଡିୟମରେ  ସୋମବାର ୨ୟ ମ୍ୟାଚରେ  ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। କ୍ରମାଗତ ୨ୟ ମ୍ୟାଚ୍‍ ଜିତି ସର୍ବାଧିକ ୬ ପଏଣ୍ଟ ସହ ଆର୍ଜେଣ୍ଟିନା ପୁଲ୍‍ ଶୀର୍ଷରେ ପହଞ୍ଚିଛି। ଆସନ୍ତା ୬ରେ ଫ୍ରାନ୍‍ସ ବିପକ୍ଷରେ ଆର୍ଜେଣ୍ଟିନା ୩ୟ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ ଖେଳିବ।
ଆରମ୍ଭରୁ ଆକ୍ରମଣ କରି ଆର୍ଜେଣ୍ଟିନାକୁ ଚକିତ କରିଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ୧୫ ସେକେଣ୍ଡରେ ଆର୍ଜେଣ୍ଟିନା ଗୋଲ୍‍ପୋଷ୍ଟକୁ ୨ ଥର ଆକ୍ରମଣ କରିଥିଲା ନ୍ୟୁଜିଲାଣ୍ଡ। ତେବେ ଆର୍ଜେଣ୍ଟିନା ଏଥିରୁ ବର୍ତ୍ତି ଯାଇଥିଲା। ୩ୟ ମିନିଟରେ ନ୍ୟୁଜିଲାଣ୍ଡର ହ୍ୟୁଗୋ ଇଙ୍ଗ୍‍ଲିସ୍‍ ମଧ୍ୟ ଗୋଲ୍‍ଦେବାର ନିକଟବର୍ତ୍ତୀ ହୋଇଥିଲେ। ୫ମ ମିନିଟରେ ୟୁଆନ୍‍ ଲୋପେଜ୍‍ଙ୍କ ପ୍ରୟାସରୁ ଆର୍ଜେଣ୍ଟିନାକୁ ପ୍ରଥମ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ତେବେ ଗୋଞ୍ଜାଲୋ ପେଇଲାଟ୍‍ ମାରିଥିବା ହିଟ୍‍ ଉଚ୍ଚା ଥିବାରୁ ଏହାକୁ ରେଫେରୀ ନାକଚ କରି ଦେଇଥିଲେ। ଏହିପରି ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଆର୍ଜେଣ୍ଟିନା ଲୟକୁ ଫେରିଥିଲା। ତେବେ ୧୫ ମିନିଟର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍‍ ହୋଇନଥିଲା। ୧୬ ମିନିଟରେ ନ୍ୟୁଜିଲାଣ୍ଡ ଗୋଲ୍‍କୁ ପ୍ରଥମ ଆକ୍ରମଣ କରିଥିଲା ଆର୍ଜେଣ୍ଟିନା। ତେବେ ଲ୍ୟୁକାସ୍‍ ଭିଲା ମାରିଥିବା ଏହି ସଟ୍‍କୁ ନ୍ୟୁଜିଲାଣ୍ଡ ଗୋଲ୍‍ରକ୍ଷକ ରିଚାର୍ଡ ଜଏସ୍‍ ରୋକି ଦେଇଥିଲେ। ୧୮ ମିନିଟରେ ଆର୍ଜେଣ୍ଟିନା ଅଧିନାୟକ ପେଡ୍ରୋ ଇବାରାଙ୍କ ତ୍ରୁଟିରୁ ନ୍ୟୁଜିଲାଣ୍ଡ ପେନାଲ୍‍ଟି କର୍ଣ୍ଣର ପାଇଥିଲା। ତେବେ କେନ୍‍ ରସେଲ୍‍ଙ୍କ ଡ୍ରାଗ୍‍ଫ୍ଲିକ୍‍କୁ ଆର୍ଜେଣ୍ଟିନା ରକ୍ଷାପନ୍ଥୀ ରୋକି ଦେଇଥିଲେ। ୨୩ ମିନିଟରେ ଆର୍ଜେଣ୍ଟିନା ପ୍ରଥମ ଗୋଲ୍‍ ଦେଇଥିଲା। ପ୍ରଥମ ମ୍ୟାଚ୍‍ରେ ୨ଟି ଗୋଲ୍‍ ସ୍କୋର କରିଥିବା ଆର୍ଜେଣ୍ଟିନାର ଅଗଷ୍ଟିନ୍‍ ମାଜିଲି ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ। ପରେ ନ୍ୟୁଜିଲାଣ୍ଡ ଅଧିକ ଆକ୍ରମଣ କରିଥିଲା। ତେବେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଆଉ ଗୋଲ୍‍ ହୋଇନଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ହକି ଖେଳିଥିଲା। ୩୨ ମିନିଟରେ ନ୍ୟୁଜିଲାଣ୍ଡର ହେଡେନ୍‍ ଫିଲିପ୍‍ସ ଆର୍ଜେଣ୍ଟିନାର ଗୋଞ୍ଜାଲୋ ପେଇଲାଟ୍‍ଙ୍କୁ ପରାସ୍ତକରି ହିଟ୍‍ ମାରିଥିଲେ ହେଁ ବଲ୍‍ ବାହାରେ ଚାଲି ଯାଇଥିଲା। ୩୫ ମିନିଟରେ ଆର୍ଜେଣ୍ଟିନାର ପ୍ରତ୍ୟାକ୍ରମଣରୁ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଗୋଞ୍ଜାଲୋ ପେଇଲାଟ୍‍ଙ୍କ ହିଟ୍‍କୁ ପୁଣିଥରେ ନ୍ୟୁଜିଲାଣ୍ଡ ଗୋଲ୍‍ରକ୍ଷକ ରିଚାର୍ଡ ଜଏସ୍‍ ରୋକି ଦେଇଥିଲେ। ୪୧ ମିନିଟରେ ଆର୍ଜେଣ୍ଟିନା ୨ୟ ଗୋଲ୍‍ ଦେଇଥିଲା। ନ୍ୟୁଜିଲାଣ୍ଡର ବ୍ଲେୟାର ଟାରାଣ୍ଟ୍‍ଙ୍କୁ ଚକ୍‍ମାଦେଇ ଆର୍ଜେଣ୍ଟିନାର ତାରକା ଷ୍ଟ୍ରାଇକର ଲ୍ୟୁକାସ୍‍ ଭିଲା ଏହି ଫିଲ୍‍ଡ ଗୋଲ୍‍ ଦେଇଥିଲେ। ୪୫ ମିନିଟରେ ଗୋଲ୍‍ଦେବାର ସହଜ ସୁଯୋଗ ହାତଛଡ଼ା କରିଥିଲେ ନ୍ୟୁଜିଲାଣ୍ଡର ଜେରାଡ୍‍ ପାଞ୍ଚିଆ। କେବଳ ଗୋଲ୍‍ରକ୍ଷକଙ୍କୁ ପରାସ୍ତ କରିବାର ଥିଲେ ହେଁ ପାଞ୍ଚିଆ ବଲ୍‍କୁ ରୋକି ପାରିନଥିଲେ। ୪ର୍ଥ କ୍ୱାର୍ଟରରେ ଆର୍ଜେଣ୍ଟିନା ମ୍ୟାଚ୍‍କୁ ନିଜ ନିୟନ୍ତ୍ରଣରେ ରଖିବା ଲାଗି ପ୍ରୟାସ କରିଥିଲା। ୫୫ ମିନିଟରେ ଆର୍ଜେଣ୍ଟିନା ୨ୟ ଗୋଲ୍‍ ସ୍କୋର୍‍ କରିଥିଲା। ପେନାଲ୍‍ଟି କର୍ଣ୍ଣରରୁ ଆର୍ଜେଣ୍ଟିନାର ଗୋଞ୍ଜାଲୋ ପେଇଲାଟ୍‍ ହିଟ୍‍ ନ ମାରି ବଲ୍‍ ବଢ଼ାଇ ଦେଇଥିଲେ ସାଥୀ ଖେଳାଳି ଲ୍ୟୁକାସ୍‍ ମାର୍ଟିନେଜ୍‍ଙ୍କୁ। ମାର୍ଟିନେଜ୍‍ ଏଥିରୁ ଗୋଲ୍‍ ଦେଇଥିଲେ। ଶେଷ ୫ ମିନିଟରେ ଗୋଲ୍‍ଦେବାକୁ ନ୍ୟୁଜିଲାଣ୍ଡ ପ୍ରାଣପଣେ ଚେଷ୍ଟା କରିଥିଲେ ହେଁ ଆର୍ଜେଣ୍ଟିନା ରକ୍ଷାପନ୍ଥୀ ସଜାଗ ରହିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories