ନୂଆଦିଲ୍ଲୀ: ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଏକ ନୂଆ ପ୍ରଭାବଶାଳୀ ନୀତି ପ୍ରଣୟନ କରାଯିବ। ସଂସଦର ଆସନ୍ତା ଶୀତ ଅଧିବେଶନରେ ଏ ସମ୍ପର୍କିତ ବିଲ୍ ଉପସ୍ଥାପିତ ହୋଇପାରେ ବୋଲି ସୂଚନା ମିଳିଛି। ଏହି ନୂଆ ନୀତି କାର୍ଯ୍ୟକାରୀ ହେଲେ ୧୯୫୬ରେ ପ୍ରଣୀତ ନଦୀ ନୀତିର ବିଲୋପ ଘଟିବ। ଏବେ ନଦୀ ନୀତି- ୧୯୫୬ର କାର୍ଯ୍ୟକାରୀତା କେବଳ ଏକ ଉପଦେଷ୍ଟା ଭାବେ ସୀମିତ ରହିଛି।
ରିଭର ବେସିନ୍ ମ୍ୟାନେଜମେଣ୍ଟ ବିଲ୍-୨୦୧୮ର ପ୍ରସ୍ତାବ ଅନୁଯାୟୀ ଦେଶର ସମସ୍ତ ୧୩ଟି ନଦୀ ବିକାଶ କର୍ତ୍ତୃପକ୍ଷର ପରିଚାଳନା ବ୍ୟବସ୍ଥା ଦୁଇସ୍ତରୀୟ ହେବ। ସେଥିରେ ସରକାରୀ ପରଷଦ ଓ ନିର୍ବାହୀ ମଣ୍ଡଳୀ କାର୍ଯ୍ୟ କରିବ। ସରକାରୀ ପରିଷଦ ମୁଖ୍ୟ ଭାବେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବେ। ଏହାଫଳରେ ଆନ୍ତଃରାଜ୍ୟ ଜଳ ବିବାଦକୁ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଓ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। ବର୍ଷକୁ ଦୁଇ ଥର ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଗଙ୍ଗା, ଗୋଦାବରୀ, ମହାନଦୀ, ମାହି, ନର୍ମଦା, ପେନାର, କାବେରୀ, କ୍ରିଷ୍ଣା, ତାପି, ସୁବର୍ଣ୍ଣରେଖା, ବ୍ରାହ୍ମଣୀ-ବୈତରଣୀ, ବ୍ରହ୍ମପୁତ୍ର-ବାରାକ୍,ସିନ୍ଧୁ ନଦୀ ପାଇଁ ଏହି ନୀତି କାର୍ଯ୍ୟକାରୀ ହୋଇପାରିବ। ଆନ୍ତଃମୁଖ୍ୟମନ୍ତ୍ରୀ କମିଟିର ସଭାପତି ପଦ ପାଇଁ ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଭିତରୁ ପର୍ଯ୍ୟାୟକ୍ରମେ ନିର୍ବାଚିତ ହେବେ। କମିଟିରେ କୌଣସି ନିଷ୍ପର୍ଷ ହୋଇ ନପାରିଲେ ବିବାଦ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍କୁ ଯିବ।
କେନ୍ଦ୍ର ସରକାର ଆଣିବେ ନୂଆ ଜଳ ନୀତି
Popular Categories



