ଭାଇରାଲ୍ ଭିଡିଓ: ନିଜ ପ୍ରଧାନମନ୍ତ୍ରୀଙ୍କୁ ଚିଲ୍ଲାଇ ଚିଲ୍ଲାଇ ଅନ୍ତର୍ଜାତୀୟ ଭିକାରି କହିଲେ ପାକ୍ ସାଂସଦ
ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ଏବେ ଶେଷ ହୋଇଛି। ସମସ୍ତ ଉଦ୍ୟମ ପରେ ମଧ୍ୟ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ ନିଜ ସରକାର ବଞ୍ଚାଇ ପାରିଲେ ନାହିଁ। ଶେହବାଜ ଶରିଫ୍ ବର୍ତ୍ତମାନ ଦେଶର ନୂଆ ପ୍ରାଧାନମନ୍ତ୍ରୀ। ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶେହବାଜ ଅନ୍ତର୍ଜାତୀୟ ସ୍ତରରେ କଠିନ ଚେଷ୍ଟା ଆରମ୍ଭ କରିଛନ୍ତି। ହେଲେ ଇତି ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମଗ୍ର ବିଶ୍ବ ସମ୍ନାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛି। ପାକିସ୍ତାନ ସଂସଦର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ସଂସଦରେ ସର୍ବସମ୍ମୁଖରେ ଜଣେ ପାକ୍ ସାଂସଦ ନିଜ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ ତାଙ୍କ ଦଳୀୟ ଲୋକଙ୍କୁ ଅନ୍ତର୍ଜାତୀୟ ଭିକାରି ବୋଲି କହୁଥିବା ଦେଖିବାକୁ ମିଳିଛି।
#امپورٹڈ_حکومت_نا_منظور pic.twitter.com/KcjsiMDgic
— MNA Faheem Khan (@MNAFaheemKhan) April 11, 2022
ଏହି ଭିଡିଓ ଏପ୍ରିଲ ୧୧ ତାରିଖର। ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବର ପର ଦିନ ବିରୋଧୀ ଦଳ ମିଳିତ ଭାବେ ଶେହବାଜ ଶରିଫ୍ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଥିଲେ। ଏହି ସମୟରେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତହରିକ୍-ଏ-ଇନ୍ସାଫ୍(ପିଟିଆଇ)ର ସାଂସଦ ଫହିମ୍ ଖାନ ଭିଡିଓ କରିବା ଆରମ୍ଭ କରିଥିଲେ। ଭିଡିଓରେ ସେ କହୁଛନ୍ତି, ‘‘ଆଜ୍ଞା ମୁଁ ବର୍ତ୍ତମାନ ସଂସଦ ଭିତରେ ଠିଆହୋଇଛି ଏବଂ ଆପଣମାନଙ୍କୁ ଅନ୍ତର୍ଜାତୀୟ ଭିକାରି ଦେଖାଇବାକୁ ଚାହୁଁଛି’’। ଏହାପରେ ଶେହବାଜ ଶରିଫଙ୍କ ଓ ତାଙ୍କ ଦଳୀୟ ନେତାମାନଙ୍କ ଆଡ଼କୁ କ୍ୟାମେରା ବୁଲାଇ ଫହିମ୍ କହୁଛନ୍ତି, ‘‘ଇଏ ହେଉଛନ୍ତି ଭିକାରୀ…ଯିଏ ନିଜେ ଭିକାରି, ଯିଏ ନିଜ ଦଳକୁ ଭିକାରି କହୁଛି, ଏମାନେ ହିଁ ପ୍ରକୃତରେ ଭିକାରି ଆମେ ନୁହେଁ। ଆମେ ସଚ୍ଚୋଟ ଦଳ’’। ଏହାପରେ ପିଟିଆଇ ସାଂସଦମାନଙ୍କ ଆଡ଼କୁ କ୍ୟାମେରା ବୁଲାଇ ସେ କହୁଛନ୍ତି, ‘‘ଏଠାରେ ସଚ୍ଚୋଟ ଲୋକ ବସିଛନ୍ତି’’। ଏହାପରେ ପୁଣି ଶେହବାଜଙ୍କ ଆଡ଼କୁ କ୍ୟାମେରା ବୁଲାଇ ଚିଲ୍ଲାଇ ଚିଲ୍ଲାଇ କହୁଛନ୍ତି, ‘‘ଇଏ ଭିକାରି ବସିଛନ୍ତି। ଇଏ ଭିକାରି… ଇଏ ହିଁ ଭିକାରି…’’। ପାକ୍ ସାଂସଦଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି।
ସୂଚନାଯୋଗ୍ୟ, ଫହିମ ଖାନ ପାକିସ୍ତାନର କରାଚୀରୁ ଜଣେ ସାଂସଦ।
Comments are closed.