www.samajalive.in
Tuesday, December 9, 2025
17.1 C
Bhubaneswar

ବିଜୟ ହଜାରେ ଟ୍ରଫି; ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

କଟକ : ନୂଆଦିଲ୍ଲୀର ପାଲାମ ଗ୍ରାଉଣ୍ଡରେ ଚାଲିଥିବା ସିନିୟର ଆନ୍ତରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଗୁରୁବାର ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶ ନିକଟରୁ ହାରିଥିବା ଓଡ଼ିଶା ଦ୍ୱିତୀୟ ମ୍ୟାଚରେ କେରଳ ନିକଟରୁ ପରାସ୍ତ ହୋଇଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ କେରଳ ୬ ୱିକେଟରେ ଓଡ଼ିଶାକୁ ହରାଇଛି। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୧୧୭ ରନରେ ଅଲଆଉଟ ହୋଇଥିଲା। ଜବାବରେ କେରଳ ୪ ୱିକେଟ ବିନିମୟରେ ୧୧୮ ରନ କରି ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ କେରଳ ୪ ପଏଣ୍ଟ ପାଇଥିବାବେଳେ ଓଡ଼ିଶାକୁ କୌଣସି ପଏଣ୍ଟ ମିଳିନାହିଁ। ଆସନ୍ତା ୨୩ରେ ଓଡ଼ିଶା ତାହାର ପରବର୍ତ୍ତୀ ମ୍ୟାଚରେ ଉତ୍ତର ପ୍ରଦେଶକୁ ଭେଟିବ।
କେରଳ ଅଧିନାୟକ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଓଡ଼ିଶାକୁ ଆମନ୍ତ୍ରଣ କରିଥିଲେ। ୬ ରନରେ ଦୁଇ ଓପନର ରାଜେଶ ଧୁପର (୪) ଓ ଅନୁରାଗ ଷଡଙ୍ଗୀଙ୍କ (୨) ୱିକେଟ ହରାଇ ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ୩ୟ ୱିକେଟ ପାଇଁ ୪୮ ରନ ଯୋଗକରି ସ୍ଥିତିକୁ କିଛିମାତ୍ରାରେ ସୁଧାରିଥିଲେ। ଏହି ଯୋଡି କ୍ରିଜରେ ଜମିଆସୁଥିବାବେଳେ ପୋଦ୍ଦାର ଆଉଟ ହେବା ଫଳରେ ଓଡ଼ିଶା ସ୍ଥିତି ଅଧିକ ବିପନ୍ନ ହୋଇପଡିଥିଲା। ପୋଦ୍ଦାର ୪୧ଟି ବଲରୁ ୨ଟି ଚୌକା ସହାୟତାରେ ୨୨ ରନ କରିଥିଲେ। ଚାରି ରନ ବ୍ୟବଧାନରେ ଶୁଭ୍ରାଂଶୁ ବ୍ୟକ୍ତିଗତ ୨୬ ରନ କରି ଚତୁର୍ଥ ଖେଳାଳିଭାବେ ଆଉଟ ହୋଇଥିଲେ। ମଧ୍ୟକ୍ରମରେ ସୁଜିତ ଲେଙ୍କା (୧୦) ଓ ବିପ୍ଳବ ସାମନ୍ତରାୟ (୬) ସହଳ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ଅଭିଷେକ ରାଉତ ୨ଟି ଚୌକା ସହାୟତାରେ ୨୩ ରନ କରି କେରଳ ବୋଲରଙ୍କୁ କିଛି ସମୟ ମୁକାବିଲା କରିଥିଲେ। ତେବେ ଦଳୀୟ ସ୍କୋର ୧୦୫ ରନରେ ଅଭିଷେକ ଅଷ୍ଟମ ଖେଳାଳିଭାବେ ଆଉଟ ହେବାପରେ ଓଡ଼ିଶା ୩୪.୪ ଓଭରେ ୧୧୭ ରନରେ ଅଲଆଉଟ ହୋଇଥିଲା। କେରଳ ପକ୍ଷରୁ ଅକ୍ଷୟ ଚନ୍ଦ୍ରନ ୪ଟି ଓ ଜଲାଜ ସାକ୍ସେନା ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ସନ୍ଦୀପ ୱାରିୟର ଓ ବାସିଲ ଥାମ୍ପି ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
୧୧୮ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ କେରଳ ୨୫ ରନରେ ଓପନର ଜଲାଜ ସାକ୍ସେନାଙ୍କ (୪) ଓ ବିଷ୍ଣୁ ବିନୋଦଙ୍କ (୧୦) ୱିକେଟ ହରାଇଥିଲା। ଅଭିଜ୍ଞ ସଞ୍ଜୁ ସାମସନ ଓ ଅଧିନାୟକ ସଚିନ ବେବି ୩ୟ ୱିକେଟ ପାଇଁ ୩୭ ରନ ଯୋଗକରିଥିବାବେଳେ ସଞ୍ଜୁ ବ୍ୟକ୍ତିଗତ ୨୫ ରନ କରି ଆଉଟ ହୋଇଥିଲେ। ସଚିନ ଓ ସଲମାନ ନଜିର ଓଡ଼ିଶା ବୋଲରଙ୍କ ଉଚିତ ମୁକାବିଲା କରି ୪ର୍ଥ ୱିକେଟ ପାଇଁ ୪୯ ରନ ସଂଗ୍ରହ କରିଥିଲେ। ଏହି ଯୋଡି ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବେ ବୋଲି ଆଶା କରାଯାଉଥିବାବେଳେ ସଚିନ ୪୧ ରନ କରି ୪ର୍ଥ ଖେଳାଳିଭାବେ ଆଉଟ ହୋଇଥିଲେ। ସଲମାନ (ଅପରାଜିତ ୩୧) ଓ ଡାରିଲ ଫେରାରିଓ (ଅପରାଜିତ ୧) ୫ମ ୱିକେଟ ପାଇଁ ଅବିଭାଜିତ ୭ ରନ ସଂଗ୍ରହ କରିଥିଲେ। ଫଳରେ କେରଳ ୩୭.୩ ଓଭରରେ ୪ ୱିକେଟ ବିନିମୟରେ ୧୧୮ ରନ କରି ବିଜୟୀ ହୋଇଥିଲା। ଓଡ଼ିଶା ପକ୍ଷରୁ ସାତଜଣ ବୋଲରଙ୍କୁ ନିୟୋଜିତ କରାଯାଇଥିବାବେଳେ ପାପୁ ରାୟ ୨ଟି ଓ ଅଭିଷେକ ରାଉତ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories